SI Scam Photograph: (Kanak News)
କନକ ବ୍ୟୁରୋ : ସରିଲା ରିମାଣ୍ଡ । ଜେଲ ଗଲା ଦଲାଲ ବିରଞ୍ଚି ନାୟକ । ଏସଆଇ ପରୀକ୍ଷା କେଳେଙ୍କାରୀର ମାଷ୍ଟର ମାଇଣ୍ଡ ବିରଞ୍ଚିକୁ ୪ ଦିନିଆ ରିମାଣ୍ଡରେ ନେଇଥିଲା ସିବିଆଇ । ରିମାଣ୍ଡ ସରିବା ପରେ ଆଜି କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହେବାରୁ ଝାରପଡ଼ା ଜେଲ ଗଲା ବିରଞ୍ଚି । ବିରଞ୍ଚିକୁ ପଚରାଉଚରା ପରେ ସିବିଆଇ ହାତରେ ବଡ଼ ସୁରାଗ ଲାଗିଛି । ଆଶାୟୀଙ୍କୁ ଟ୍ରେନିଂ ହେବାକୁ ଦିଘା ମୋଡ୍ୟୁଲ ପାଇଁ ବିହାରରୁ ଆସିଥିଲା ନୀତିଶ କୁମାର । ନୀତିଶର ଗୁମର ଖୋଲିଛି ଦଲାଲ ବିରଞ୍ଚି ନାୟକ ।
ଅଧିକ ପଢ଼ନ୍ତୁ : ଅଲୋଡା ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ଓଡ଼ିଶା: ନିଶା କାରବାର, ବନ୍ଧୁକ ବେପାର, ସାଇବର ଲୁଟରେ ଆକ୍ତାମାକ୍ତା ପୁରା ରାଜ୍ୟ
ଗତକାଲି ବିହାରରୁ ଗିରଫ ହୋଇଥିଲା ନୀତିଶ । ୪ ଦିନ ରିମାଣ୍ଡରେ ସିବିଆଇକୁ ଗୋଟି ଗୋଟି କରି ସତ କହିଛି ବିରଞ୍ଚି । ବିରଞ୍ଚି ଲିଙ୍କରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଦଲାଲ ନିମାଇଁ ସାହୁ ଓ ssb ଯବାନ ଅର୍ଜୁନ ନାୟକକୁ ରିମାଣ୍ଡରେ ନେଇ ଏବେବି ଘାଣ୍ଟୁଛି ସିବିଆଇ । ଆଜି ମେଡିକାଲ ଯାଞ୍ଚ ପରେ, ଏହି ଦୁଇ ଦଲାଲ ନିମାଇଁ ଓ ଅର୍ଜୁନକୁ ପୁଣିଥରେ ସିବିଆଈ ଅଫିସରେ ଘନ ଘନ ଜେରା ଚାଲିଛି ।
ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇ ଛାନଭିନ୍ ଜାରି ରହିଛି । ଆଉ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ସିବିଆଇ । ବିରଞ୍ଚିର ସହଯୋଗୀ ନିମାଇଁ ସାହୁ ଓ ଏସଏସବି ଯବାନ ଅର୍ଜୁନ ନାୟକଙ୍କୁ ହେପାଜତକୁ ନେଇଥିଲା ସିବିଆଇ । ଏହି ଦୁଇଜଣଙ୍କ ସହ ମାମଲାରେ ସମ୍ପୃକ୍ତ ଆଉ ଜଣକୁ ଅଟକ ରଖି ପଚରାଉଚରା କରାଯାଉଛି। ଅଭିଯୁକ୍ତ ବିରଞ୍ଚି ସହ ସାମ୍ନାସାମ୍ନି ଜେରା କରାଯାଉଛି ।
ଏସବୁ ଭିତରେ ଏକ ନୂଆ ନାଁ ସାମ୍ନାକୁ ଆସିଛି । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଧର୍ମେନ୍ଦ୍ର ମିଡିଲ ମ୍ୟାନ୍ ବୋଲି କହିଛି ଅଭିଯୁକ୍ତ ବିରଞ୍ଚି । ତେଣୁ ପ୍ରଶ୍ନ ଉଠୁଛି କିଏ ସେହି ଧର୍ମେନ୍ଦ୍ର ? ସିବିଆଇ ରିମାଣ୍ଡରେ ଥିବା ଅଭିଯୁକ୍ତ ବିରଞ୍ଚି ନାରାୟଣ ନାୟକ ଖୋଲୁଛି ଏସଆଇ କେଳେଙ୍କାରୀର ଗୁମର। ଜେରା ବେଳେ, ଧର୍ମେନ୍ଦ୍ର ନାମକ ଜଣେ ବ୍ୟକ୍ତି ବାବଦରେ ସୂଚନା ଦେଇଛି ବିରଞ୍ଚି । ଧର୍ମେନ୍ଦ୍ର ସାଜିଥିଲା ମିଡିଲ୍ ମ୍ୟାନ୍ ଓ ଦିଘା ମଡ୍ୟୁଲ ପାଇଁ ପରୀକ୍ଷାର୍ଥୀଙ୍କ ଠାରୁ ଟଙ୍କା କାରବାରର ମାଧ୍ୟମ ସାଜିଥିଲା । ୩ ଜଣକୁ ଅଟକ ରଖି ଗତକାଲି ଠାରୁ ପଚରା ଉଚରା ବେଳେ, ସିବିଆଇ ଅନେକଗୁଡ଼ିଏ ତଥ୍ୟ ହାସଲ କରିଥିବା କୁହାଯାଉଛି ।
Follow Us