କନକ ବ୍ୟୁରୋ: ଯେତେ କଡ଼ା ଭାଷାରେ ନିନ୍ଦା କଲେ ବି କମ୍ ପଡ଼ିବ । ପୁଣି ମଣିଷ ପାଲଟିଲା ପିଶାଚ । ନର ରାକ୍ଷସଙ୍କ ଯୌନ ଉତ୍ପୀଡ଼ନର ଶିକାର ହେଲେ ଯୁବତୀ । ଜଘନ୍ୟ…ସାଂଘାତିକ…ସମ୍ବେଦନଶୀଳ ଘଟଣା । ମେଡିକାଲ ପରି ସ୍ଥାନରେ ଯେବେ ଗଣଦୁଷ୍କର୍ମ ହେଲା ତାହା କେତେ ସଙ୍ଗିନ ଆପଣମାନେ ଉଣାଅଧିକେ ବୁଝୁଥିବେ । ଗତବର୍ଷ କୋଲକାତାର ଆରଜିଏଚ୍‌ ମେଡିକାଲ କଲେଜରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ କୋଲକାତା ଜଳିଥିଲା । ପୂରା ଦେଶରେ ଏହାକୁ ନେଇ ଆକ୍ରୋଶ ଦେଖାଯିବା ପରେ ପୁଣି ଥରେ ସମାନ ଘଟଣା ଘଟିଛି ପଶ୍ଚିମବଙ୍ଗରେ । 

Advertisment

  • ପୁଣି ବଦନାମ ହେଲା ବଙ୍ଗ
  • ସେହି ମେଡିକାଲ ଛାତ୍ରୀ, ସେହି ଦୁଷ୍କର୍ମ
  • ସେଥର ବଙ୍ଗର ଝିଅ, ଏଥର ଓଡ଼ିଶାର…
  • ଗଣଦୁଷ୍କର୍ମର ଶିକାର ହେଲେ ଡାକ୍ତରୀ ଛାତ୍ରୀ
  • ଆଇସିୟୁ ବେଡ୍‌ରେ ମରଣ ସହ କରୁଛନ୍ତି ସଂଘର୍ଷ

ଆରଜି କର ହସ୍ପିଟାଲ କଥା ମନରୁ ନଲିଭୁଣୁ, ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀ  । ମେଡିକାଲ ଆଇସିୟୁରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା । ଏହାକୁ ନେଇ କଲେଜ କ୍ୟାମ୍ପସରେ ପ୍ରବଳ ଉତ୍ତେଜନା । ସାରା ଦେଶରେ ହଇଚଇ  ସୃଷ୍ଟି ହୋଇଛି । ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାର ଦୁର୍ଗାପୁରରେ ଏଭଳି ଉଦବେଗଜନକ ଘଟଣା ଘଟିଛି । ଘରୋଇ ମେଡିକାଲ କଲେଜରେ ପଢୁଥିଲେ ସମ୍ପୃକ୍ତ ଓଡ଼ିଆ ଛାତ୍ରୀ । MBBS ଦ୍ବିତୀୟ ବର୍ଷର ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ଘର ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ । ପଶ୍ଚିମବଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଘଟଣାକୁ ନେଇ ମେଡିକାଲ କଲେଜ କ୍ୟାମ୍ପସ୍ ସମେତ ଦୁର୍ଗାପୁରରେ ଉତ୍ତେଜନା ପ୍ରକାଶ ପାଇଛି । ଆଉ ଏହାରି ଭିତରେ ଗତକାଲି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍‌ ।

କେମିତି ଘଟିଥିଲା ଏହି ଦୁର୍ଘଟଣା ?

- ଶୁକ୍ରବାର ରାତି ପ୍ରାୟ ୮ଟା ୩୦ ବେଳେ କଲେଜ କ୍ୟାମ୍ପସ ବାହାରକୁ ଯାଇଥିଲେ ଯୁବତୀ
- ଜଣେ ପୁରୁଷ ବନ୍ଧୁଙ୍କ ସହ ଯାଇଥିବା ବେଳେ ପିଛା କରିଥିଲେ କିଛି ଦୁର୍ବୃତ୍ତ  
- କ୍ୟାମ୍ପସ୍ ଗେଟ୍ ନିକଟରେ ତାଙ୍କୁ ନିଛାଟିଆ ଜାଗାକୁ ଟାଣି ନେଇଥିଲେ ଦୁର୍ବୃତ୍ତ
- ଜଙ୍ଗଲିଆ ଜାଗାରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ 
- ପୁରୁଷ ବନ୍ଧୁ ଯୁବତୀଙ୍କୁ ଏକୁଟିଆ ଛାଡ଼ି ଦୌଡ଼ି ପଳାଇଥିବା ଅଭିଯୋଗ
- ଘଟଣାରେ ପୁରୁଷ ବନ୍ଧୁଙ୍କ ସଂପୃକ୍ତିକୁ ନେଇ ଉପୁଜିଛି ସନ୍ଦେହ 
- ପୀଡ଼ିତାଙ୍କ ଠାରୁ ମୋବାଇଲ୍ ଓ ୫ହଜାର ଟଙ୍କା ଛଡ଼ାଇନେଲେ ଦୁର୍ବୃତ୍ତ

  • ଦୁଷ୍କର୍ମ ଘଟଣାକୁ ନେଇ ଅଡ଼ୁଆରେ ଦିଦି
  • ସେବେ ବିଦ୍ରୋହ ହୋଇଥିଲା, ଏବେ ବି ବିଦ୍ରୋହ ହେଲା

ପଶ୍ଚିମବଙ୍ଗରେ ଘଟିଥିବା ଅଘଟଣକୁ ନେଇ ଦିଦିଙ୍କ ଉପରେ ଆଙ୍ଗୁଳି ଉଠିଲାଣି । ମୁଖ୍ୟମନ୍ତ୍ରୀ ନିଜେ ଜଣେ ମହିଳା ହୋଇଥିବାରୁ ବାରମ୍ବାର କାହିଁକି ଏମିତି ଘଟଣା ଘଟୁଛି ତାହାକୁ ନେଇ ନାନାପ୍ରଶ୍ନ ଉଙ୍କି ମାରୁଛି । ଖାଲି ଏତିକି ନୁହେଁ ବରଂ ଦିଦିଙ୍କ ଗଡ଼ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ବୋଲି ବିରୋଧୀ ସିଧାସିଧା କହିଛନ୍ତି । ଏପଟେ, ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡ଼ାଦାୟକ ବୋଲି ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଲେଖିଛନ୍ତି, ’ଏହି ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ । ଏହି ସମ୍ବେଦନଶୀଳ ଘଟଣାରେ, ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦୃଢ଼ ଦାବି ଜଣାଉଛି’ ।