କନକ ବ୍ୟୁରୋ : ଲାଇସେନ୍ସ ପ୍ରାପ୍ତ ବନ୍ଧୁକଧାରୀଙ୍କ ଗୁଳି ବେପାର । ନିଜେ ଲାଇସେନ୍ସରେ ବନ୍ଧୁକ ରଖି ଶିକାରୀଙ୍କୁ ଯୋଗାଉଥିଲେ ଗୁଳି । ୨୦୧୫ରୁ ୨୦୨୫ ମଧ୍ୟରେ ନିଜ ବନ୍ଧୁକ ନାଁରେ କିଣିଛନ୍ତି ୯୫୪ଟି ଗୁଳି । ଶିକାରୀଙ୍କୁ ଗୁଳି ବିକ୍ରି କରି ରୋଜଗାର କରୁଥିଲେ ଟଙ୍କା । ୨୦୨୩ ମସିହାରେ ଶିମିଳିପାଳ ଜାତୀୟ ଉଦ୍ୟାନରେ ଘଟିଥିବା ଏକ ବନ୍ୟଜନ୍ତୁ ଶିକାର ଘଟଣାରେ ଗିରଫ କରାଯାଇଥିବା ୩ଜଣ ଶିକାରୀଙ୍କ ବୟାନକୁ ଆଧାର କରି ଏହି ଗୁଳି ବ୍ୟବସାୟୀକୁ ଗିରଫ କରିବାରେ ସଫଳ ହୋଇଛି ବାଙ୍ଗିରିପୋଷି ପୋଲିସ । ଗିରଫ ଗୁଳି ବ୍ୟବସାୟୀ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଧବଣିଷୋଳର ଚିତ୍ତରଞ୍ଜନ ଗିରି । ୬୭ ବର୍ଷୀୟ ବୃଦ୍ଧ କରୁଛନ୍ତି ଏଭଳି ସାଙ୍ଘାତିକ ବ୍ୟବସାୟ । 

Advertisment

ଅଭିଯୁକ୍ତ ଠାରୁ ତାର ଲାଇସେନ୍ସ ବନ୍ଧୁକ, ୪ଟି ଅଫୁଟା ଗୁଳି ଓ ୩୫ଟି ଗୁଳି କିଣିଥିବାର ରସିଦକୁ ଜବତ୍ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ବାଙ୍ଗିରିପୋଷି ପୁଲିସ । ଅଭିଯୁକ୍ତ ବୃଦ୍ଧ ଜଣଙ୍କ ବାଲେଶ୍ଵର, ଭୁବନେଶ୍ବର, କଟକ ଓ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳରୁ ଏହିସବୁ ଗୁଳି କିଣିଥିବା ତଦନ୍ତରୁ ଜଣାପଡ଼ିଥିବା ବେଳେ ସେ କିଭଳି ଭାବେ ଏତେ ପରିମାଣର ଗୁଳି କିଣୁଥିଲା ଏବଂ ଏଥିପ୍ରତି ଆଜିଯାଏଁ କାହାରି ଦୃଷ୍ଟି ଆକର୍ଷଣ ନହେବା ଘଟଣା ସମସ୍ତଙ୍କୁ ସନ୍ଦେହରେ ପକାଇଛି।