କନକ ବ୍ୟୁରୋ : ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମାହୁତି ପରେ ଏବେ ଗୋଟିଏ ପରେ ଗୋଟିଏ କଲେଜର ଅଧ୍ୟାପକଙ୍କ କଳା କାରନାମା ପଦାକୁ ଆସୁଛି । ଗିରଫ ହୋଇଛନ୍ତି ସମ୍ବଲପୁର ଜିଏମ୍ ବିଶ୍ବବିଦ୍ୟାଳୟ ଏଜୁକେସନ୍ ବିଭାଗ ଅଧ୍ୟାପକ ଗୋପୀକାନ୍ତ ସୁନା । ସମ୍ବଲପୁର ମହିଳା ଥାନାରେ ଜଣେ ବିଏଡ୍ ଦ୍ବିତୀୟ ବର୍ଷ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଗୋପୀକାନ୍ତ ସୁନାଙ୍କୁ ଗିରଫ କରାଯାଇଛି । ସାର୍ ସୁନାଙ୍କୁ ପ୍ରଥମେ ଗିରଫ ଓ ପରେ ନିଲମ୍ବିତ କରାଯାଇଛି । ଛାତ୍ରୀଙ୍କ ଅଭିଯୋଗ, ଅଧ୍ୟାପକ ଗୋପୀକାନ୍ତ ସୁନା ବିବାହ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ପରେ ବାହା ହେବାକୁ ମନା କରିଥିଲେ । ତେବେ ଏନେଇ ମୁହଁ ଖୋଲୁନାହାନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ପୁଲିସ ମଧ୍ୟ ପାଟି ଖୋଲୁନି ।
କେବଳ ଏଫ୍ଏମ୍ କି ଜିଏମ୍ ନୁହେଁ, ଜୟପୁର ସରକାରୀ ଓମେନ୍ସ କଲେଜରେ ମଧ୍ୟ ୨୦୧୯ ମସିହାରେ ସମାନ ଘଟଣା ଘଟିଥିଲା । ଜଣେ ଇଂରାଜୀ ଅଧ୍ୟାପକଙ୍କ କଳା କାରନାମା ବିରୋଧରେ କଲେଜର ୮ ଜଣ ଛାତ୍ରୀ ତତ୍କାଳୀନ ଅଧ୍ୟକ୍ଷାଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଛାତ୍ରୀମାନଙ୍କୁ କ୍ଷମା ମାଗିଥିଲେ ତତ୍କାଳୀନ ଅଧ୍ୟାପକ ବିକାଶ ବେହେରା । ଏବେ ରିଓପନ୍ ହେବ ୬ ବର୍ଷ ତଳର ପୁରୁଣା ଫାଇଲ୍ । ତଦନ୍ତ ପ୍ରକ୍ରିୟା କେତେ ବାଟ ଆଗେଇଛି, ସେନେଇ କଲେଜକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ସେହି କ୍ରମରେ ସେତେବେଳେ ଅଭିଯୋଗ କରିଥିବା ଛାତ୍ରୀ ମାନଙ୍କୁ ଚିଠି ହୋଇଛି ଏବଂ କଲେଜ ପକ୍ଷରୁ ଏକ ଆଭ୍ୟନ୍ତରୀଣ କମିଟି ଗଠନ ହୋଇଛି । ରାଜ୍ୟର ଗୋଟିଏ ପରେ ଗୋଟିଏ କଲେଜରୁ ଆସୁଛି ଅଧ୍ୟାପକଙ୍କ କଳା କାରନାମା । ଯାହାର ଉପଯୁକ୍ତ ତଦନ୍ତ ହେଲେ ସତ ପଦାକୁ ଆସିବ ।