କନକ ବ୍ୟୁରୋ : ମୟୂରଭଞ୍ଜରେ ଅନ୍ତଃରାଜ୍ୟ ବାଘଛାଲ ରାକେଟ୍‌ର ଚେର ଖୋଜୁ ଖୋଜୁ ମିଳିଲା ସାଙ୍ଘାତିକ ତଥ୍ୟ । ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର । ଗିରଫ ହୋଇଥିବା ମୁଖ୍ୟ କାର୍ପଟ୍‌ଦାର ଶିକ୍ଷକ ଓ ତାନ୍ତ୍ରିକ ମୋବାଇଲରୁ ମିଳିଛି ଚମକେଇ ଦେବା ଭଳି ତଥ୍ୟ । ଉଭୟ ବଶୀକରଣ ଆଳରେ ଶତାଧିକ ମହିଳାଙ୍କ ଶୋଷଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଅଭିଯୁକ୍ତ ତାନ୍ତ୍ରିକର ମୋବାଇଲ୍‌ରୁ ମହିଳାମାନଙ୍କ ଶତାଧିକ ଆପତ୍ତିଜନକ ଫଟୋ ଓ ଭିଡିଓ ମିଳିବା ପରେ ଘଟଣାଟି ନୂଆ ମୋଡ଼ ନେଇଛି ।

Advertisment

ମଙ୍ଗଳବାର ଦିନ ୩ଟି କଲରାପତରିଆ ବାଘଛାଲ ଜବତ କରିଥିଲା ବନ ବିଭାଗ । ଏହି ମାମଲାରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ପାଉଁଶିଆ ଗ୍ରାମର ତାନ୍ତ୍ରିକ ଗୁରୁପ୍ରସାଦ ପାତ୍ର, କାଣିମହୁଲି ଗାଁର ଶିକ୍ଷକ ମନୋରଞ୍ଜନ ଟିପିରିଆଙ୍କ ସମେତ ବାଲେଶ୍ୱର ଓ ମୟୂରଭଞ୍ଜର ୭ ଜଣ ଅଭିଯୁକ୍ତ ଧରାପଡ଼ିଥିଲେ । ସେମାନଙ୍କ ପାଖରୁ ୭ଟି ମୋବାଇଲ୍‌ ଜବତ ହୋଇଥିଲା ।

ତେବେ ତାନ୍ତ୍ରିକ ଗୁରୁପ୍ରସାଦର ମ‌ୋବାଇଲ୍‌ ଖୋଲିବା ପରେ ତଦନ୍ତକାରୀ ଟିମ୍‌ ତାଜୁବ୍‌ ହୋଇଯାଇଛି । ସେଥିରେ ୪୮୦ରୁ ଅଧିକ ଭିଡିଓ ରହିଥିବା ବେଳେ ମହିଳାଙ୍କର ଶତାଧିକ ଆପତ୍ତିଜନକ ଭିଡିଓ ସହ ଫଟୋ ମଧ୍ୟ ରହିଛି । ତନ୍ତ୍ରସାଧନା ବେଳେ କୌଶଳକ୍ରମେ ଏସବୁ ଭିଡିଓ ଉତ୍ତୋଳନ ହୋଇଥିବା ଜଣାପଡ଼ିଛି । ତେବେ ଯାଞ୍ଚ ପାଇଁ ଶିକ୍ଷକ ଓ ତାନ୍ତ୍ରିକଙ୍କ ମୋବାଇଲ୍‌ ସହ ଅନ୍ୟ ଅଭିଯୁକ୍ତଙ୍କ ମୋବାଇଲ୍‌ଗୁଡ଼ିକୁ ରାଜ୍ୟ ଫରେନ୍‌ସିକ୍‌ ଲାବ୍‌କୁ ପଠାଯାଇଥିବା ସୂଚନା ଦେଇଛନ୍ତି ବାରିପଦା ବନଖଣ୍ଡ ଅଧିକାରୀ ।

ଅଭିଯୁକ୍ତଙ୍କ ଫୋନ୍‌ଗୁଡ଼ିକୁ ଫରେନ୍‌ସିକ୍‌ ଯାଞ୍ଚ ପାଇଁ ପଠାଯାଇଛି । ରିପୋର୍ଟ ଆସିଲେ ତଦନ୍ତ ତ୍ୱରାନ୍ୱିତ ହେବ । ଅଭିଯୁକ୍ତମାନଙ୍କୁ ଗତକାଲି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅଧିକ ଜେରା ପାଇଁ ସେମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରାଯିବ । ଘଟଣାଟି ସମ୍ବେଦନଶୀଳ ହୋଇଥିବାରୁ ସତର୍କତାର ସହ କାମ କରୁଛି ବନ ବିଭାଗ ।