କନକ ବ୍ୟୁରୋ : ପରିବାର ଲୋକଙ୍କୁ ଖାଦ୍ୟରେ ବିଷ ଦେଇଦେଲା ଝିଅ । ଶିଶୁକନ୍ୟାଙ୍କ ସମେତ ୬ ଜଣ ଗୁରୁତର ଅବସ୍ଥାରେ ମେଡିକାରେ ଭର୍ତ୍ତି । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କନିକାପଡାରୁ ଆସିଛି ଏହି ଚାଞ୍ଚଲ୍ୟକର ଅଭିଯୋଗ । ପାରିବାରିକ କଳହକୁ ନେଇ ବିବାହିତ ଝିଅ ପରିବାର ଲୋକଙ୍କ ଖାଦ୍ୟରେ ବିଷ ମିଶାଇ ଦେଇଥିବା ଅଭିଯୋଗ ହୋଇଛି । କନିକାପଡାର ଉମାକାନ୍ତ ଓଝାଙ୍କ ପରିବାରର ୬ ଜଣ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । 

Advertisment

ଆଜି ଅପରାହ୍ଣରେ ସମସ୍ତେ ଅସୁସ୍ଥ ହୋଇପଡିବାରୁ ଅଢେଇ ବର୍ଷର ଶିଶୁ କନ୍ୟା ସହ ୬ ଜଣଙ୍କୁ ମେଡିକାଲେର ଭର୍ତ୍ତି କରାଯାଇଛି । ପରିବାରର ସମସ୍ତ ସଦସ୍ୟ ମେଡିକାଲରେ ଥିବାରୁ ଥାନାରେ ଏନେଇ ଅଭିଯୋଗ ହୋଇନଥିବା ଜଣାପଡିଛି । ଅଭିଯୋଗ ଅନୁସାରେ ୬ ମାସ ତଳେ ଉମାକାନ୍ତଙ୍କ ଝିଅର ବିବାହ ଠିକ ହୋଇଥିବା ବେଳେ ସୁକିନ୍ଦା ଅଞ୍ଚଳର ଯୁବକଙ୍କ ସହ ସେ ଘରୁ ଲୁଚି ଫେରାର ହୋଇଯାଇଥିଲା । କିଛି ଦିନ ପରେ ଉମାକାନ୍ତଙ୍କ ଭାଇମାନେ ଫେରାର ଝିଅ ଓ ଜ୍ୱାଇଁକୁ ଆଣି ଘରେ ରଖିଥିଲେ । ହେଲେ ପ୍ରେମ ବିବାହକୁ ସ୍ୱୀକୃତି ଦେଉନଥିବାରୁ ବିବାଦ ଲାଗି ରହିଥିଲା । ଦୁଇ ଦିନ ତଳେ ମାରପିଟ ହେବାରୁ ଥାନାରେ ଏତଲା ଦିଆଯାଉଥିଲା । ଆଜି ପୁଣି ଝଗଡ଼ା ହେବା ପରେ ଘରେ ମାଆ ରୋଷେଇ କରୁଥିଲେ । ସେହି ସମୟରେ ଝିଅ ଆସି ଲୁଚିକି ଖାଦ୍ୟରେ ବିଷ ମିଶାଇ ଦେଇଥିବା ଅଭିଯୋଗ ହୋଇଛି । ପ୍ରେମକୁ ସ୍ୱୀକୃତି ନମିଳିବାରୁ ପୁରା ପରିବାରକୁ ନିଜ ଝିଅ ବିଷ ଦେଇ ହତ୍ୟା ଉଦ୍ୟମ କରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।