କନକ ବ୍ୟୁରୋ : ଯେଉଁଠି ଖଣି, ଯେଉଁଠି ଭୋକ, ଯେଉଁଠି ନକ୍ସଲ, ସେଇ ସୁନ୍ଦରଗଡ଼ କୋଇଡ଼ା ଅଞ୍ଚଳରେ ଠାବ ହୋଇଛି ବିରାଟ ଅଫିମ କ୍ଷେତ । ଏକର ଏକର ଜାଗାରେ ବେଧଡ଼କ ଅଫିମ ଚାଷ ଚାଲିଥିଲା । ଫୁଲ ଧରିବା ଯାଏଁ ଗଛ ବଢ଼ିସାରିଥିଲା । ଆଉ କିଛି ଦିନ ପରେ ସେଥିରେ ଧରିଥାନ୍ତା ବିଷ ଫଳ । ଯେଉଁଥିରୁ ତିଆରି ହୋଇଥାନ୍ତା ହେରୋଇନ୍ ଓ ବ୍ରାଉନସୁଗାର ଭଳି ନିଶାଦ୍ରବ୍ୟ । ହେଲେ ଠିକ୍ ଅମଳ ପୂର୍ବରୁ ମାଡ଼ିବସିଲା ପୁଲିସ୍‌ ଓ ଅବକାରୀ ବିଭାଗ ।

Advertisment

ଚାରିପଟେ ଘଞ୍ଚ ଜଙ୍ଗଲ, ମଝିରେ ଧାଡ଼ି ଧାଡ଼ି ହୋଇ ଲାଗିଛି ହଜାର ହଜାର ଗଛ, ଫୁଟିଛି ଶହ ଶହ ନିଷିଦ୍ଧ ଫୁଲ । ଏହା କାଶ୍ମୀରର ମନୋରମ ଟୁଲିପ ବଗିଚା ନୁହେଁ । ସୁନ୍ଦରଗଡ଼ କୋଇଡ଼ା ଅଞ୍ଚଳର ବେଆଇନ ଅଫିମ କ୍ଷେତ । ୫ ଏକର ଜାଗା, ୪୦ ରୁ ୫୦ ହଜାର ଗଛ, ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା । କୋଇଡ଼ା ଥାନାଠୁ ୭ କିଲୋମିଟର ଦୂର କାଲଟା ପଞ୍ଚାୟତ ପୁଣ୍ଡୁପୋଖରୀ ଗାଁକୁ ଲାଗି ଏଭଳି ୪ଟି ବିରାଟ ଅଫିମ କ୍ଷେତର ପର୍ଦ୍ଦାଫାସ କରିଛି ପୁଲିସ ଓ ଅବକାରୀ ଟିମ୍ । ୨ ପ୍ଲାଟୁନ ଫୋର୍ସ ଓ ଜେସିବି ମେସିନ୍ ସହାୟତାରେ ୫ ରୁ ୬ ଘଣ୍ଟାର କସରତ ପରେ ସବୁ ଗଛ ନଷ୍ଟ କରାଯାଇଛି ।

ଅଧିକ ପଢ଼ନ୍ତୁ : 

ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ପଛୁଆ ଅଞ୍ଚଳ କୋଇଡ଼ା । ଅନାହାର ଓ ଅପପୁଷ୍ଟିର ଉପତ୍ୟକା । ଏକଦା ଜଙ୍ଗଲ ପାହାଡ଼ ଆଢ଼ୁଆଳରେ ବେଆଇନ୍ ମାଙ୍ଗାନିଜ୍ ଚୋରି ପାଇଁ ଚର୍ଚ୍ଚାରେ ଥିଲା ଏ ଅଞ୍ଚଳ । ହେଲେ ଏବେ ଚକିତ କରିଛି ଜଙ୍ଗଲ ଜମିରେ ଏମିତି ବେଧଡ଼କ ଅଫିମ ଚାଷ । ବେଆଇନ ଅଫିମ ଚାଷ କରିଥିବା ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୨ ଜଣ ଫେରାର୍ ଅଛନ୍ତି । ଜଣାପଡ଼ିଛି, ଝାଡ଼ଖଣ୍ଡରୁ ଚାଲିଥିଲା ଅଫିମ ରାକେଟ୍ । ଝାଡ଼ଖଣ୍ଡର ୪ ଜଣ ଦୁର୍ବୃତ୍ତ ୨ ମାସ ହେଲା ଅଫିମ ଚାଷ କରୁଥିଲେ । ଏସବୁ ଔଷଧୀୟ ଚାରା କହି ଗରିବ ଆଦିବାସୀଙ୍କୁ ଟଙ୍କା ପ୍ରଲୋଭନ ଦେଖାଇ ଚାଷରେ ନିୟୋଜିତ କରିଥିଲେ । ୪ଟି ବିରାଟ ବିରାଟ ଜଙ୍ଗଲ ଜମି ସଫା କରି ଡାଳପତ୍ରରେ ବାଡ଼ କରିଥିଲେ । ପାଖରେ ବହୁଥିବା କାରୋ ନାଳରେ ୨ଟି ବଡ଼ ମୋଟର ଲଗାଇ ଜଳସେଚନ କରୁଥିଲେ । ଏତେ ସବୁ ସତ୍ତ୍ୱେ ଜଙ୍ଗଲ ବିଭାଗ ଏହାର କୌଣସି ଟେର୍ ପାଉନଥିଲା କେମିତି ? ତାହା ବଡ଼ ସନ୍ଦେହ ସୃଷ୍ଟି କରିଛି ।

ସପ୍ତାହେ ପୂର୍ବରୁ କେନ୍ଦୁଝର ବଡ଼ବିଲ ଅଞ୍ଚଳରେ ମଧ୍ୟ ଦେଢ଼ ଏକର ଅଫିମ ଚାଷ ନଷ୍ଟ କରାଯାଇଥିଲା । ଏହି ଅଫିମ ନେଟ୍ଓ୍ୱର୍କର ଚେର ଆଉ କେଉଁ ଜିଲ୍ଲାକୁ ବ୍ୟାପିଛି ?  କିଏ ଏତେ ଟଙ୍କା ଲଗାଉଛି, ଅଫିମ ଚାଷର ଜଟିଳ ତରିକା ବତାଉଛି ? ଏସବୁ ତଦନ୍ତ ସାପେକ୍ଷ ।