କନକ ବ୍ୟୁରୋ : ସବୁ ସାରିଦେଲା ସାବତ ମାଆ... ପିଲାଟି ଦିନରୁ ମାଆ ମଲାପରେ ସାବତ ମା’କୁ ନିଜ ମା’ ମାନିଆସିଥିବା ପୁଅ ଆଜି ସେହି ସାବତ ମାଆ ହାତରେ ଜଳିଯାଇଛି । ମା’ ସବତ ହୋଇଥିଲେ ବି ପୁଅ କିନ୍ତୁ ନିଜ ମା’ ବୋଲି ମାନିନେଇଥିଲା, କିନ୍ତୁ ମା ସବତ ପୁଅକୁ ନିଜ ପୁଅ ଭଳି ଗ୍ରହଣ କରିପାରିନଥିଲା । ସମ୍ପତ୍ତି ପାଇଁ ଆଜି ପୁଅକୁ ଜାଳି ମାରିଦେଛି ମା’ ।
ରାଜଧାନୀ ଉପକଣ୍ଠ ବାଲିପାଟଣା... ମୃତ ଯୁବକ ହେଉଛନ୍ତି ଜ୍ୟୋତିରଞ୍ଜନ ମଠିଆ... ସମ୍ପତ୍ତି ପାଇଁ ଘରେ ଚାଲିଥିଲା ତିକ୍ତତା ଭିତରେ ବି ହାରିଯାଇନଥିଲେ ଜ୍ୟୋତି... ଛୋଟିଆ ପରିବାରକୁ ଚଳାଇବା ପାଇଁ ବାଲିପାଟଣା ଥାନା ବାହାରେ ବସି ଅନ୍ୟମାନଙ୍କ ପାଇଁ ଏଫଆଇଆର୍ ଲେଖୁଥିଲେ । ଲୋକେ ଖୁସିରେ ଯାହା ୫୦-୧୦୦ ଦେଉଥିଲେ ତାକୁ ନେଇ ଆଗକୁ ଚାଲିଥିଲା ତାଙ୍କ ସଂସାର ରଥ, କିନ୍ତୁ ସେହି ସମ୍ପତ୍ତି କଳିଯେ ତାଙ୍କୁ ଦିନେ ଜାଳିପୋଡ଼ି ମାରିଦେବ କେବେ ସେ ଭାବିବି ନଥିଲେ । ସାବତ ମା, ବାପା ଓ ଭାଇ ମିଶି ଜ୍ୟୋତିଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା କରିଥିଲା ଅଭିଯୋଗ ଆଣିଛନ୍ତି ଜ୍ୟୋତିଙ୍କ ସ୍ତ୍ରୀ ।
ସେପଟେ ମୃତ୍ୟୁ ପୂର୍ବରୁ ବିସ୍ଫୋରକ ବୟାନ ଦେଇଛନ୍ତି ଜ୍ୟୋତିରଞ୍ଜନ । ସମ୍ପତ୍ତି ପାଇଁ ବାପା, ସାବତ ମା ଓ ସାନ ଭାଇ ପେଟ୍ରୋଲ ଢାଳି ଜାଳିଦେଇଥିବା ସେ ଅଭିଯୋଗ କରିଛନ୍ତି । ସମ୍ପତି ବିବାଦକୁ କେନ୍ଦ୍ର କରି ଜ୍ୟୋତିଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ କରିଥିବା ଜ୍ୟୋତିରଞ୍ଜନଙ୍କ ସ୍ତ୍ରୀ ମଧ୍ୟ ଅଭିଯୋଗ କରିଛନ୍ତି । ଆଜି ସାବତ ମା’ଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଗତକାଲି ବାପା ଅବସର ପ୍ରାପ୍ତ ପୁଲିସ ଅଧିକାରୀ ସୁରେନ୍ଦ୍ର ମଠିଆ ଓ ସାନ ପୁଅକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ପୁଲିସ୍ । ତେବେ ଘଟଣା ପଛରେ କଣ ସତ୍ୟତା ରହିଛି, ସତରେ କଣ ସମ୍ପତ୍ତି ପାଇଁ ପୁଅକୁ ବାପା, ମା, ଭାଇ ମିଶି ମାରିଦେଇଛନ୍ତି ନା ଏହି ପଛରେ ଆଉ କଣ ରହସ୍ୟ ରହିଛି ତାହା ପୁଲିସ ତଦନ୍ତରୁ ସ୍ପଷ୍ଟ ହେବ ।