କନକ ବ୍ୟୁରୋ : ଅଯଥାରେ ଆମ୍ବୁଲାନ୍ସକୁ ଫୋନ୍ କରି ହଇରାଣ କଲେ ମଦ୍ୟପ ଯୁବକ । ଯୁବକକୁ ବୋହି ଆଣି ଥାନାରେ ଜିମା ଦେଲେ ଆମ୍ୱୁଲାନ୍ସ କର୍ମଚାରୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ସମ୍ୱଲପୁର ଜିଲ୍ଲା ବାମରା ବ୍ଲକ ଡଙ୍ଗାଯୋର ଗାଁରେ । ବୁଧବାର ଦିନ ୧୦୮କୁ କଲ୍ କରି ଜଣେ ଶିଶୁଙ୍କ ଦେହ ଅସୁସ୍ଥ ଥିବା ଓ ତାଙ୍କୁ ଚିକିତ୍ସା ସୁବିଧା ଆବଶ୍ୟକ ଥିବା ଜଣାଇଥିଲେ ଡଙ୍ଗାଯୋର ଗାଁର ପିଣ୍ଟୁ ମୁଣ୍ଡା । ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ କର୍ମଚାରୀମାନେ ଡଙ୍ଗାଜୋର୍ ଗାଁକୁ ଯାଇ ପହଞ୍ଚିଥିଲେ । ହେଲେ ସେଠାରେ କୌଣସି ଶିଶୁଙ୍କ ଦେହ ଅସୁସ୍ଥ ନଥିବା ଜାଣିବାକୁ ପାଇଥିଲେ । ଆମ୍ବୁଲାନ୍ସକୁ କଲ୍ କରିଥିବା ପିଣ୍ଟୁକୁ କର୍ମଚାରୀମାନେ ପଚାରିବାରୁ ସେ ଥଟାରେ କଲ୍ କରି ଦେଇଥିବା କହିଥିଲେ । 

Advertisment

ଅନ୍ୟପଟେ ସେ ମଦ ପିଇ ଏପରି କରିଥିବା ଜାଣି ଆମ୍ବୁଲାନ୍ସ କର୍ମଚାରୀମାନେ ତାଙ୍କୁ ସେହି ଆମ୍ବୁଲାନ୍ସରେ ବୋହି ଆଣି ଗୋବିନ୍ଦପୁର ପୁଲିସକୁ ଜିମା ଦେଇଛନ୍ତି । ଏପରି ଭୁଲ ପୁଣି ନକରିବାକୁ ତାଗିଦ୍ କରି ଗୋବିନ୍ଦପୁର ପୁଲିସ ତାଙ୍କୁ ଥାନାରୁ ଛାଡ଼ି ଦେଇଥିବା ଜଣାପଡ଼ିଛି । ଆମ୍ବୁଲାନ୍ସ ପରି ଏକ ଜରୁରୀକାଳୀନ ସେବାକୁ ଅଯଥାରେ କଲ୍ କରି ହଇରାଣ କରିବା ଏକ ଅପରାଧ ଓ ଏପରି କରି ଲୋକଙ୍କ ଜୀବନ ସହ ଖେଳ କରନ୍ତୁ ନାହିଁ ବୋଲି ଆମ୍ବୁଲାନ୍ସ କର୍ମଚାରୀମାନେ ଅନୁରୋଧ କରିଛନ୍ତି ।