କନକ ବ୍ୟୁରୋ: ସେହି ଗୋପାଳପୁର…ସେହି ବେଳାଭୂମି…ସମାନ କାଣ୍ଡ…। ଗତ ରଜ ସଂକ୍ରାନ୍ତିରେ ଘଟିଥିବା ଗଣଦୁଷ୍କର୍ମ ମାମଲା ଯେମିତି ହୋଇଥିଲା ଆଜିକୁ ଠିକ୍ ୧୭ ବର୍ଷ ତଳେ ସମାନକାଣ୍ଡ ଘଟିଥିଲା । ଯାହା ଏବେ ସାମ୍ନାକୁ ଆସିବା ପରେ ସବୁଠି ଚର୍ଚ୍ଚା ।
ସେଦିନ ଥିଲା ନଭେମ୍ବର ୨୧ ତାରିଖ । ୨୦୦୮ ମସିହା । ପୁଲିସ ହାବିଲଦାର୍ ଥିଲେ ନାରାୟଣ ତ୍ରିପାଠୀ । ତାଙ୍କର ପୁଅକୁ ୨୮ ବର୍ଷ ହୋଇଥିଲା । କମ୍ପ୍ୟୁଟର କ୍ଲାସ୍ ସାରିବା ପରେ ବାନ୍ଧବୀଙ୍କ ସହ ଯାଇଥିଲେ ଗୋପାଳପୁର ବେଳାଭୂମି । ହେଲେ ଯୌନ ପିଶାଚଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ନିର୍ଜନ ସ୍ଥାନରେ ବାନ୍ଧବୀଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ପୁରୁଷ ବନ୍ଧୁ ଅଟକାଇଥିଲେ । ଯୌନ ଲାଳସା ରଖିଥିବା ଯୁବକଙ୍କୁ ସିନା ସେ ଅଟକାଇଦେଇଥିଲେ ହେଲେ ନିଜ ଜୀବନ ବଞ୍ଚାଇପାରିନଥିଲେ । ନିଜେ ପୁଲିସ୍ରେ ଚାକିରି କରିଥିବାରୁ ଭାବିଥିଲେ ନ୍ୟାୟ ପାଇବେ । ଆଇନ ଉପରେ ବିଶ୍ବାସ ବି ଥିଲା । ହେଲେ ଆଜିକୁ ୧୭ ବର୍ଷ ହୋଇଗଲା କିନ୍ତୁ ନ୍ୟାୟ ପାଇଲେ ନାହିଁ ।
ମାମଲା ଦାଏର ହୋଇଥିଲା
୭ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଗଲେ
ଏବେ ବି ଜଣେ ଫେରାର୍
ସେହି ଅଭାଗା ବାପା ଏବେ ଗୁମୁରି ଗୁମୁରି କାନ୍ଦୁଛି । ଯିଏ କି ନିଜ ପୁଅକୁ ନ୍ୟାୟ ଦେବାକୁ ୧୭ ବର୍ଷ ହେଲା ଚେଷ୍ଟା କରୁଛନ୍ତି । ହେଲେ ପୁଅକୁ ନା ନ୍ୟାୟ ମିଳୁଛି, ନା ଆଉ ଜଣେ ଦୋଷୀ ଧରାପଡୁଛନ୍ତି । କଥାହେଲା, ସମାନ ସ୍ଥାନରେ ସମାନ ଘଟଣା ଘଟିବା ପରେ ପୂର୍ବ ଘଟଣାର ପର୍ଦ୍ଦାଫାସ ହୋଇଛି । ଆଉ ମାଳମାଳ ପ୍ରଶ୍ନ ଉଙ୍କି ମାରୁଛି...ଗୋପାଳପୁରରେ କାହିଁକି ଏମିତି ହେଉଛି ଅଘଟଣ ? ଯୌନ ପିପାସୁଙ୍କ ଠିକଣା ପାଲଟିଲାଣି କି ଗୋପାଳପୁର ? ପୁଲିସ୍ ସବୁ ଜାଣି କାହିଁକି ଚୁପ୍ ? ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି, ପାଟ୍ରୋଲିଂ ବଢୁନି କାହିଁକି ? ୭୬ ବର୍ଷର ବୁଢା ବାପାଙ୍କୁ ନ୍ୟାୟ କେବେ ମିଳିବ ? କିଛି ଏମିତି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ପ୍ରଶ୍ନ ଘେରରେ ପୁଲିସ୍ ।
ବ୍ରହ୍ମପୁର ଫାଷ୍ଟଗେଟ୍ରେ ରଘୁପତିନଗର ପ୍ରଥମ ଲାଇନ୍ ବାସିନ୍ଦା ନାରାୟଣ ତ୍ରିପାଠୀ । ପୁଅର କଥା କହିବା ବେଳେ କାନ୍ଦି ପକାଉଛନ୍ତି ହେଲେ ଏବେ ବି ନ୍ୟାୟ ପାଇଁ ସେ ଅପେକ୍ଷା କରିଛନ୍ତି । ଥରେ ଚିନ୍ତା କରନ୍ତୁ… ବୟସର ଅପରାହ୍ନରେ ବାପା ଯେବେ ନ୍ୟାୟ ପାଉନଥିବ ତାଙ୍କ ଉପରେ କି ପ୍ରଭାବ ପଡ଼ିଥିବ । ୧୭ ବର୍ଷର ବ୍ୟବଧାନ ଭିତରେ ଗୋପାଳପୁର ବେଳାଭୂମିରେ ଦୁଇ ଦୁଇଟି ଲଜ୍ଜାଜନକ ଘଟଣା । କିନ୍ତୁ ୨୦୦୮ ମାମଲାରେ ନ୍ୟାୟ ନାହିଁ, ଆଉ ଏବର ଗଣଦୁଷ୍କର୍ମ ମାମଲାରେ ୨୪ ଘଣ୍ଟା ଭିତରେ କ୍ରାଇମବ୍ରାଞ୍ଚ ୧୦ ଜଣଙ୍କୁ ଧରି ତନାଘନା ଚଳାଇଛି । ଅପରାହ୍ନରେ ବ୍ରହ୍ମପୁର ସେଣ୍ଟ୍ରାଲ୍ ଜେଲରେ ହୋଇଥିବା ଟିଆଇ ପରେଡରେ ୬ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି ପୀଡ଼ିତା ଏବଂ ତାଙ୍କ ପୁରୁଷ ବନ୍ଧୁ । ତେଣୁ ଅଧିକ ତଥ୍ୟ ପାଇଁ ପୁଲିସ୍ ଅଭିଯୁକ୍ତମାନଙ୍କୁ ଏବେ ରିମାଣ୍ଡରେ ନେଇପାରେ ।
(ବ୍ରହ୍ମପୁରରୁ ଆଲୋକ ସାହୁଙ୍କ ରିପୋର୍ଟ)