କନକ ବ୍ୟୁରୋ : ସକାଳ ପ୍ରାୟ ୯ଟା, ବାଇକ ଚଳାଇ ଏମ୍ସକୁ ଡ୍ୟୁଟି ପାଇଁ ଯାଉଥିଲେ ସରକନ୍ତରା ଗାଁ, ଖୁଣ୍ଟିଆ ସାହିର ସୁଧାଂଶୁ ଖୁଣ୍ଟିଆ । ହଠାତ୍ ଶୁଭିଲା ବନ୍ଧୁକର ଗର୍ଜନ, ଆଉ ଫୁଟିଲା ଗୁଳି । ଫିଲ୍ମ ଷ୍ଟାଇଲରେ ବିଚ୍ ରାସ୍ତାରେ କଳା ସ୍କୁଟିରେ ଗୋଡ଼ାଇ ଗୋଡ଼ାଇ ଗୁଳି କରିଥିଲା ଅଭିଯୁକ୍ତ । ଲାଗ ଲାଗ ୪ ରାଉଣ୍ଡ ଗୁଳି ଫୁଟାଇ ଆତଙ୍କ ଖେଳାଇଲା ଦୁର୍ବୃତ୍ତ । ଗୁଳିମାଡ଼ରେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ ସୁଧାଂଶୁ । ସେତିକିରେ କଥା ସରି ନଥିଲା । ମୃତ ସୁଧାଂଶୁଙ୍କ ଘର ଆଗରେ ତାଙ୍କ ଦାଦା ଜ୍ଞାନ ରଞ୍ଜନ ଖୁଣ୍ଟିଆଙ୍କୁ ପୁଣି ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଆଉ ଏହି ହତ୍ୟାକାଣ୍ଡ ପଛର କାରଣ ଥିଲା ମାତ୍ର କେଇ ହାତ ଜମି ।

Advertisment

ସେପଟେ ଚୁନକୋଳି ବସ୍ତିରେ ୨୫ବର୍ଷୀୟ ଯୁବକଙ୍କୁ ପଥରରେ ଛେଚି ଛେଚି ହତ୍ୟା କରାଯାଇଛି । ସାଇଣ୍ଟିଫିକ ଟିମ୍ ସହ ପୁଲିସ ଖୋଳତାଡ଼ କରୁଥିବା ବେଳେ, ମୃତ ଯୁବକଙ୍କ ପରିଚୟ ପାଇନି । ସେପଟେ ରେଳ ଷ୍ଟେସନର ୬ ନମ୍ବର ପ୍ଲାଟଫର୍ମ ବାହାରେ ଦେଖିବାକୁ ମିଳିଛି ଦୁର୍ବୃତ୍ତଙ୍କ ଉତ୍ପାତ । ରାଷ୍ଟ୍ରପତି ସମ୍ମାନ ପ୍ରାପ୍ତ ଶିକ୍ଷକ ଦ୍ୱିତୀ ଚନ୍ଦ୍ର ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍ ହୋଇଛି । ତେବେ ଖୁବଶୀଘ୍ର ଅପରାଧୀଙ୍କୁ ଧରାଯିବ କହିଛନ୍ତି କମିସନର ।

ଏ ଗୁଳିକାଣ୍ଡ ଘଟଣାରୁ ସଂକେତ ମିଳୁଛି ଯେ, ଭାଇଗିରି ପାଇଁ ଅଣ୍ଟାରେ ବନ୍ଧୁକ ଖୋସି ବୁଲୁଛନ୍ତି ଯୁବପିଢ଼ି । ଏଠାରେ ପ୍ରଶ୍ନ ଏବେବି କେତେ ଚୋରା ବନ୍ଧୁକ ସ୍ମାର୍ଟ ସିଟିରେ ଲୁଚିଛି । ଆଉ ଯଦି ଏକାଥରକେ ସବୁ ବନ୍ଧୁକ ଗର୍ଜନ କରିବ ତାହେଲେ ରାଜଧାନୀର ଅବସ୍ଥା କଣ ହେବ ।