କନକ ବ୍ୟୁରୋ: କନେଷ୍ଟବଳ କୀଲର ଦୀପକର କଳାକାହାଣୀ ନେଇ ବିବାଦ ଥମିନଥିବା ବେଳେ ପୁଣି ଓଡ଼ିଶା ପୁଲିସର ଖାକିରେ ଲାଗିଛି ଆଉ ଏକ କଳାଦାଗ । ପ୍ରେମ ପାଇଁ ବିବାହିତ ବୋଲି ଭୁଲିଗଲେ ପୁଲିସ ବାବୁ । ପତ୍ନୀଙ୍କୁ ଧୋକା ଦେଇ ଲୁଚି ଲୁଚି ପ୍ରେମିକା ସହ ଭେଟ କରୁଥିଲେ ପୁଲିସ ବାବୁ । ହେଲେ ଚୋର ଘର ସବୁଦିନ ଅନ୍ଧାର ନଥିବା ଭଳି ବାବୁଙ୍କ ଚୋରା ପୀରତି ବେଶୀଦିନ ଲୁଚି ନଥିଲା । ଶେଷରେ ପ୍ରେମିକା ସହ ସମୟ ବିତାଉଥିବା ବେଳେ ପତ୍ନୀଙ୍କ ହାତରେ ଧରାପଡ଼ିଲେ । ଯାହାକୁ ନେଇ ଏବେ ଛି ଛାକର କରୁଛନ୍ତି ସାଧାରଣ ଜନତା ।
ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ବିଜୁ ପଟ୍ଟନାୟକ ପୁଲିସ ଏକାଡେମିରେ ସିପାହୀ ଭାବେ କାର୍ଯ୍ୟରତ ଜଣେ ଯୁବକ ୨୦୧୯ ମସିହାରେ ବ୍ରହ୍ମପୁର ଅଞ୍ଚଳରେ ବିବାହ କରିଥିଲେ । ତେବେ ୫ବର୍ଷର ପୁଅ ଓ ପତ୍ନୀଙ୍କ ସହ ରାଜଧାନୀରେ ରହୁଥିବାବେଳେ ଅନ୍ୟ ଜଣେ ଯୁବତୀଙ୍କୁ ଭଲପାଇ ବସିଥିଲେ । ଧୀରେ ଧୀରେ ସ୍ବାମୀଙ୍କ ଆଚରଣ, ବ୍ୟହାରରେ ପରିବର୍ତ୍ତନ ଯୋଗୁ ପତ୍ନୀଙ୍କ ସନ୍ଦେହ ବଢ଼ିଥିଲା । ପରକୀୟା ପ୍ରୀତିକୁ ନେଇ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ହେଲେ ସ୍ଵାମୀ ମାନିବାକୁ ପ୍ରସ୍ତୁତ ନଥିଲେ । ହେଲେ ସ୍ଵାମୀଙ୍କ ମିଛ ବେଶୀଦିନ ଲୁଚି ନଥିଲା ।
ଶନିବାର ଦିନ ପ୍ରେମିକା ସହ ସମୟ କାଟୁଥିବା ବେଳେ ପତ୍ନୀ ଉଭୟଙ୍କୁ କାବୁ କରିଥିଲେ । ଯାହାକୁ ନେଇ ଦମ୍ପତିଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହୋଇଥିଲା । ଏମିତିକି ସ୍ଵାମୀ ରାଗିଯାଇ ପତ୍ନୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ବଡ଼ କଥା ହେଉଛି ଏନେଇ ପତ୍ନୀ ଭରତପୁର ଥାନାରେ ଅଭିଯୋଗ କଲା ପରେ ପୁଲିସ ସ୍ବାମୀଙ୍କ ପରକୀୟାପ୍ରୀତିର ପୋଲ୍ ଖୋଲିଛି । ଏପଟେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି ।