କନକ ବ୍ୟୁରୋ : ଆଇଏଏସଙ୍କ ଘରେ ପୁଳା ପୁଳା ଟଙ୍କା । ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଘରେ ପଶିଲା ଭିଜିଲାନ୍ସ । ଉପଜିଲ୍ଲାପାଳ ଧିମନ ଚକମାଙ୍କୁ ଧରିଲା ଭିଜିଲାନ୍ସ । ଲାଞ୍ଚ ଟଙ୍କା ଜବତ ପରେ ବାସଭବନରେ ରେଡ୍ କରିଥିଲା ଦୁର୍ନୀତି ନିବାରଣ ସଂସ୍ଥା । ରେଡ ବେଳେ ୪୭ ଲକ୍ଷ ଟଙ୍କା ଜବତ ହୋଇଛି । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଉପଜିଲ୍ଲାପାଳ ଧିମନ ଚକମା ଧରାପଡ଼ିଥିଲେ । କ୍ରସର ୟୁନିଟ ମାଲିକଙ୍କ ଠାରୁ ସେ ଏହି ଲାଞ୍ଚ ଟଙ୍କା ନେଉଥିଲେ । ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ, ଆଉ କିସ୍ତି ହିସାବରେ ୧୦ ଲକ୍ଷ ଟଙ୍କା ନେଇଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ରୋଚକ କଥା ହେଉଛି ଲାଞ୍ଚ ପାଇଁ ବ୍ୟବସାୟୀଙ୍କୁ ନିଜ ସରକାରୀ ବାସଭବନକୁ ଡାକିଥିଲେ ଏହି ସରକାରୀ ବାବୁ ଜଣକ । ୨୦୨୧ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ଧିମନ ଚକମା । ଆଇଏସ୍ ୪୮୨ ରାଙ୍କ ପାଇଥିଲେ । ତାଙ୍କ ଘର ତ୍ରିପୁରା କାଞ୍ଚନପୁରରେ । ପୂର୍ବରୁ ଆଇଏଫଏସ ପାଇଥିଲେ ଧିମନ ଚକମା । ବାରିପଦାରେ ଫରେଷ୍ଟ ଅଫିସର ଭାବେ କାର୍ଯ୍ୟ କରିସାରିଛନ୍ତି । ଫରେଷ୍ଟ ଅଫିସର ଥିବାବେଳେ ଆଇଏଏସ ପାଇଥିଲେ । 

Advertisment

ଖାଲି ଏହି ସରକାରୀ ବାବୁ ଜଣକ ନୁହଁନ୍ତି, ଭିଜିଲାନ୍ସ ଅନେକଥର ଲାଞ୍ଚଖୋର ଆଇଏଏସ୍ ବାବୁମାନଙ୍କୁ ଧରିଛି । ୨୦୨୫ ଫେବୃଆରୀ ୨୦ରେ କେନ୍ଦୁଝର ଡେପୁଟି କଲେକ୍ଟର ଶରତ କୁମାର ଗିରି ୪୦ ହଜାର ଲାଞ୍ଚ ନେଇ ଧରାପଡ଼ିଥିଲେ । ୨୦୨୪ ଜୁଲାଇ ୪ରେ ଖଣ୍ଡପଡା ତହସିଲଦାର ଧୋବେଇ ନାୟକ ୨୦ ହଜାର ଲାଞ୍ଚ ନେଇ ଧରାପଡ଼ିଥିଲେ । ସେହିପରି ୨୦୧୮ ନଭେମ୍ବର ୬ରେ ବିଶ୍ରା ବ୍ଲକ ବିଡିଓ ପ୍ରଶାନ୍ତ ରାଉତ ୧ ଲକ୍ଷ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ପୂର୍ବତନ ଓଆରଏଚଡିସି ପରିଚାଳନା ନିର୍ଦ୍ଦେଶକ ୧୯୮୯ ବ୍ୟାଚର ଆଇଏଏସ୍ ବିନୋଦ କୁମାର ୧୯୯୯ ମହାବତ୍ୟା ବେଳେ ଗୃହ ନିର୍ମାଣ ଓ ଆବଣ୍ଟନ ନାଁରେ କେଳେଙ୍କାରୀ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ୨୦୧୯ରେ ରାଜ୍ୟ ଉଦ୍ୟାନ ବିଭାଗ ନିର୍ଦେଶକ ବିଜୟ କେତନ ଉପାଧ୍ୟାୟ ଲାଞ୍ଚ ନେଇ ଜେଲ୍ ଯାଇଥିଲେ । ୨୦୨୪ରେ ୨୧୧ଟି ଭିଜିଲାନ୍ସ ମାମଲା ରୁଜୁ ହେଇଥିଲା । ସେଥିରୁ ୧୭୯ ଜଣ ସରକାରୀ ଅଧିକାରୀ ଗିରଫ ହେଇଥିଲେ । ଏମାନଙ୍କ ମଧ୍ୟରେ ଥିଲେ ୫୪ କ୍ଲାସ ୱାନ୍‌ ଅଫିସର, ୬ ଜଣ ମୁଖ୍ୟଯନ୍ତ୍ରୀ, ଜଣେ ଯୁଗ୍ମ ଅବକାରୀ କମିଶନର, ଜଣେ ମତ୍ସ୍ୟ ବିଭାଗ ଉପ ନିର୍ଦ୍ଦେଶକ,  ଜଣେ ଜେଲ ସୁପରିଟେଣ୍ଡେଣ୍ଟ, ଜଣେ  ଉପ ଜିଲ୍ଲାପାଳ,  ୨ ଜଣ ତହସିଲଦାର,  ୨ ଜଣ ବିଡିଓ ଓ ୩ ସିଏସଓ ।