କନକ ବ୍ୟୁରୋ: ପ୍ଲଟ୍ ପ୍ରେମରେ ସରକାରୀ ବାବୁ । ଚାକିରି କରିଥିଲେ କିରାଣି କିନ୍ତୁ କୁବେର ବାବୁଙ୍କ ଭଳି ସମ୍ପତ୍ତି ରଖିଛନ୍ତି । କଟକ ସିଡିଏମ୍ଓ ଅଫିସର ସିନିୟର ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କ ୫ଟି ସ୍ଥାନରେ ଭିଜିଲାନ୍ସର ୭ ଟି ଟିମ୍ ଏକକାଳୀନ ଚଢ଼ଉ କରିଥିଲେ । ଆଉ ବାବୁଙ୍କ ପ୍ଲଟ ନିଶା ଦେଖି ତାଜୁବ ହୋଇଛି ଭିଜିଲାନ୍ସ ।
ଶେଷ ହୋଇଗଲା ବାବୁଙ୍କ ପ୍ଲଟ୍ କିଣିବାର ପ୍ରେମ । କଟକ ସିଡିଏମ୍ଓ ଅଫିସରେ ସିନିୟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ କିଶୋର କୁମାର ସାହାଣୀଙ୍କ ୫ଟି ସ୍ଥାନରେ ଭିଜିଲାନ୍ସର ୭ ଜଣିଆ ଟିମ୍ ରେଡ୍ କରିଛି । ଦେଖନ୍ତୁ ବାବୁଙ୍କ ଘରୁ ମିଳିଥିବା ଟଙ୍କା ଓ ସୁନା । ପ୍ଲଟ ସହ ବାବୁଙ୍କ ଥିଲା ଟଙ୍କା ଓ ସୁନା ଠୁଳ କରିବାର ସଉକ । ବାବୁଙ୍କ ନାଁରେ ୧.୨୪କୋଟି ଟଙ୍କାରୁ ଅଧିକ ସରକାରୀ ପାଣ୍ଠି ହେରଫେର ଏବଂ ତାଙ୍କ ଜ୍ଞାତ ଆୟ ଉତ୍ସ ଠାରୁ ଅଧିକ ସମ୍ପତ୍ତି ସଂଗ୍ରହ କରିବାର ଅଭିଯୋଗ ଥିଲା । ଚଢ଼ାଉ ସମୟରେ କିଶୋର କୁମାର ସାହାଣୀଙ୍କ ଘରୁ କଟକ ଓ ବିଭିନ୍ନ ସ୍ଥାନରେ ୧୯ ଦାମୀ ପ୍ଲଟ୍, ଜମା ୩.୫ ଲକ୍ଷ ଟଙ୍କା,୧୩୫ ଗ୍ରାମ୍ ସୁନା , ୪୪ ଲକ୍ଷ ୪୬ ହଜାର ଟଙ୍କାର ବୀମା ମିଳିଛି ।
ଦୁର୍ନୀତି ଜାଲରେ ପଡୁଛନ୍ତି ଅଧିକାରୀ । ଅନ୍ୟପଟେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, କୌଣସି ଅଫିସର ଦୁର୍ନୀତି କଲେ ଛଡ଼ାଯିବ ନାହିଁ । ଦୁର୍ନୀତିକୁ ରୋକିବା ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯିବ। ବଡ଼ ଅଫିସର ପାଖରୁ ସାନ ଯାଏଁ, ଯିଏ ବି ଦୁର୍ନୀତି କରିବ ସେମାନଙ୍କୁ ଛଡ଼ାଯିବ ନାହିଁ । ଜଣଙ୍କ ପରେ ଜଣେ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି । ତଥାପି ବାବୁ ମାନଙ୍କ ଦୁର୍ନୀତି କରିବା ନିଶା ଛାଡ଼ୁନାହିଁ । ଏବେ ସରକାର ଦୁର୍ନୀତି ବିରୋଧରେ କଠୋର ହେବା ପରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମଧ୍ୟରେ ଛନକା ପଶିଛି ।