କନକ ବ୍ୟୁରୋ: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ । ଆଇନ କାନୁନ୍ ବ୍ୟବସ୍ଥାକୁ ଆଉ ଡରୁ ନାହାନ୍ତି ଅପରାଧୀ । ସାମାନ୍ୟ କଥାରେ ଆଇନକୁ ହାତକୁ ନେଉଛନ୍ତି । ଅନୁଗୁଳ ଜିଲ୍ଲାରେ ଚଳିତବର୍ଷର ଆପରାଧିକ ରେକର୍ଡ ଏହା ହିଁ ବୟାନ କରୁଛି । ସରକାରୀ ପରିସଂଖ୍ୟାନ କହୁଛି, ଅନୁଗୁଳ ଜିଲ୍ଲାରେ ସପ୍ତାହରେ ଗୋଟିଏ ହତ୍ୟାକାଣ୍ଡ ହେଉଥିଲା ବେଳେ ମାସକୁ ୭ ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି । ଚୋରି, ଡକାୟତି ବି କମ୍ ନୁହେଁ । କଣିହାଁ ଅଞ୍ଚଳର ଜଣେ ଛାତ୍ରୀ ଭୁବନେଶ୍ଵର ଯିବା ବାଟରେ ତାଙ୍କୁ ଜଣେ ଅଟୋଚାଳକ ଅପହରଣ କରି ଦୁଷ୍କର୍ମ କଲା । ଯୁବତୀଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ଜଙ୍ଗଲରେ ଫିଙ୍ଗି ଚାଲିଗଲା । 

Advertisment

ଏପଟେ ଏଇ ମାସରେ ସଦର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ଗାଁ ପାଖ ନାଳରୁ ମିଳିଲା । ପରିବାର ଲୋକେ ଅଭିଯୋଗ କରିଛନ୍ତି, ଝିଅକୁ କେହି ଦୁଷ୍କର୍ମ ପରେ ହତ୍ୟା କରିଛି । କେବଳ ଏହି ଦୁଇ ଘଟଣା ନୁହେଁ, ଏମିତି ଏକାଧିକ ଘଟଣା ଅନୁଗୁଳକୁ ବଦନାମ କରିଛି । ସରକାରୀ ତଥ୍ୟ କହୁଛି, ଚଳିତବର୍ଷ ଆରମ୍ଭରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାରେ ୩୩ଟି ହତ୍ୟାକାଣ୍ଡ ଘଟିଛି । ଅର୍ଥାତ୍ ମାସକୁ ୫ ଜଣ ହତ୍ୟାର ଶିକାର ହେଉଛନ୍ତି । ଗତ ବର୍ଷ ଅନୁଗୁଳ ଜିଲ୍ଲାରେ ସମୁଦାୟ ୩୪ଟି ହତ୍ୟାକାଣ୍ଡ ଘଟିଥିଲା ବେଳେ ଏଥର ୭ମାସରେ ୩୩ଟି ହତ୍ୟାକାଣ୍ଡ ସ୍ଵାଭାବିକ ଭାବେ ପୁଲିସର ଚିନ୍ତା ବଢ଼ାଇଛି । 

ଖାଲି ହତ୍ୟା ଘଟଣା ବଢ଼ିଛି ତା ନୁହେଁ, ଦୁଷ୍କର୍ମ ଓ ଅନ୍ୟ ଅପରାଧ ବି ଉପରମୁହାଁ ହୋଇଛି । ଚଳିତବର୍ଷ ଜୁଲାଇ ସୁଦ୍ଧା ଅନୁଗୁଳରେ ୪୭ଟି ଦୁଷ୍କର୍ମ ମାମଲା ଥାନାକୁ ଆସିଛି । ଅର୍ଥାତ୍ ମାସକୁ ୭ ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି । ଏହି ୭ ମାସରେ ୧୦ଜଣଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଛି । ଗୋଟିଏ ଗଣଦୁଷ୍କର୍ମ ଘଟଣା ଘଟିଛି। ସେହିପରି ୬୧ଟି ଡକାୟତି, ୮୭ଟି ଘରେ ପଶି ଚୋରି ଓ ୩୩୬ଟି ଚୋରି ହୋଇଛି । ଅପରପକ୍ଷରେ ୨୦୨୪ ମସିହାରେ ୮୮ଟି ଦୁଷ୍କର୍ମ ହୋଇଥିଲା ବେଳେ ୬ଟି ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଥିଲା । ଏହା ବାଦ୍ ଗୋଟିଏ ଗଣଦୁଷ୍କର୍ମ ବି ରହିଥିଲା । 

ସେହିପରି ୧୦୯ଟି ଡକାୟତି, ୧୬୫ଟି ଘରେ ପଶି ଚୋରି ଓ ୫୦୨ଟି ଚୋରି ଅଭିଯୋଗ ପୁଲିସ ପାଖରେ ପହଞ୍ଚିଥିଲା । ତେବେ ଏହି ସବୁ ଘଟଣା ଭିତରୁ ଅଧିକାଂଶ ମାମଲାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ୨୦୨୪ରେ ୩୪ଟି ହତ୍ୟା ମାମଲାରେ ୪୨ ଜଣ ଗିରଫ ହୋଇଥିଲା ବେଳେ ଚଳିତବର୍ଷ ୩୩ ହତ୍ୟା ମାମଲାରେ ୨୨ ଜଣ ଗିରଫ ହୋଇଛନ୍ତି । ସେହିପରି ଦୁଷ୍କର୍ମ ମାମଲାରେ ୯୬ ଜଣ, ଡକାୟତି ମାମଲାରେ ୭୯ ଜଣ, ଘରେ ପଶି ଚୋରି ମାମଲାରେ ୧୬୫ ଜଣଙ୍କୁ ଗିରଫ କରିଛି ପୁଲିସ ।

ଚିନ୍ତାଜନକ ଖବର ହେଲା ଯେ ଗତବର୍ଷ ଜୁନ୍‌ରୁ ଚଳିତବର୍ଷ ଜୁଲାଇ ପର୍ଯ୍ୟନ୍ତ ଆପରାଧିକ ଗ୍ରାଫ୍ ଦେଖିଲେ, ଏହି ସମୟରେ ୫୪ଟି ହତ୍ୟାକାଣ୍ଡ ଘଟିଛି । ୮୭ଟି ଦୁଷ୍କର୍ମ ହୋଇଥିଲା ବେଳେ ୩୮ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ୧୪ଟି ଯୌତୁକଜନିତ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି । ଏପଟେ ଯୌତୁକ ନିର୍ଯାତନା ସହି ନ ପାରି ୩ ଜଣ ମହିଳା ଆତ୍ମହତ୍ୟା କରିଛନ୍ତି । ବର୍ଷକ ଭିତରେ ୧୯୨ ଜଣ ମହିଳା ଯୌତୁକ ନିର୍ଯାତନାର ଶିକାର ହେଲେଣି । ସେହିପରି ୪୧୭ ଜଣ ମହିଳା ବିଭିନ୍ନ କାରଣ ପାଇଁ ନିର୍ଯାତନା ପାଇଥିବା ଅଭିଯୋଗ କରିଛନ୍ତି ।