କନକ ବ୍ୟୁରୋ : ନିରୂପମା ପରିଡା.. ବୟସ ୨୨ ବର୍ଷ । ଘର ରଣପୁର ନୟାଗଡ଼ । ଭୁବନେଶ୍ୱରକୁ କାମ କରିବାକୁ ଯାଇଥିଲେ, କିନ୍ତୁ କଙ୍କାଳ ହୋଇ ଫେରିଲେ । ଇଏ ଏମିତି ଏକ କାହାଣୀ, ଯାହା ଶୁଣିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ । ପଲିଥିନ ଭିତରେ ରହିଛି ନିରୁପମାଙ୍କ କଙ୍କାଳ । ଖୋର୍ଦ୍ଧା ତାପଙ୍ଗର ନିଜିଗଡ଼ରେ ଝିଅର ମୃତଦେହ ଦେଖି ଛାତି ଫଟାଇ କାନ୍ଦୁଛନ୍ତି ବାପା । ସାଇଣ୍ଟିଫିକ୍ ଟିମ୍ ସହ କମିଶନରେଟ୍ ପୁଲିସ ଚଳାଇଛି ସରଜମିନ୍ ତଦନ୍ତ । ୮ ମାସ ତଳେ, ୨୭ ଜାନୁଆରିରୁ ନିରୁପମା ନିଖୋଜ ନେଇ ଭରତପୁର ଥାନାରେ ଅଭିଯୋଗ ହୋଇଥିଲା । ହେଲେ ୮ ମାସ ପରେ, ନିରୁପମା ମିଳିଲେନି, ତାଙ୍କ ଜିନ୍ସ ପ୍ୟାଣ୍ଟ ପିନ୍ଧା କଙ୍କାଳ ମିଳିଲା । ସମ୍ପର୍କରେ ସନ୍ଦେହ ଯୋଗୁଁ ପ୍ରେମିକ ପିଶାଚ ପାଲଟିଗଲା ।
ଗୋଟିଏ ପଟେ, ନିଖୋଜ ନିରୁପମାଙ୍କୁ ପୁଲିସ ଖୋଜୁଥିଲା । ଅନ୍ୟପଟେ ନିରୁପମାଙ୍କ ଫୋନରୁ ଚାଟିଂ ଚାଲୁଥିଲା । ଆଉ ଏଟିମରୁ ତିନିଥରରେ ୬୦ ହଜାର ଟଙ୍କା ଉଠାଯାଇଥିଲା । ଯେଉଁଠି ନିରୁପମା ମୃତ କି ଜୀବିତ ଜାଣିବା ପୁଲିସ ପାଇଁ ଥିଲା କାଠିକର ପାଠ । ଏପ୍ରିଲ ମାସରେ ଫୋନ୍ ବନ୍ଦ ହୋଇଯିବା ପରେ, ସନ୍ଦେହ ଘେରକୁ ଆସିଥିଲା ପ୍ରେମିକ ଦେବାଶିଷ ବିଶୋଇ । ଆଉ ଖୋଲି ଥିଲା ହତ୍ୟାକାଣ୍ଡ ପଛର ଅସଲ ରହସ୍ୟ । ସମ୍ପର୍କରେ ସନ୍ଦେହ ହେବାରୁ ପ୍ରେମିକା ନିରୁପମାଙ୍କୁ ରାସ୍ତାରୁ ହଟାଇବାକୁ ହତ୍ୟାକାଣ୍ଡର ପ୍ଲଟ ତିଆରି କରିଥିଲା । ଭୁଲେଇ ଭାଲେଇ ଲଭର୍ସ ପଏଣ୍ଟକୁ ନେଇଥିଲା । ତାପଙ୍ଗର ନିକାଞ୍ଚ ସ୍ଥାନରେ ନିରୁପମାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା । ମୃତଦେହକୁ ଖଣି ଭିତର ବୁଦା ଭିତରକୁ ଫୋପାଡ଼ି ଚମ୍ପଟ ମାରିଥିଲା । ଆଉ ନିରୁପମାଙ୍କ ଜୀବିତ ଦର୍ଶାଇ ତାଙ୍କ ମୋବାଇଲ ଫୋନ ଧରି ଅନ୍ୟମାନଙ୍କୁ ମେସଜ କରୁଥିଲା ।
ପ୍ରେମିକର ସାମାନ୍ୟ ସନ୍ଦେହ ତାକୁ ସୈତାନ ବନାଇ ଦେଲା । ହତ୍ୟାକାଣ୍ଡ ସବୁଦିନ ପାଇଁ ଜେଲର ଚାରିକାନ୍ଥ ଭିତରକୁ ଠେଲିଦେଲା । ପିଶାଚ ପ୍ରେମିକ ଦେବାଶିଷର ଏହି କାରନାମା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।