କନକ ବ୍ୟୁରୋ : ସ୍ପାଏ କ୍ୟାମେରା ସଂଯୁକ୍ତ ଚଷମା ଏବେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଜି ପୁଣି ଚଷମାରେ ସ୍ପାଏ କ୍ୟାମେରା ଲଗାଇ ବଡଦେଉଳକୁ ପଶିଛନ୍ତି ଭକ୍ତ । ପୁଲିସ କୋଲକାତାର ଜଣେ ବ୍ୟକ୍ତିଙ୍କୁ ଅଟର ରଖି ପଚରାଉଚରା କରିଛି । ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଏସଓପି ଜାରି କରାଯିବ ବୋଲି ପୁରୀ ଏସ୍‌ପି କହିଛନ୍ତି ।

Advertisment

ପୁଣି ଜବତ ହେଲା ସ୍ପାଏ କ୍ୟାମେରା । ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ଆଜି ଶ୍ରୀ ମନ୍ଦିର ଭିତରେ ସ୍ପାଏ କ୍ୟାମେରା ସଂଯୁକ୍ତ ଚଷମା ନେଇ ପୋଲିସ ହାତରେ ଧରାପଡ଼ିଛନ୍ତି । ସିଂହଦ୍ଵାର ଥାନା ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହିତ ସ୍ପାଏ କ୍ୟାମେରା ଜବତ କରିଛି । ଏହା ଏକ ରେକର୍ଡିଂ ଡିଭାଇସ୍ ବୋଲି ଚିହ୍ନଟ କରିଛି ପୋଲିସ୍ । କଲିକତାର ଅରୂପ ରୟ ଏହି ସ୍ପାଏ କ୍ୟାମେରା ଧରି ମନ୍ଦିର ଭିତରେ ପଶିଥିଲେ । ଗତକାଲିଠାରୁ କୋଲକାତାରୁ ଆସି ଏକ ହୋଟେଲରେ ରହୁଥିଲେ ଅରୂପ । ଶ୍ରୀମନ୍ଦିର ଭିତରେ କ୍ୟାମେରା ଯୁକ୍ତ ଚଷମା ନେଇ ଭିତରେ ପଶିଥିବା ସମୟରେ ଧରିଥିଲେ JTP । ଶ୍ରୀମନ୍ଦିର ଆଇନ୍ ସେକ୍ସନ ୩୦ ଅନୁସାରେ ତାଙ୍କ ବିରୋଧରେ ଆକ୍ସନ ନେବ ପୋଲିସ୍ ।

ଶ୍ରୀମନ୍ଦିର ଚାରି ଦ୍ଵାରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ବଜାରରେ ବିକ୍ରି ହେଉଥିବା ଅତ୍ୟାଧୁନିକ ସ୍ପାଏ କ୍ୟାମେରା ନେଇ ଅନେକ ବ୍ୟକ୍ତି ଶ୍ରୀମନ୍ଦିର ଭିତରକୁ ଯାଉଛନ୍ତି । ପୋଲିସ ଘଟଣାକୁ ଗୁରୁତର ସହ ନେଇଛି । ପୁରୀ ଏସପି କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ଖୁବଶୀଘ୍ର ମାର୍ଗଦର୍ଶିକା ଅଣାଯିବ । ପୁଲିସ ବିଭାଗ ସହିତ ଆଲୋଚନା କରାଯାଇ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା କରାଯିବ । ଭକ୍ତ ଜଣଙ୍କ ଶ୍ରୀମନ୍ଦିର ଭିତର ଦୃଶ୍ୟ ରେକର୍ଡିଂ ପାଇଁ କ୍ୟାମେରା ରଖିଥିଲେ ବୋଲି ପ୍ରାରମ୍ଭିକ ପଚରାଉଚରାରେ ଜଣାପଡ଼ିଛି । ତେବେ ପ୍ରକୃତରେ ସେ ଫଟୋ ଭିଡ଼ିଓ ଉତ୍ତୋଳନ କରିଥିଲେ ନା ନାହିଁ ସେନେଇ ଚାଲିଛି ତନାଘନା ।

ଜୁଲାଇ ୩୦ରେ ଅଭିଷେକ କର, ଅଗଷ୍ଟ ୪ରେ ଗୁଜରାଟର ବିପୁଲ ପଟେଲ ଓ ଅଗଷ୍ଟ ୮ରେ ପ୍ରୀତିଶ ପାଲ ସ୍ପାଏ କ୍ୟାମେରା ଧରି ଶ୍ରୀମନ୍ଦିରରେ ପଶିଥିଲେ । ପ୍ରଶ୍ନ ଉଠୁଛି, ଶ୍ରୀମନ୍ଦିର ସୁରକ୍ଷାରେ କାହିଁକି ବାରମ୍ବାର ତ୍ରୁଟି ହେଉଛି ? ଅତ୍ୟାଧୁନିକ କ୍ୟାମେରା ଧରିବାକୁ ଜେଟିପିକୁ ପ୍ରଶିକ୍ଷଣ ଦିଆଯାଉନି କି ?