କନକ ବ୍ୟୁରୋ: ଆତଙ୍କବାଦ ବିରୋଧୀ ଲଢ଼େଇରେ ବଢ଼ିଲା ଭାରତର ବଳ । ମିଳିତ ଜାତିସଂଘ ଜାରି କଲା ପହଲଗାମ ଆତଙ୍କୀ ଆକ୍ରମଣରେ ପାକିସ୍ତାନ ହାତ ଥିବା ନେଇ ପ୍ରମାଣ । ଅନ୍ୟପଟେ ଆଜି ରାଜ୍ୟସଭାରେ ପୁଣି ଶତ୍ରୁଦେଶକୁ କଡ଼ା ଚେତାବନୀ ଦେଇ ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଆତଙ୍କବାଦକୁ ସମର୍ଥନ ଜାରି ରଖିଲେ ଶୋଷରେ ମରିବ ପାକିସ୍ତାନ । ଉଠିବନି ସିନ୍ଧୁଜଳ ଚୁକ୍ତି ଉପରୁ କଟକଣା । 

Advertisment

ଆତଙ୍କବାଦ ବିରୋଧୀ ଲଢ଼େଇରେ ବଢ଼ିଲା ଭାରତର ବଳ
ମିଳିତ ଜାତିସଂଘରେ ଖୋଲିଲା ପାକିସ୍ତାନର ପୋଲ୍‌
ପହଲଗାମ ଆକ୍ରମଣ ପଛରେ ପାକିସ୍ତାନର ଟିଆର୍‌ଏଫ୍‌

ପହଲଗାମ ଆତଙ୍କୀବାଦୀ ଆକ୍ରମଣରେ ପାକିସ୍ତାନୀ ଆତଙ୍କୀ ସଂଗଠନ ଲସ୍କର ଏ ତୋଇବା ଓ ଏହା ସମର୍ଥିତ ଟିଆର୍‌ଏଫ୍‌ର ହାତ ଥିବା ନେଇ ସଂସଦରେ ସରକାର ପ୍ରମାଣ ରଖିସାରିଛନ୍ତି । ଏବେ ମିଳିତ ଜାତିସଂଘ ମଧ୍ୟ ସମାନ କଥା ମାନିଛି । ଜାତିସଂଘ ସୁରକ୍ଷା ପରିଷଦ ପ୍ରତିବନ୍ଧକ ନିରୀକ୍ଷଣ ରିପୋର୍ଟ ଅନୁସାରେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ ଦୁଇଥର ଦାୟିତ୍ୱ ନେଇଥିଲା । ଜମ୍ମୁ ଓ କାଶ୍ମୀରର ପହଲଗାମରେ ଥିବା ପର୍ଯ୍ୟଟନସ୍ଥଳୀ ଉପରେ ପାଞ୍ଚ ଜଣ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଟିଆର୍‌ଏଫ୍‌ ସେହି ଦିନ ଆକ୍ରମଣର ଦାୟିତ୍ୱ ନେଇଥିଲା । ସେହି ସ୍ଥାନର ଏକ ଫଟୋ ମଧ୍ୟ ସେୟାର କରିଥିଲା ଲସ୍କରର ସାହାଯ୍ୟ ବିନା ଆକ୍ରମଣ ସମ୍ଭବ ନଥିଲା ଇସଲାମିକ୍ ଷ୍ଟେଟ୍, ଅଲ୍-କାଏଦା ଏବଂ ସେମାନଙ୍କ ସହ ଜଡ଼ିତ ସଂଗଠନଗୁଡ଼ିକ ଉପରେ ଆନାଲିଟିକାଲ୍ ସପୋର୍ଟ ଆଣ୍ଡ୍ ସ୍ୟାକ୍ସନ୍ସ ନିରୀକ୍ଷଣ ଦଳଙ୍କ ୩୬ତମ ରିପୋର୍ଟ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଉପସ୍ଥାପନ କରାଯାଇଛି । 

ସେପଟେ ବୁଧବାର ମଧ୍ୟ ରାଜ୍ୟସଭାରେ ପହଲଗାମ ଆତଙ୍କୀ ଆକ୍ରମଣ ସମ୍ବନ୍ଧରେ ଚର୍ଚ୍ଚା କରାଯାଇଛି ।ଏହି ସମୟରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ଭାରତୀୟ ବୈଦେଶିକମନ୍ତ୍ରୀ ଏସ୍‌ ଜୟଶଙ୍କର । ସିନ୍ଧୁଜଳ ଚୁକ୍ତି ପ୍ରସଙ୍ଗ ଉଠାଇ ଜୟଶଙ୍କର ପୁଣି ଥରେ ସମାନ କଥା ଦୋହରାଇଛନ୍ତି ଯେ ଆତଙ୍କବାଦକୁ ସମର୍ଥନ ବନ୍ଦ ନକଲେ ଶୋଷରେ ମରିବ ପାକିସ୍ତାନ । ଗତ ଦୁଇ ଦିନ ଧରି ଉଭୟ ରାଜ୍ୟସଭା ଓ ଲୋକସଭାରେ ଅପରେସନ ସିନ୍ଦୂର, ଅପରେସନ ମହାଦେବକୁ ନେଇ ସରକାର ବିସ୍ତୃତ ତଥ୍ୟ ରଖିଥିଲେ । ଯାହାକୁ ବିରୋଧୀ ସମ୍ପୂର୍ଣ୍ଣ ବିଶ୍ବାସ ନକରି ବାରମ୍ବାର ପ୍ରଶ୍ନ ଉଠାଇଥିଲେ । ଅନ୍ୟପଟେ ଆତଙ୍କବାଦ ବିରୋଧୀ ଲଢ଼େଇକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ରିପୋର୍ଟ ଅଧିକ ମଜଭୁତ ଓ ପ୍ରଭାବଶାଳୀ କରିବ ବୋଲି ଭାରତ ଆଶା ରଖିଛି ।