କନକ ବ୍ୟୁରୋ : ରାଜ୍ୟରେ ନିଶା କାରବାର ବଢ଼ି ଚାଲିଥିବା ବେଳେ ଏଥିରେ ରୋକ୍ ଲଗାଇବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ଏସ୍ଟିଏଫ୍ । ବିଶେଷକରି କଲେଜ ଓ ସ୍କୁଲ କ୍ୟାମ୍ପସ ପାଖରେ ଥିବା ଛୋଟ ଦୋକାନୀମାନେ କାରବାରର ମାଧ୍ୟମ ସାଜିଥିବାରୁ ସେମାନଙ୍କ ଦୋକାନ ଉପରେ ଚଢ଼ାଉ କରାଯାଉଛି । ତେବେ କେବଳ ନିଶା କାରବାରରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବାକୁ ଲୋକସେବା ଭବନରେ ପ୍ରସ୍ତୁତ ହୋଇଛି ବ୍ଲ୍ୟୁପ୍ରିଣ୍ଟ ।
ନିଶାମୁକ୍ତ କଲେଜ କ୍ୟାମ୍ପସ ପାଇଁ ଅବକାରୀ ବିଭାଗ ଓ ଏସ୍ଟିଏଫ୍ ପକ୍ଷରୁ ଚଢ଼ାଉ ଚାଲିଛି । କଲେଜ ନିକଟରେ ଥିବା ବିଭିନ୍ନ ଦୋକାନରୁ ଗୁଟଖା, ସିଗାରେଟ ସହ ବିଭିନ୍ନ ନିଶାଦ୍ରବ୍ୟ ଜବତ ହେଉଛି । ନିଶା ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗରେ ଦୋକାନୀ ବନ୍ଧା ହେଉଛନ୍ତି । କିନ୍ତୁ ନିଶା କାରବାରରେ ସମ୍ପୂର୍ଣ୍ଣ ବ୍ରେକ୍ ଲାଗୁନି । ଏଥିରେ ରୋକ୍ ଲଗାଇବା ପାଇଁ ବଡ଼ ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଚୋରା ନିଶା କାରବାର ରୋକିବାକୁ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସି ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ବୈଠକରେ ଉପସ୍ଥିତ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇ କହିଛନ୍ତି, ନିଶା କାରବାର ରୋକିବାକୁ ନିଷ୍ପତ୍ତି । ଏଣିକି ଚାଲାଣକାରୀ ନୁହେଁ, ମାଷ୍ଟରମାଇଣ୍ଡ୍କୁ ଧରାଯିବ । କ୍ୟାମ୍ପସ ପାଖରେ ନିଶା କାରବାର କରୁଥିବା ଲୋକ ବନ୍ଧା ହେବେ । ନିଶା କାରବାର ହେଉଥିବା ସ୍ଥାନ ଉପରେ କଡ଼ା ନଜର ରହିବ । କଫ୍ ସିରପ୍ ଚାଲାଣ ଉପରେ ରୋକ୍ ଲାଗିବ ।
ଭୁବନେଶ୍ୱର ବିମାନବନ୍ଦରରୁ କୋଟି କୋଟି ଟଙ୍କାର ମାରିଜୁଆନା ଧରାପଡ଼ିବା ପରେ ଏହାକୁ ରୋକିବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି । ସେହିପରି ଚୋରା କଫ୍ ସିରପ୍ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କାରଣ ନିଶା କବଳରେ ପଡ଼ିଲେଣି ଓଡ଼ିଶାର ଯୁବପିଢ଼ି । ଯାହାର ସୁଯୋଗ ନେଇ ପୂଜା ବଜାରକୁ ଟାର୍ଗେଟ କରିଛନ୍ତି ନିଶା ମାଫିଆ । ବିଭିନ୍ନ ବାଟ ଦେଇ, ଏଜେଣ୍ଟଙ୍କ ଜରିଆରେ ସାରାରାଜ୍ୟରେ ସେମାନଙ୍କ ନେଟ୍ୱର୍କ ଚଳାଇଛନ୍ତି । ଏଥିରେ ବ୍ରେକ୍ ଲଗାଇବାକୁ କସରତ ଆରମ୍ଭ କରିଛନ୍ତି ସରକାର ।
ଗତ କିଛି ବର୍ଷ ହେଲା ଓଡ଼ିଶାରେ ନିଶା କାରବାର ବଢ଼ି ବଢ଼ି ଚାଲିଛି । ସହରଠାରୁ ଆରମ୍ଭ କରି ଗାଁ ଗହଳିକୁ ବି ମାଡ଼ିଗଲେଣି ନିଶା ମାଫିଆ । ବିଶେଷ କରି ପୂଜା ସମୟରେ ଏମାନେ ଅଧିକ ସକ୍ରିୟ ହୋଇଥାନ୍ତି । ଯାହାକୁ ରୋକିବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ।