କନକ ବ୍ୟୁରୋ : ସମାଜ କ’ଣ କହିବ ? ପଡ଼ୋଶୀ କ’ଣ କହିବେ ? ସମାଜରେ ମୁଣ୍ଡ ଟେକି ଚାଲିପାରିବା ତ ? ସମାଜ , ସମାଜ ଆଉ ସମାଜ । ଏ ସମାଜର ଚକ୍କରରେ କେତେ ଯେ ପ୍ରତିଭାଙ୍କ ତଣ୍ଟି ଚିପି ଦିଆଯାଏ , କେତେ ଯେ ସନ୍ତାନ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନିଅନ୍ତି ତାହା ସମସ୍ତେ ଜାଣନ୍ତି । ତଥାପି ଆମେ ସମାଜର କଥା , ଟାହିଟାପରାକୁ ଜାବୁଡ଼ି ଧରିଛୁ । ଯେମିତି ଜାବୁଡ଼ି ଧରିଥିଲେ ଟେନିସ୍ ଖେଳାଳି ରାଧିକା ଯାଦବଙ୍କ ବାପା । ହରିୟାଣାର ଜଣେ ପ୍ରତିଭାବାନ ଝିଅ ଯିଏ ନିଜ ବାପାଙ୍କ ହାତରୁ ଗୁଳି ଖାଇ ଆଖି ବୁଜିଥିଲେ । ୪ ରାଉଣ୍ଡ୍ ଗୁଳିରେ ଜିତି ଯାଇଥିଲା ସମାଜ ଆଉ ହାରି ଯାଇଥିଲା ବାପା-ଝିଅଙ୍କ ମଧ୍ୟରେ ଥିବା ସ୍ନେହ । ତେବେ ଏହି ଘଟଣା ପରେ ମୃତ ରାଧିକାଙ୍କ ସାଙ୍ଗ ହିମାଂଶିକା ଏବେ ଭିଡିଓ ଜାରି କରି କହିଛନ୍ତି ଯେ ୩ ଦିନ ପୂର୍ବରୁ ହିଁ ହତ୍ୟାକାଣ୍ଡର ପ୍ଲାନିଙ୍ଗ୍ କରାଯାଇଥିଲା । ଏହି କାରଣରୁ ରାଧିକାର ଭାଇ ଏବଂ କୁକୁରକୁ ବାପା ଘରଠୁ ଦୂରରେ ରଖୁଥିଲେ । ରାଧିକାଙ୍କ ବାପା ଆଖପାଖର ଲୋକଙ୍କ କଥା ଶୁଣି ନିଜ ଝିଅକୁ ଜୀବନରୁ ମାରିବାକୁ ମଧ୍ୟ ପଛାଇଲେ ନାହିଁ । ଲଜ୍ଜାକର କଥା ହେଉଛି ତଥାକଥିତ ସମାଜ ଝିଅକୁ ଦେହ ବ୍ୟବସାୟରେ ଲଗାଇବା ପାଇଁ ବାପାଙ୍କୁ ଉସୁକାଉଥିଲା ।
/filters:format(webp)/kanak/media/media_files/2025/07/13/tennis-player-radhika-2025-07-13-16-51-33.jpg)
ରାଧିକାଙ୍କ ସାଙ୍ଗ କହିଛନ୍ତି ଯେ ଝିଅର ସଫଳତାକୁ ନେଇ ବାପା ଈର୍ଷାନ୍ୱିତ ହୋଇଯାଇଥିଲେ । ଆଖପାଖର ଲୋକ ରାଧିକାଙ୍କ ମେକଅପ୍ କରିବା , ମିନି ଡ୍ରେସ୍ ପିନ୍ଧିବା , ଝିଅର ଟଙ୍କାରେ ଚଳିବା ସହ ଦେହ ବ୍ୟବସାୟରେ ଲଗାଇବାକୁ ବାପାଙ୍କୁ ଟାହିଟାପରା କରି କହୁଥିଲେ । ଏମିତିକି ଝିଅର ରିଲ୍ସ କରିବାକୁ ନେଇ ମଧ୍ୟ ଅନେକ କଥା କହୁଥିଲେ । ହିମାଂଶିକାଙ୍କ କହିବାନୁସାରେ ‘ରାଧିକା ଆକାଉଣ୍ଟରେ କେବଳ ୬୮ ଜଣ ଲୋକ ଥିଲେ ଏବଂ ସେ ବହୁ ଭଲ ସ୍ବଭାବର ଝିଅ ଥିଲା । କିନ୍ତୁ ୧୦ ଦିନ ହେଲା ସେ ବହୁତ ଅସୁବିଧାରେ ଥିଲା । ଏମିତିକି ବାପାଙ୍କ ଇଚ୍ଛା ମୁତାବକ କାମ କରିବାକୁ ରାଜି ଥିଲେ ବି ସବୁକିଛି ସାରିଦେଲା ୪ ରାଉଣ୍ଡ୍ ଗୁଳି ।’