କନକ ବ୍ୟୁରୋ : ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲା ପୂରା ଦେଶକୁ ଦୋହଲାଇ ଦେଇଛି । ଯାହାର କାରଣ ହେଉଛି ୧୭ ଦିନ ପରେ ରାଜାଙ୍କ ପତ୍ନୀ ସୋନମ ରଘୁବଂଶୀଙ୍କର ହଠାତ୍ ମିଳିଯିବା, ତାହା ପୁଣି ମେଘାଳୟର ସିଲଙ୍ଗରୁ ୧୧୬୨ କିଲୋମିଟର ଦୂର ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଲାରୁ  । ସୋନମଙ୍କ ଉପରେ ସ୍ୱାମୀ ରାଜାଙ୍କୁ ହତ୍ୟା କରିବାର ଅଭିଯୋଗ ଲାଗିଛି । ପ୍ରେମିକଙ୍କ ସହ ମିଶି ସୁପାରି କିଲରର ସାହାଯ୍ୟ ନେଇ ସ୍ବାମୀଙ୍କୁ ହତ୍ୟା କରିଛନ୍ତି ସୋନମ । ବର୍ତ୍ତମାନ ଗାଜିପୁର ପୁଲିସର ହେପାଜତରେ ଥିବା ସୋନମଙ୍କୁ ତାଙ୍କ ଭାଇ ଭେଟିବାକୁ ଆସିଥିଲେ । ଗଣମାଧ୍ୟମ ସହ କଥାବାର୍ତ୍ତା ହୋଇ ଗୋବିନ୍ଦ ରଘୁବଂଶୀ କହିଥିଲେ ଯେ ସେ ରାଜାଙ୍କ ପରିବାର ସହ କଥାବାର୍ତ୍ତା କରିଛନ୍ତି । ଗୋବିନ୍ଦ କହିଛନ୍ତି , ‘ସୋନମ ଯଦି ଭୁଲ କରିଛି ତାହେଲେ ତାକୁ ଫାଶୀ ଦଣ୍ଡ ମିଳିବା ନିହାତି ଦରକାର । ମୁଁ କେବଳ ଥରେ ମୋ ଭଉଣୀ ସହ କଥା ହେବାକୁ ଚାହୁଛି , ଯଦି ସେ ଦୋଷ ସ୍ୱୀକାର କରିନିଏ ତେବେ ଆଉ କେବେ ବି ମୁଁ ତା’ର ମୁହଁ ଦେଖିବି ନାହିଁ ।’ 

Advertisment
 sonam_raghuwanshi_new
sonam_raghuwanshi_new Photograph: (google)

ସୂଚନା ଅନୁସାରେ , ରବିବାର ରାତିରେ ସୋନମ ଗାଜିପୁରର ନନ୍ଦଗଞ୍ଜ ଥାନା ଅଞ୍ଚଳରେ ଥିବା ଏକ ଢାବାରେ ପହଞ୍ଚିଥିଲେ ଏବଂ ସେଠାରେ ଢ଼ାବା ମାଲିକଙ୍କ ଫୋନରୁ ଭାଇ ଗୋବିନ୍ଦଙ୍କ ପାଖକୁ ଫୋନ୍ କରିଥିଲେ । ଗୋବିନ୍ଦଙ୍କ ସହ କଥା ହେଉ ହେଉ ସୋନମ ଜୋରରେ କାନ୍ଦୁଥିବା ଦେଖି ଢ଼ାବା ମାଲିକ ଅସୁବିଧା ପଚାରି ବୁଝିଥିଲେ । ସୋନମ ସିଲଙ୍ଗରେ ଲୁଟ୍ ହୋଇଥିବା କାହାଣୀ କହି ଢ଼ାବା ମାଲିକଙ୍କୁ ଭୂଆଁ ବୁଲାଇଥିଲେ । ଲୁଟେରା କେମିତି ତାଙ୍କ ସ୍ବାମୀଙ୍କୁ ଆଖି ଆଗରେ ମାରି ଗହଣା ଲୁଟି ନେଇଥିଲେ ଏବଂ ତାଙ୍କୁ ଅପହରଣ କରି ଗାଜିପୁରରେ ଛାଡ଼ିଥିଲେ ପୂରା କାହାଣୀ ଢ଼ାବା ମାଲିକଙ୍କ ଆଗରେ କାନ୍ଦି କାନ୍ଦି ଶୁଣାଇଥିଲେ ସୋନମ । ପୂରା ଘଟଣା ଜାଣିବା ପରେ ପୁଲିସକୁ ଫୋନ୍ କରି ଜଣାଇଥିଲେ ଢ଼ାବା ମାଲିକ । ମେଘାଳୟରେ ହତ୍ୟାକାଣ୍ଡ , ଗାଜିପୁରରେ ମିଳିଲେ ସୋନମ ଆଉ ମଧ୍ୟପ୍ରଦେଶର ବାସିନ୍ଦା ହୋଇଥିବାରୁ ୩ ଟି ରାଜ୍ୟର ପୁଲିସ ଏହି କେସ୍ ସହ ଜଡ଼ିତ ହୋଇଗଲେ । ତେବେ ଏହି ମାମଲାରେ ବର୍ତ୍ତମାନ ସୋନମଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ପୁଲିସ ।