କନକ ବ୍ୟୁରୋ: କାହାକୁ ପୁଲିସରେ ତ କାହାକୁ ବ୍ୟାଙ୍କ୍ରେ । ପୁଣି କାହାକୁ ରେଲ୍ୱେ ତ କାହାକୁ ଲୋକସେବା ଭବନରେ ଏଏସ୍ଓ ଚାକିରି କରାଇଦେବାକୁ କହୁଥିଲେ । ପୁଲିସ ପୋଷାକ ସାଙ୍ଗକୁ ସରକାରୀ ଛାପା ବାଜିଥିବା ପରିଚୟପତ୍ର । ବଡ଼ ବଡ଼ ଅଧିକାରୀଙ୍କ ସହ ଫଟୋ ଦେଖାଇ ଲୋକଙ୍କ ବିଶ୍ବାସ ଭାଜନ ହେଉଥିଲେ । ଫଳରେ ପୁଲିସ ଚେହେରା ତଳେ ଲୁଚିରହିଥିବା ଅପରାଧୀ ମୁଖାକୁ ଚିହ୍ନିବା କାଠିକର ପାଠ ହୋଇପଡ଼ିଥିଲା । ଗତ ୩ବର୍ଷ ଧରି ରାଜଧାନୀରୁ ସାରା ରାଜ୍ୟରେ ଠକେଇ ଜାଲ ବିଛାଇ ୪କୋଟିରୁ ଅଧିକ ଟଙ୍କା ଚଳୁ କରିଥିଲେ । ଠକେଇ ଟଙ୍କାରେ ଦାମୀ ଗାଡ଼ି ସାଙ୍ଗକୁ ହେଟେଲ୍ରେ ଅୟସ କରୁଥିଲେ । ଏଭଳି ଏକ ରାକେଟ୍ର ପର୍ଦ୍ଦାଫାସ କରିଛି ଏୟାରପୋର୍ଟ ଥାନା ପୁଲିସ । ଏହି ରୢାକେ୍ଟରେ ସମ୍ପୃକ୍ତ ଥିବା ୨ଜଣ କନେଷ୍ଟବଳ, ଜଣେ ଗୃହରକ୍ଷୀ ସମେତ ୬ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ସପ୍ତମ ବାଟାଲିୟନ୍ର କନେଷ୍ଟବଳ ତଥା ରାକେଟ୍ର ମାଷ୍ଟର୍ମାଇଣ୍ଡ ଯାଜପୁରଜିଲ୍ଲା ଟାଉନ୍ ଥାନା ସପନପୁର ଅଞ୍ଚଳର ପତିତପାବନ ପତି, ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର କନେଷ୍ଟବଳ ଅମିତାବଚନ ସାହୁ ଓ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର ଗୃହରକ୍ଷୀ ପୁରୁଷୋତ୍ତମ ସାହୁ । ସହଯୋଗୀ କଟକ ନିଆଳି ଅଞ୍ଚଳର ଚାଳକ ପ୍ରମୋଦ ମଲ୍ଲିକ, ବାଙ୍କି ଅଞ୍ଚଳର ଅମିୟ କୁମାର ମନ୍ତ୍ରୀ ଓ ଖଣ୍ଡଗିରି ଅଞ୍ଚଳର ପବିତ୍ର ମୋହନ ବେହେରା । ପୁଲିସ ସେମାନଙ୍କ ନିକଟରୁ ନଗଦ ୪ଲକ୍ଷ ଟଙ୍କା,୨ଟି କାର୍, ବାଇକ୍ ଓ ଅନେକ ଜାଲ୍ କାଗଜପତ୍ର ଜବତ କରିଛି ।
ତଦନ୍ତରୁ ଜଣାପଡ଼ିଛି ଯେ ସପ୍ତମ ବାଟାଲିୟନ୍ରେ କାର୍ଯ୍ୟରତ ଥିବା ପତିତପାବନ ୩ବର୍ଷ ତଳେ ଏହି ରାକେଟ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା । ପରେ ଅମିତାବଚନ ଓ ପୁରୁଷୋତ୍ତମକୁ ସାମିଲ୍ କରିଥିଲା । ସେମାନଙ୍କୁ ସହଯୋଗ କରିବା ପାଇଁ ପ୍ରମୋଦ, ଅମିୟ ଓ ମୋହନକୁ ଏଜେଣ୍ଟ ଭଳି ବ୍ୟବହାର କରୁଥିଲେ । ଯୋଜନା ମୁତାବକ ସେମାନେ ରାଜଧାନୀକୁ ଆସୁଥିବା ଆଶାୟୀଙ୍କୁ ଟାର୍ଗେଟ୍ କରିଥିଲେ । ପୁଲିସ ଚାକିରି କରିଥିବାରୁ ସହଜରେ ସମସ୍ତଙ୍କ ପାଖରେ ପହଞ୍ଚି ପାରୁଥିଲେ । ଆଶାୟୀଙ୍କୁ ବିଭିନ୍ନ ସରକାରୀ ଚାକିରି କରାଇ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଦାବି କରୁଥିଲେ ।
କେବଳ ରାଜଧାନୀ ନୁହେଁ, ଅନ୍ୟ ଜିଲ୍ଲାକୁ ମଧ୍ୟ ଟାର୍ଗେଟ୍ କରୁଥିଲେ । କାର୍ରେ ବୁଲି ବୁଲି ଆଶାୟୀଙ୍କ ପାଖରେ ପହଞ୍ଚୁଥିଲେ । ଚାକିରି ବାବଦକୁ କାହାଠାରୁ ୧୦ଲକ୍ଷ ତ କାହଠାରୁ ୫ଲକ୍ଷ ଏମିତି ଟଙ୍କା ସଂଗ୍ରହ କରୁଥିଲେ । ଟଙ୍କା ହାତେଇବା ପରେ ଆଉ ଧରାଛୁଆଁ ଦେଉ ନଥିଲେ। ବାରମ୍ବାର ଟଙ୍କା ମାଗିଲେ ପୁଲିସିଆ ବୁଦ୍ଧିରେ ନାଲିଆଖି ଦେଖାଇ ମିଛ ମାମଲାରେ ଫସାଇ ଗିରଫର ଧମକ ଦେଉଥିଲେ । ଟଙ୍କା ଯାଉ ପଛେ ଭୟରେ ସେମାନଙ୍କ ବିରୋଧରେ କେହି ମୁହଁ ଖୋଲୁ ନଥିଲେ । ହେଲେ ସରକାରୀ ଚାକିରି ନାଁରେ ୫ଲକ୍ଷ ହରାଇଥିବା ସାଜନ ସାହୁ ନାମକ ଜଣେ ଆଶାୟୀ ସାହସ ଜୁଟାଇ ଏୟାରପୋର୍ଟ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପତିତପାବନର ଲିଙ୍କ୍ ବାହାରିବା ପରେ ପ୍ରଥମେ ପୁଲିସ ତାକୁ ଗିରଫ କରି ଜେରା ବେଳେ ପୂରା ରୢାକେଟ୍ର ଚିତ୍ର ସାମ୍ନାକୁ ଆସିଥିଲା । ପୁଲିସ ଜଣକ ପରେ ଜଣେ ୬ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ତଦନ୍ତ ଜାରି ରଖିଛି ।