କନକ ବ୍ୟୁରୋ : ବଜାରରେ ଫୁଟିଲା ଗୁଳି । ଗୁଳିମାଡ଼ରେ ଯୁବକ ଗୁରୁତର । ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ବାଇଗଣବାଡ଼ିଆ ଛକରେ ଘଟିଛି ଏହି ଗୁଳିକାଣ୍ଡ । ଆହତ ଯୁବକ ହେଲେ କୁଳିଅଣା ବ୍ଲକ କାମତା ଅଞ୍ଚଳର ଶିବାନନ୍ଦ ବାରିକ । ଶିବାନନ୍ଦ କୁଳିଅଣାରେ ଥିବା ବିଦେଶୀ ମଦ ଦୋକାନରେ କାମ କରନ୍ତି ।

Advertisment

ଗତକାଲିର ବିକ୍ରି ଟଙ୍କା ଧରି ବାରିପଦା ଆସୁଥିବା ବେଳେ ୪ଜଣ ଦୁର୍ବୃତ୍ତ ବାଇକରେ ଆସି ଯୁବକଙ୍କ ଠାରୁ ଟଙ୍କା ଲୁଟ୍ କରିବାକୁ ଉଦ୍ୟମ କରିଥିଲେ । ତେବେ ଲୁଟ୍ ଉଦ୍ୟମ ବିଫଳ ହେବାରୁ ଗୁଳି ଫୁଟାଇଥିଲେ ଦୁର୍ବୃତ୍ତ । ଗୋଟିଏ ଗୁଳି ଶିବାନନ୍ଦଙ୍କ କାନରେ ବାଜି ଚାଲି ଯାଇଥିବା ବେଳେ ଆଉ ଗୋଟିଏ ଗୁଳି ତାଙ୍କ ଜଙ୍ଘରେ ବାଜିଛି । ଘଟଣାସ୍ଥଳରେ ଲୋକ ଜମା ହେବା ବେଳକୁ ଦୃର୍ବୁତ୍ତ ସେଠାରୁ ଫେରାଇ ହୋଇ ଯାଇଥିଲେ ।

ତେବେ ଦୃର୍ବୁତ୍ତ ବଙ୍ଗଳା ଓଡ଼ିଆ ମିଶାମିଶି ଭାଷା କହିଥିବାରୁ ସେମାନେ ପଶ୍ଚିମବଙ୍ଗ ସୀମାନ୍ତର ଆନ୍ତଃରାଜ୍ୟ ଲୁଟେରା ହୋଇଥିବାର ସନ୍ଦେହ ହେଉଛି । ଘଟଣାସ୍ଥଳରେ ପାଞ୍ଚଟି ଖୋକା ପଡ଼ିଥିବା ବେଳେ କୁଳିଅଣା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଆହତ ଯୁବକଙ୍କୁ ବାରିପଦା ପିଆରଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଉଛି ।