କନକ  ବ୍ୟୁରୋ : ଖୋଲୁଛି ୧୦ ଟନ୍ ବିସ୍ଫୋରକ ପଛର ରହସ୍ୟ । ଖାଲି ଆଖିକୁ ବିସ୍ଫୋରକ, ହେଲେ ଗୁଇନ୍ଦା ପାଇଛି ଏହା ପଛର ସତ । ଆମେ କହୁଛୁ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୁଲିସକୁ ମିଳିଥିବା ବେଆଇନ ବିସ୍ଫୋରକ ସାମଗ୍ରୀର କଥା । ମିଳିଥିଲା ଜିଲୋଟିନ୍, ଆପେକ୍ସ ବୁଷ୍ଟର, କାରଡେକ୍ସ ଓ ଡିଟୋନେଟର୍ । ପ୍ୟାକେଟ୍‌ ଉପରେ ଜଳ ଜଳ ହୋଇ ଦିଶୁଛି ସଂସ୍ଥାର ନାଁ । ଏପି ଏକ୍ସପ୍ଲୋସିଭସ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାରେ ଏହାକୁ ତିଆରି କରାଯାଇଥିବା ଉଲ୍ଲେଖ ରହିଛି । ଠିକଣା ହେଉଛି ତେଲେଙ୍ଗାନା ରାଜ୍ୟର ୟାଦାରି ଭୋଙ୍ଗିର ଜିଲ୍ଲା । ଏପରିକି ସାର୍ଟିଫାଏଡ୍ କମ୍ପାନିର ରେଜିଷ୍ଟ୍ରେସନ ନମ୍ୱର ବି ଉଲ୍ଲେଖ କରାଯାଇଛି । ଏଥିରେ ଥିବା କମ୍ପାନିର ଲୋଗୋ ସବୁକିଛି ସ୍ପଷ୍ଟ ଭାବରେ ବୟାନ କରୁଛି ଯେ, ଏହି ସଂସ୍ଥାର ମାଲିକାନା କାହା ନାଁରେ ରହିଛି । ତେବେ ଏହି ସଂସ୍ଥାର ମାଓ ଲିଙ୍କ୍‌ ନେଇ ଖୋଳତାଡ଼ କରୁଛି ଗୁଇନ୍ଦା ବିଭାଗ ।

Advertisment

ଖାଲି ସେତିକି ନୁହେଁ ମାଇନିଂ କମ୍ପାନି ସହ ମାଓବାଦୀଙ୍କ ଲିଙ୍କ୍‌ ବାବଦରେ ଠୋସ୍ ପ୍ରମାଣ ମିଳି ସାରିଛି । ଏହି ବିସ୍ଫୋରକ ସାମଗ୍ରୀ ପୂର୍ବରୁ ବି ଦେଖିବାକୁ ମିଳିଥିଲା । ଗତ ୧୭ ଜୁଲାଇରେ କନ୍ଧମାଳର ଗୁମ୍ମା ସଂରକ୍ଷିତ ଜଙ୍ଗଲରେ ଗାତ ଖୋଳି ପୋତା ଯାଇଥିବା ୬୦୦ ଡିଟୋନେଟର ସହ ରହିଛି ତୁମୁଡ଼ିବନ୍ଧ ବିସ୍ଫୋରକ ଲିଙ୍କ୍ । ସେତେବେଳେ ମିଳିଥିବା ବିସ୍ଫୋରକ ଏବଂ ଗତକାଲି ମିଳିଥିବା ବିସ୍ଫୋରକରେ ଗୋଟିଏ ସଂସ୍ଥାର ଲୋଗୋ ରହିଛି । ତେବେ ମାଓବାଦୀଙ୍କୁ ଏହି ଗୋଟିଏ ସଂସ୍ଥା ବିସ୍ଫୋରକ ଯୋଗାଉ ଥିବା ତଦନ୍ତରୁ ଜାଣିବାକୁ ପାଇଛି ଗୁଇନ୍ଦା ବିଭାଗ ।

ଏପି ଏକ୍ସପ୍ଲୋସିଭସ୍ ପ୍ରାଇଭେଟ୍ ଲିମିଟେଡ୍‌ର ସାମଗ୍ରୀ କେମିତି ପାଇଲେ ମାଓବାଦୀ ? କିଏ, କାହିଁକି ଓ କେଉଁ ଉଦ୍ଦେଶ୍ୟ ରଖି ମାଓବାଦୀଙ୍କ ପାଖକୁ ପଠାଉଛି ବିସ୍ଫୋରକ ? ଏହି ସଂସ୍ଥା କେତେ ବିସ୍ଫୋରକ ତିଆରି କରୁଛି ? କେଉଁ କେଉଁ ସଂସ୍ଥାକୁ କେତେ ଟନ୍ ଲେଖାଏଁ ମାଲ୍‌ ଯୋଗାଉଛି ତାର ତଥ୍ୟ ମଗାଯାଇଛି ଗୁଇନ୍ଦା ? ତେବେ ଖୁବ୍‌ଶୀଘ୍ର ଉକ୍ତ ସଂସ୍ଥାର ଗୋହି ଖୋଳିବ ଗୁଇନ୍ଦା ବିଭାଗ ।