କନକ ବ୍ୟୁରୋ : ଜଗତସିଂହପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । କଟକରୁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ପରେ ଅଭିଯୁକ୍ତକୁ ଡାକ୍ତରୀ ମାଇନା ପାଇଁ ନିଆଯାଇଛି । ସେପଟେ ଅନ୍ୟ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।
ଆଜି ଦ୍ୱିତୀୟ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଜଗତସିଂହପୁର ଏସ୍ପି ସୂଚନା ଦେଇଛନ୍ତି । ଅଭିଯୁକ୍ତକୁ ଧରିବା ପାଇଁ ଟିମ୍ ଗଠନ ହୋଇଛି । ଏସ୍ପିଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ଗଠନ କରାଯାଇଛି । ବାନ୍ଧବୀଙ୍କ ସହ ଆସୁଥିବା ବେଳେ ବିଲକୁ ଟେକିନେଇ ଦୁଇ ଯୁବକ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଥିଲା । ଗୁରୁତର ଅବସ୍ଥାରେ ୧୮ ବର୍ଷୀୟ ଛାତ୍ରୀ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସଦର ଥାନା ମଜୁରାଇ ଚାନ୍ଦଗଡ଼ ଅଞ୍ଚଳର ଯୁବତୀ ରାତି ପ୍ରାୟ ୮ଟା ବେଳେ ଏକ ଜନ୍ମଦିନ ଉତ୍ସବକୁ ଯାଉଥିଲେ । ଜନ୍ମଦିନରେ ଶୀଘ୍ର ପହଞ୍ଚିବା ପାଇଁ ବିଲ ରାସ୍ତା ଦେଇ ବାନ୍ଧବୀଙ୍କ ସହ ଯାଉଥିବା ସମୟରେ ଦୁଇ ଜଣ ଯୁବକ ପୀଡ଼ିତାଙ୍କ ପାଟିକୁ ବନ୍ଦ କରି ଟେକି ନେଇ ଦୁଷ୍କର୍ମ କରିଥିଲେ । ତେବେ ଯୁବତୀ ଜଣକ ଚିତ୍କାର କରି ନିଜ ଘରକୁ ଦୌଡ଼ି ପଳେଇ ଆସିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ଏନେଇ ପୀଡ଼ିତାଙ୍କ ବାପା ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି ।