କନକ ବ୍ୟୁରୋ: ଖୋଲୁଛି ଟେନିସ୍ ଖେଳାଳି ରାଧିକା ଯାଦବ ହତ୍ୟାକାଣ୍ଡର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ । ରାଧିକାଙ୍କ ସାଙ୍ଗ ଏକ ଭିଡିଓ ଜାରି କରିବା ପରେ ପୁଣି ଚାଞ୍ଚଲ୍ୟ ଖେଳିଯାଇଛି ଆଉ ଦିନକୁ ଦିନ ନୂଆମୋଡ଼ ନେବାରେ ଲାଗିଛି ଏହି ହତ୍ୟା ଘଟଣା ।
ରାଧିକାଙ୍କ ବେଷ୍ଟ୍ ଫ୍ରେଣ୍ଡ୍ ହିମାଂଶିକା ସିଂହଙ୍କ କହିବା ଅନୁସାରେ, ରାଧିକାଙ୍କ ଉପରେ ଅନେକ ପ୍ରତିବନ୍ଧକ ଥିଲା । ତାଙ୍କର ଘରକୁ ଆସିବା ଏବଂ ଯିବାର ସମୟ ମଧ୍ୟ ଧାର୍ଯ୍ୟ ଥିଲା । ତାଙ୍କୁ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବାକୁ ପଡୁଥିଲା । ଏପରିକି ଯଦି ମୁଁ ରାଧିକା ସହ କଥାହୁଏ ତା’ହେଲେ ରାଧିକାର ମୋବାଇଲ ଯାଞ୍ଚ କରୁଥିଲେ ତାଙ୍କ ପରିବାର ସଦସ୍ୟ । ମୁଁ ପିଲାଦିନରୁ ହିଁ ରାଧିକା ସହ ଟେନିସ୍ ଖେଳୁଥିଲି । ରାଧିକା କରିଥିବା ମ୍ୟୁଜିକ୍ ଭିଡିଓଟି ଦେଢ଼ବର୍ଷ ପୁରୁଣା ଏବଂ ସେ ଭିଡିଓ ପାଇଁ ରାଧିକା ତାଙ୍କ ବାପାଙ୍କଠୁ ଅନୁମତି ମଧ୍ୟ ନେଇଥିଲେ । ହଁ ରାଧିକା ରିଲ୍ସ, ଫଟୋ କ୍ଲିକ କରିବାକୁ ସଉକ ରଖୁଥିଲେ ଆଉ ତାଙ୍କୁ ସଭିଏଁ ପ୍ରଶଂସା ମଧ୍ୟ କରୁଥିଲେ । ହେଲେ ତାଙ୍କ ପରିବାର ସବୁଥିରେ ହସ୍ତକ୍ଷେପ କରୁଥିଲା । ତା’ ବାପା-ମାଆ ସବୁବେଳେ କହୁଥିଲେ ଲୋକେ କ’ଣ କହିବେ? ପରିବାରର ଚାପ ସବୁବେଳେ ରାଧିକା ଉପରେ ରହୁଥିଲା । ସେଥିପାଇଁ ସେ ବହୁତ କମ୍ ଲୋକଙ୍କ ସହ କଥା ହୁଏ ।
ନିଜ ଝିଅକୁ ବାପା ଗୁଳିକରି ହତ୍ୟା କରିବା ସ୍ବୀକାର କରିଥିଲେ ବି ପୁଲିସର ସନ୍ଦେହୀ ଆଖି ଏବେ ବିଭିନ୍ନ ଦିଗରୁ ତଥ୍ୟ ଖୋଜିବାରେ ଲାଗିଛି । କେତେବେଳେ ରିଲ୍ସ ପାଇଁ ହତ୍ୟା ତ କେତେବେଳେ ମ୍ୟୁଜିକ୍ ଭିଡିଓ ପାଇଁ ହତ୍ୟା ହୋଇଥିବା ଚର୍ଚ୍ଚା ହେଉଛି । ହେଲେ ପୁଲିସର ସୂଚନା ମୁତାବକ, ରାଧିକା ଯାଦବ ବିଗବସ୍ ବିଜେତା ତଥା ୟୁଟ୍ୟୁବର ଏଲଭିସ ଯାଦବଙ୍କ ଭଳି ଫେମସ୍ ହେବାକୁ ଚାହୁଥିଲେ । ଆଉ ସବୁଠାରୁ ବଡ଼କଥା ହେଲା, ଉଭୟ ବଞ୍ଜୀରାବାଦର ବାସିନ୍ଦା । କାନ୍ଧରେ ଆଘାତ ଲାଗିବା ପରେ ରାଧିକା ଏଲଭିସଙ୍କ ପରି ସୋସିଆଲ ମିଡିଆରେ କଣ୍ଟେଟ୍ କରି ରୋଜଗାର କରିବାକୁ ଘରେ ବାରମ୍ବାର କହୁଥିଲେ । ହେଲେ ରାଧିକାଙ୍କ ବାପା ଏହାକୁ ପସନ୍ଦ କରୁନଥିଲେ ।
ସେପଟେ ପୁଲିସ ତଦନ୍ତରୁ ଆଉ ଜଣକ ନାଁ ମଧ୍ୟ ସାମ୍ନାକୁ ଆସିଥିଲା । ରାଧିକାଙ୍କ ସହ-ଅଭିନେତା ଇନାମୁଲ ହକଙ୍କର ଏହି ହତ୍ୟା ସହ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲେ ବି ହତ୍ୟା ଘଟଣା ସହ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ଭିଡିଓ ଜାରି କରି ସ୍ପଷ୍ଟୀକରଣ ଦେଇସାରିଛନ୍ତି ଇନାମୁଲ । ଦେଖିବା ରାଧିକାଙ୍କ ମର୍ଡର ମିଷ୍ଟ୍ରୀ ନେଇ ପ୍ରକୃତ ସତ୍ୟ ଘଟଣା କେବେ ସାମ୍ନାକୁ ଆସୁଛି...