କନକ ବ୍ୟୁରୋ: ଦୁର୍ନୀତି ଏତେ ବଢ଼ିଗଲାଣି ଯେ ଛୋଟଛୋଟ ଶିଶୁଙ୍କ ଜୀବନକୁ ବି ସଙ୍କଟରେ ପକାଇବାକୁ ପଛାଉନାହାନ୍ତି ଦୁର୍ନୀତିଖୋର ନେତାଠୁ ଅଫିସର । ସେଥିପାଇଁ ତ ଉଦ୍ଘାଟନର ମାତ୍ର ତିନି ମାସ ଭିତରେ ଶିଶୁଭବନ ୭ ମହଲା କୋଠା କାନ୍ଥରୁ ଟାଇଲ୍ ଖସିପଡ଼ୁଛି । କାନ୍ଥରେ ହାତ ମାରିଲେ ଏହି ଟାଇଲଗୁଡ଼ିକ ଖସିପଡ଼ୁଥିବାରୁ ଶିଶୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ଗଲା ମାସରେ ପାରାପିଟ ଗୁଡ଼ିକ ବର୍ଷାରେ ଭାଙ୍ଗିବା ପରେ ଏବେ ଟାଇଲ୍ ଖସିବା ଆରମ୍ଭ କରିଛି । ଟାଇଲଗୁଡ଼ିକ ଠିକ୍ ଢଙ୍ଗରେ ଲଗାଯାଇନଥିବାରୁ ଏଗୁଡ଼ିକ ଖସି ପଡୁଛି । ଏଥିପାଇଁ ଶିଶୁଭବନ କର୍ତ୍ତୃପକ୍ଷ ଦୁର୍ବଳ ଟାଇଲ୍ ଗୁଡ଼ିକ ଭାଙ୍ଗି ସାନି କାମ କରିବାକୁ ଆରଆଣ୍ଡବିକୁ ଚିଠି ଲେଖିବା ପରେ ସାନି କାମ ଆରମ୍ଭ ହୋଇଛି । ତେବେ ଟାଇଲ୍ ଲଗାଇବା ପଛରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ସନ୍ଦେହ କରାଯାଉଛି । ପୁଣି ଥରେ ଟାଇଲ୍ କାମ ହେଲେ ରାଜ୍ୟ ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବାକୁ ଯାଉଥିବାରୁ ଦୁର୍ନୀତି ଦିଗକୁ ତଦନ୍ତ ପରିସରଭୁକ୍ତ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।
ଶିଶୁଭବନରେ ସାତ ମହଲା କୋଠା ଦୀର୍ଘ ୯ ବର୍ଷ ପରେ ଗଲା ଏପ୍ରିଲ ୧୧ ତାରିଖରେ ଉଦ୍ଘାଟିତ ହୋଇଥିଲା । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ଦ୍ବାରା ଉଦଘାଟିତ ହୋଇଥିବା ଏହି କୋଠା ଦାୟିତ୍ବ ବ୍ରିଜ ଆଣ୍ଡ ରୁଫ୍(କୋ) ଇଣ୍ଡିଆ ଲିମିଟେଡ୍ ସଂସ୍ଥା ନେଇଥିଲା । ମୋଟ ୧୧୬, ୯୨ କୋଟି ବ୍ୟୟରେ ନିର୍ମିତ ଏହି କୋଠାରେ ପ୍ରଥମ ଅଘଟଣ ଜୁନ ୨୫ ତାରିଖରେ ଘଟିଥିଲା । ୭ ମହଲା ବିଶିଷ୍ଟ ଏହି କୋଠାର ପାରାପିଟ ପ୍ରବଳ ବର୍ଷା ଯୋଗୁ ଭାଙ୍ଗି ତଳେ ପଡ଼ିଥିଲା । ଏହି ଅଘଟଣ ପରେ ୨୬ ତାରିଖରେ ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରଭାକର ମିଶ୍ର କୋଠାରେ ଅନ୍ୟ କେଉଁଠାରେ ଦୁର୍ବଳ ସ୍ଥିତି ରହିଛି, ଏହାର ଅନୁଧ୍ୟାନ କରିବାକୁ ଦାୟିତ୍ଵରେ ଥିବା ଆରଆଣ୍ଡବିକୁ ଚିଠି ଲେଖିଥିଲେ । ଏହି ଚିଠି ଆଧାରରେ ଏବେ ଶିଶୁଭବନର ଚତୁର୍ଥ, ପଞ୍ଚମ ଓ ଷଷ୍ଠ ମହଲାରେ କାନ୍ଥରେ ଲାଗିଥିବା ଟାଇଲଗୁଡ଼ିକ ଦୁର୍ବଳ ଥିବା ଅନୁଧ୍ୟାନ ସମୟରେ ଜଣାପଡ଼ିଛି ।
ଚତୁର୍ଥ ମହଲାରେ ତିନୋଟି ମଡ୍ୟୁଲାର ଓଟି, ୨୫ ବେଡ ବିଶିଷ୍ଟ ସର୍ଜର ୱାର୍ଡ ଥିବା ବେଳେ ପଞ୍ଚମ ମହଲାରେ ପ୍ରଶାସନିକ ଦପ୍ତର ରହିଛି । ସେହିଭଳି ଷଷ୍ଠ ମହଲାରେ ଏକାଡେମିକ୍ ବ୍ଲକ୍ ରହିଛି । ଏହି ବ୍ଲକ୍ରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ପଢ଼ାଯାଉଛି । ଆରଆଣ୍ଡବି ପକ୍ଷରୁ ଏହି ଦୁର୍ବଳ ଟାଇଲଗୁଡ଼ିକ ଚିହ୍ନଟ ପରେ ସେଗୁଡ଼ିକ ଭାଙ୍ଗିବା ଆରମ୍ଭ ହୋଇଛି । ମରାମତି ଆରମ୍ଭ ହୋଇଥିବା ବେଳେ ତଳ ମହଲାରୁ ତୃତୀୟ ମହଲା ଯାଏ ଲାଗିଥିବା ଟାଇଲଗୁଡ଼ିକ ମଧ୍ୟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ସେଗୁଡ଼ିକ ଦୁର୍ବଳ ଥିଲେ ଭଙ୍ଗାଯିବାକୁ ନିଷ୍ପତ୍ତି ନିଆଯିବ ବୋଲି ଶିଶୁଭବନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ଉଦଘାଟନର ମାତ୍ର ତିନି ମାସ ଭିତରେ ଏଭଳି ବାରମ୍ବାର ଅଘଟଣ ଘଟୁଥିବାରୁ ନିମ୍ନ ମାନର ନିର୍ମାଣ କାମକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ବଡ଼ ଧରଣର ଦୁର୍ନୀତି ସାମନାକୁ ଆସିପାରିବ ବୋଲି କୁହାଯାଉଛି ।