କନକ ବ୍ୟୁରୋ : ଶୁଭମିତ୍ରା ସାହୁ । ସବୁବେଳେ ହସି ବୁଲି ଖୁସି ରୁହନ୍ତି । ହସହସ ମୁହଁ, ରିଲ୍ସ ପରେ ରିଲ୍ସ । କେତବେଳେ ତ୍ରିବେଣି ସଙ୍ଗମ, ତ ପୁଣି କେତେବେଳେ ଲାଉଡ୍ ମ୍ୟୁଜିକ୍ ସହ ଲଙ୍ଗ ଡ୍ରାଇଭରେ ବୁଲିବାକୁ ପସନ୍ଦ କରନ୍ତି । ହେଲେ ହଠାତ୍ ରଖିଲେ ସ୍ୟାଡ୍ ଷ୍ଟୋରି ଷ୍ଟାଟସ । ଶୁଭମିତ୍ରା ଲେଖିଥିଲେ, ମୁଁ ଯାହା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିଲି, ସେ ମୋ ପାଇଁ ଦୁଃଖର କାରଣ ପାଲଟି ଗଲେ । ପଛକୁ ପଛ ପୁଣି ପୋଷ୍ଟ କରିଥିଲେ ଷ୍ଟାଟସ- ପସନ୍ଦ ସମସ୍ତେ କରିପାରନ୍ତି, କିନ୍ତୁ ଏହାକୁ ବରଦାସ୍ତ କରିବା କଷ୍ଟ । ଏସବୁ ପୋଷ୍ଟ ସମସ୍ତେ ଦେଖୁଥିଲେ, କିନ୍ତୁ ହାଲୁକା ଭାବେ ନେଉଥିଲେ । କେବଳ ସେତିକି ନୁହେଁ ମେଡିକାଲ ପ୍ରେସକ୍ରିପସନ୍ରେ ବି କୌଣସି ଏକ ମେଡିସିନ୍ ଯୋଗୁଁ ସମସ୍ୟା ହେଉଥିବା ସ୍ପଷ୍ଟ ଭାବରେ ଲେଖିଛନ୍ତି ଡାକ୍ତର । ସେପଟେ ଝିଅର ମୃତ୍ୟୁ ପଛରେ କେବଳ ଇନସ୍ୟୁରାନ୍ସ ଟଙ୍କା ହଡ଼ପ ନୁହେଁ ବରଂ ଆଉ ଜଣେ ବିଲଡରଙ୍କ ଷଡ଼୍ଯନ୍ତ୍ର ରହିଥିବା କହିଛନ୍ତି ଶୁଭମିତ୍ରାଙ୍କ ବାପା ।
ଅଭିଯୁକ୍ତ ଦୀପକ କୋର୍ଟ ରୁମରେ ପହଞ୍ଚିବା ପରେ, ଓକିଲ ଦେବାକୁ ମନା କରିବାରୁ ସରକାରୀ ଓକିଲ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦୀପକ ସହ ତା ମାଉସୀ ପୁଅ ବିନୋଦ ଭୂୟାଁ ଓ ସହଯୋଗୀ ଶମ୍ଭୁ ମହନ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ହତ୍ୟାକାଣ୍ଡ, ପ୍ରମାଣ ନଷ୍ଟ ଓ ଆପରାଧିକ ଷଡ଼୍ଯନ୍ତ୍ର ଭଳି ସଙ୍ଗିନ ଦଫା ଲଗାଇ ସମସ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ପ୍ରଶ୍ନ ଉଠୁଛି ଯେ, କିଏ ଓ କାହିଁକି ଶୁଭମିତ୍ରାଙ୍କୁ ଦେଉଥିଲା ମେଡିସିନ୍ ? କେଉଁ ମେଡିସିନ୍ ଯୋଗୁଁ ଶୁଭମିତ୍ରାଙ୍କ ସମସ୍ୟା ବଢ଼ିଥିଲା ? କିଏ ଏହି ବିଲଡର ଓ କ’ଣ ତାଙ୍କର ସମ୍ପୃକ୍ତି ?