କନକ ବ୍ୟୁରୋ : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କାଠିଆପଡ଼ା ଗାଁରେ ଛାତ୍ରୀ ମୃତ୍ୟୁ ଘଟଣାରେ ତଦନ୍ତ ଯେତେ ଆଗକୁ ବଢୁଛି, ରହସ୍ୟ ସେତେ ବଢିବାରେ ଲାଗିଛି । ଅଭିଯୁକ୍ତର ବାପା ଆଣିଲେ ସଙ୍ଗୀନ ଅଭିଯୋଗ । କହିଲେ, ଟଙ୍କା ନେଇ ପୁଅକୁ ଫସାଉଛି ପୁଲିସ । ନ୍ୟାୟ ନମିଳିଲେ ଆତ୍ମହତ୍ୟା ପାଇଁ ଧମକ । ସେପଟେ ପୀଡିତାଙ୍କ ବାପାଙ୍କ ମୋବାଇଲ ଫୋନ୍‌କୁ ଜବତ କରିଛି ପୁଲିସ । ବାପାଙ୍କ ମୋବାଇଲରେ ମୃତ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଏବଂ ଭିଡ଼ିଓ ରହିଥିବା ସୂଚନା ମିଳିଛି । ଏହି ଫୋଟୋ ଓ ଭିଡ଼ିଓକୁ ପୁରୁଷ ବନ୍ଧୁ ତାଙ୍କ ବାପାଙ୍କ ମୋବାଇଲକୁ ପଠାଇଥିବା ଗ୍ରାମାଞ୍ଚଳ ଥାନା ଆଇଆଇସି ସୂଚନା ଦେଇଛନ୍ତି ।

Advertisment

ସେହିପରି ପୁଲିସ ହେପାଜତରେ ଥିବା ପୁରୁଷବନ୍ଧୁ ପ୍ରମୋଦ ବେହେରାଙ୍କ ମୋବାଇଲ ଫୋନ୍‌କୁ ମଧ୍ୟ ଜବତ କରାଯାଇଛି । ଏହି ଫୋନ୍‌ରେ ମଧ୍ୟ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଏବଂ ଭିଡ଼ିଓ ରହିଥିବା କୁହାଯାଉଛି । ତାଙ୍କ ହ୍ୱାଟ୍ସଆପ୍ ଚାଟିଂ ଓ ଭିଡିଓ କଲ୍ ରେକର୍ଡ ମଧ୍ୟ ପୋଲିସ ପାଇଛି । ଗତକାଲି ପୋଲିସ ମୃତ ଛାତ୍ରୀଙ୍କ ପଡୋଶୀ ଓ ତାଙ୍କ ସମ୍ପର୍କୀୟଙ୍କ ଘର ଗ୍ରୀଲ୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍ ଅନୁଧ୍ୟାନ କରିଥିଲା । ନିଜେ ଏସ୍‌ପି କ୍ରାଇମ୍‌ସ୍ପଟ୍‌କୁ ଯାଇ ତଦନ୍ତ କରିଥିଲେ । ଅଗଷ୍ଟ ୫ ଓ ୬ ତାରିଖ ମଧ୍ୟରେ ଘର ଆଖପାଖରେ କ’ଣ ସବୁ ଘଟିଥିଲା, ତାହା ଜାଣିବାକୁ ଚାହୁଁଛି ପୋଲିସ ।

ସେପଟେ ଛାତ୍ରୀ ମୃତ୍ୟୁ ଘଟଣାରେ ପୀଡିତା ବାପା ଆଉ ଏକ ଏତଲା ଦେଇଛନ୍ତି । ପୁରୁଷ ବନ୍ଧୁ ଆପତ୍ତିଜନକ ଫଟୋ ଓ ଭିଡିଓ ପଠାଇ ବ୍ଲାକମେଲ୍ କରୁଥିଲା । ଏହାକୁ ନେଇ ଝିଅ ମାନସିକ ଅବସାଦରେ ରହୁଥିଲା ଓ ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛି । ଦ୍ୱିତୀୟ ଏତଲାରେ ଏସବୁ ପୀଡ଼ିତାଙ୍କ ବାପା ଉଲ୍ଲେଖ କରିଛନ୍ତି । ବାପାଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଛି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସ । ପୁରୁଷ ବନ୍ଧୁ ପ୍ରମୋଦଙ୍କ ନାଁରେ ଲାଗିଛି ସଙ୍ଗିନ ଦଫା ।