Major terrorist attack Photograph: (KanakNews)
କନକ ବ୍ୟୁରୋ, ଭାରତ ବିରୋଧରେ ଦୀର୍ଘ ଦିନର ଛାୟା ଯୁଦ୍ଧକୁ ପାକିସ୍ତାନ ଏବେ ନୂଆ ରୂପରେ ତୀବ୍ର କରିଛି । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଏକ ଭୟଙ୍କର ଆତଙ୍କବାଦୀ ଷଡ୍ଯନ୍ତ୍ର ପ୍ରସ୍ତୁତ କରିଛି । ଭାରତର ଏଜେନ୍ସିମାନେ ଏହି ଷଡ୍ଯନ୍ତ୍ରର ପର୍ଦ୍ଦାଫାସ କରିଛନ୍ତି ଏବଂ ବହୁତ ବଡ଼ ଆକ୍ରମଣ ଯୋଜନା ପଣ୍ଡ କରିଛନ୍ତି । ଉତ୍ତରପ୍ରଦେଶ, ହରିୟାଣା, ଗୁଜରାଟ ଓ ଜମ୍ମୁ-କାଶ୍ମୀରରେ ଚାରି ଦିନରେ ଚାରି ଜଣ ଡାକ୍ତରଙ୍କୁ ଗିରଫ କରାଯାଇଛି, ଯେଉଁମାନେ ସିଧାସଳଖ ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ।
ବିସ୍ଫୋରଣରେ ଥରିଲା ଦିଲ୍ଲୀ: ବଢ଼ିଚାଲିଛି ମୃତ୍ୟୁ ସଂଖ୍ୟା
ଦିଲ୍ଲୀର ଆଜାଦପୁର ମଣ୍ଡି, ଅହମଦାବାଦର ନାରୋଦା ବଜାର ଓ ଲକ୍ଷ୍ନୌର ଆର୍ଏସ୍ଏସ୍ ମୁଖ୍ୟାଳୟ ଭଳି ଜନଗହଳି ସ୍ଥାନରେ ରିସିନ-ମିଶ୍ରିତ ରାସାୟନିକ ଆକ୍ରମଣ ଓ ଶକ୍ତିଶାଳୀ ବୋମା ବିସ୍ଫୋରଣ ଯୋଜନା କରୁଥିବା ଏକ ଜଟିଳ ନେଟୱର୍କର ସ୍ଲିପର ଏଜେଣ୍ଟ ଭାବେ ଏହି ଡାକ୍ତରମାନେ କାର୍ଯ୍ୟ କରୁଥିଲେ । ସେଠାରୁ ୨୯୦୦ କିଲୋଗ୍ରାମରୁ ଅଧିକ ଆମୋନିୟମ ନାଇଟ୍ରେଟ ବିସ୍ଫୋରକ ଜବତ ହୋଇଛି । ଯାହା ଗଣବିଧ୍ବଂସୀ ବୋମା ବିସ୍ଫୋରଣ ପାଇଁ ଯଥେଷ୍ଟ । ଏହା ସହିତ ୨ ଲିଟର ଅତି ମାରାତ୍ମକ ରସାୟନ ଜବତ ହୋଇଛି ଯାହା ସାଇନାଇଡଠାରୁ ୬୦୦୦ ଗୁଣ ଅଧିକ ବିଷାକ୍ତ ରିସିନ ତିଆରି ପାଇଁ ହୋଇଥିଲା । ଏହା ସହିତ ବହୁ ସଂଖ୍ୟାରେ ଅତ୍ୟାଧୁନିକ ପିସ୍ତଲ, ଏକେ-୪୭ ଓ ଅଟୋମାଟିକ୍ ରାଇଫଲ ଆଦି ଜବତ ହୋଇଛି । ଡ. ମୁଜାମିଲ ଶାକିଲ ଜଣେ କାଶ୍ମୀରୀ ଅଧ୍ୟାପକ ଏବଂ ସେ ପାକିସ୍ତାନର ‘ହ୍ୱାଇଟ-କଲାର ଆତଙ୍କ’ ରଣନୀତିର ପ୍ରତୀକ ବୋଲି କୁହାଯାଉଛି । ‘ଏନ୍କ୍ରିପ୍ଟେଡ ଆପ୍’ ଓ ‘ଅନ୍ଲାଇନ ପ୍ରୋପାଗାଣ୍ଡା’ ମାଧ୍ୟମରେ ଶିକ୍ଷିତ ବ୍ୟକ୍ତିଙ୍କୁ ଆତଙ୍କବାଦୀମାନେ ପ୍ରସ୍ତୁତ କରି ଭାରତରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ ହୋଇଛି । ଏହି ଆତଙ୍କବାଦୀମାନେ ବିଭିନ୍ନ ରାଜ୍ୟର ଜନଗହଳି ସ୍ଥାନରେ ଆକ୍ରମଣ ଯୋଜନା କରୁଥିଲେ ।
Follow Us