କନକ ବ୍ୟୁରୋ: ଘର କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା ପରେ ଶେଷରେ ଥାନାରେ ହାଜର ହୋଇଛନ୍ତି ଓଏଏସ୍ ବାବୁ ସାର୍ଥକ ସୌରଭ ମହାପାତ୍ର । ଦୁଇ ଦିନ ତଳେ ଓଏଏସ୍ ବାବୁଙ୍କ ପତ୍ନୀ ମହିଳା ଥାନାରେ ଏତଲା ଦେଇଥିଲେ । ଏନେଇ ମହିଳା ଥାନା ମାମଲା ରୁଜୁ କରି ନୋଟିସ୍ ପଠାଇବା ପରେ ଆଜି ଥାନାରେ ହୋଇଛନ୍ତି ଓଏଏସ୍ ବାବୁ । ଓକିଲଙ୍କ ସହ ମହିଳାଥାନାକୁ ଆସିଥିବା ସାର୍ଥକଙ୍କୁ ପୁଲିସ ପଚରାଉଚରା କରୁଛି । ଗତକାଲି ପତ୍ନୀ ଅର୍ଚ୍ଚନା ଦାଶଙ୍କ ୧୮୦ ବିଏନ୍ଏସ୍ରେ ବୟାନ ରେକର୍ଡ କରିଥିଲା ଭୁବନେଶ୍ବର ମହିଳା ଥାନା ପୁଲିସ । ବାହାଘରଠୁ ଆରମ୍ଭ କରି ସନ୍ତାନ ହେବ ପର୍ଯ୍ୟନ୍ତ ଉଭୟଙ୍କ ଭିତରେ କ’ଣ ଘଟିଥିଲା ସେନେଇ ପଚାରି ବୁଝିଥିଲା ପୁଲିସ ।
ଗୋଟି ଗୋଟି କରି ସ୍ବାମୀଙ୍କ ବାବଦରେ ପୁଲିସକୁ ତଥ୍ୟ ଦେଇଛନ୍ତି ଅର୍ଚ୍ଚନା । ସୁଖ ଶାନ୍ତିର ପରିବାର କାହିଁକି ଛାରଖାର ହୋଇଗଲା, ସ୍ବାମୀ-ସ୍ତ୍ରୀ କାହିଁକି ଅଲଗା ହୋଇଗଲେ ଆଉ ଅର୍ଚ୍ଚନା ଦେଇଥିବା ଅଭିଯୋଗର ତଥ୍ୟ ପ୍ରମାଣ କ’ଣ ରହିଛି, ସେନେଇ ପଚାରି ବୁଝିଛି ପୁଲିସ । ତେବେ ତଥ୍ୟ ପ୍ରମାଣ ଏକାଠି କରିବା ସହ ଓଏଏସ୍ ଅଫିସରଙ୍କୁ ଥାନାକୁ ଡାକିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି ।
ସେପଟେ ଓଏଏସ୍ ଅଧିକାରୀ କିନ୍ତୁ ମୁହଁ ଖୋଲିବାକୁ ନାରାଜ । ଯାହା କହିବି ଥାନାରେ କହିବି, ନୋଟିସ୍ ଆସିଲେ ହାଜର ହେବି ବୋଲି କହିଥିଲେ ସାର୍ଥକ ମହାପାତ୍ର । ଏପଟେ ପୁଅ ଜନ୍ମର ଦୁଇ ଦିନ ପରେ ସାର୍ଥକ କାହିଁକି ଲୁଚି ପଳାଇଲେ ତା’ର ତଦନ୍ତ ହେବାର ଆବଶ୍ୟକତା ରହିଛି । ଏବେ ଲୁଚିବା ନୁହେଁ, ଘଟଣାକୁ ସାମ୍ନା କରିବାର ସମୟ ଆସିଛି ବୋଲି କହିଛନ୍ତି ଅର୍ଚ୍ଚନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/08/01/61-2025-08-01-12-32-34.jpg)