କନକ ବ୍ୟୁରୋ : ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି । ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି । କିନ୍ତୁ ଏପର୍ଯ୍ୟନ୍ତ ବୋର୍ଡ ସଭାପତି କିଶୋର ତରାଇଙ୍କ ଦେହରେ ହାତ ମାରିପାରୁନି କ୍ରାଇମବ୍ରାଞ୍ଚ । କିଛି ଦିନ ତଳେ ଲୋକସେବା ଭବନରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଥିଲେ ବୋର୍ଡ ସଭାପତି ।
ଏପଟେ ଦିଲ୍ଲୀସ୍ଥିତ କେନ୍ଦ୍ର ସରକାରଙ୍କ ଫାଇନାନ୍ସିଆଲ୍ ଇନଭେଷ୍ଟିଗେସନ ୟୁନିଟକୁ ଅଧିକ ତଥ୍ୟ ଲାଗି ଲେଖିଛି କ୍ରାଇମବ୍ରାଞ୍ଚ । ଗିରଫ ୮ଜଣ ଅଭିଯୁକ୍ତ କେତେ ସମ୍ପତ୍ତି ରଖିଛନ୍ତି, ସେନେଇ ତଥ୍ୟ ମଗାଯାଇଛି । ଯେହେତୁ ଦୁଇ ଅଭିଯୁକ୍ତ ଜିତେନ ମହାରଣା ଏବଂ ଏକ୍ସ କ୍ୟାଡର୍ ଶିକ୍ଷକ ବିଜୟ ମିଶ୍ର ରିମାଣ୍ଡରେ ଆସିବେ, ତା ପୂର୍ବରୁ ତଥ୍ୟ ପ୍ରଦାନ କରିବାକୁ ଲିଖିତ ଆକାରରେ ଜଣାଇଛି କ୍ରାଇମବ୍ରାଞ୍ଚ । ସେପଟେ କ୍ରାଇମବ୍ରାଞ୍ଚ ସ୍ଵତନ୍ତ୍ର ଟିମ୍ ପ୍ରଶ୍ନପତ୍ର ଭାଇରାଲ ପଛରେ ଅନ୍ୟ କେଉଁ ଶିକ୍ଷକ ସାମିଲ ଅଛନ୍ତି ତାର ଏକ ତାଲିକା ହୋଇଛି ।