କନକ ବ୍ୟୁରୋ : ଅସମାହିତ ପ୍ରଶ୍ନ ହେଲେ ଗୋଟିଏ ଉତ୍ତର । ଯାହାକୁ ପଚାରିଲେ କହୁଛନ୍ତି ତଦନ୍ତ ଚାଲିଛି । ସେ କେନ୍ଦ୍ରାପଡ଼ା କାଠିଆପଡ଼ା କଲେଜ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ ହେଉ କିମ୍ୱା ବଳଙ୍ଗାରେ ନାବାଳିକାଙ୍କ ପୋଡ଼ି ହୋଇ ମୃତ୍ୟୁ ଘଟଣା । ସବୁଠି କେବଳ ତଦନ୍ତ ଚାଲିଛି, ହେଲେ ମୃତ୍ୟୁର କାରଣ ଏବେ ବି ରହସ୍ୟ ଘେରରେ । କେନ୍ଦ୍ରାପଡ଼ା ଛାତ୍ରୀଙ୍କର ଘର ଭିତରେ ମୃତ୍ୟୁ ଘଟଣାରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରାଗଲା । ହେଲେ ଛାତ୍ରୀଙ୍କ ଦେହରେ ନିଆଁ କେମିତି ଲାଗିଲା, ଆଉ ମାତ୍ର ୩୦ ପ୍ରତିଶତ ପୋଡ଼ି ହୋଇ ତାଙ୍କର କେମିତି ମୃତ୍ୟୁ ହେଲା । ଏ ପ୍ରଶ୍ନର ଉତ୍ତର ଦେବାକୁ କେନ୍ଦ୍ରାପଡ଼ା ପୁଲିସ କୁନ୍ଥକୁନ୍ଥ ।
ସେହିପରି ବଳଙ୍ଗା ଘଟଣାରେ ବି ସମାନ ଅବସ୍ଥା । ପୀଡିତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ହେଲା, ତାଙ୍କ ଦେହରେ ତିନିଜଣ ନିଆଁ ଲଗାଇ ପୋଡ଼ି ଦେଇଥିବା କଥା ଏଫ୍ଆଇଆର୍ରେ ଉଲ୍ଲେଖ ଥିଲା । ତଦନ୍ତ କେତେ ବାଟ ଗଲା, ସେ କଥା ପୁଲିସକୁ ଜଣା । ଏହାରି ଭିତରେ ଏସ୍ପି ବି ବଦଳିଗଲେ, ହେଲେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଗଲା ।
ନାବାଳିକା ଓ ଛାତ୍ରୀଙ୍କ ମୃତ୍ୟୁକୁ ସରକାର ଅତି ସମ୍ୱେଦନଶୀଳ ଘଟଣା ଭାବେ ନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଉଛନ୍ତି । ଏସ୍ପି ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରୁଛନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ତଦନ୍ତ ସରିଥିଲେ ବି ରିପୋର୍ଟ ନଦେବାକୁ ନିନ୍ଦା କରାଯାଉଛି । ଏପରିକି ତଦନ୍ତରେ ବିଳମ୍ୱ ଯୋଗୁଁ, ନିର୍ଦ୍ଧାରିତ ସମୟ ଭିତରେ ଚାର୍ଜସିଟ ଦାଖଲ ନକଲେ ମାମଲାଟି ଦୁର୍ବଳ ହେବାର ସମ୍ଭାବନା ରହିଛି ।
ଖୋର୍ଦ୍ଧା, ଜଙ୍କିଆ ଥାନା ଛଣଗିରିରେ ଦିନ ଦ୍ୱିପ୍ରହରରେ ବୋମାମାଡ଼ ସହ ଗୁଳି ଫୁଟାଇ ଆତଙ୍କ ଖେଳାଇଲେ ଅପରାଧୀ । ସ୍ପଷ୍ଟ ଦିବାଲୋକରେ ସୁନା ଦୋକାନରୁ ୧୧କେଜି ସୁନା ଅଳଙ୍କାର, ୫୦୦ ଗ୍ରାମରୁ ଉର୍ଦ୍ଧ୍ୱ ରୂପା ଅଳଙ୍କାର ସମେତ ନଗଦ ୧ ଲକ୍ଷ ଟଙ୍କା ଲୁଟିନେଲେ । ଏସବୁ ଦେଖିଲେ ଲାଗୁଛି ଯେମିତି ରାଜ୍ୟରେ ଆଇନ ଶୃଙ୍ଖଳା ଭୁଷୁଡ଼ି ପଡିଛି । ଆଉ ଛକ ବଜାରରେ କେବଳ ଗୋଟିଏ ଚର୍ଚ୍ଚା ଆମ ରାଜ୍ୟରେ ଚାଲିଛି କଣ ?