କନକ ବ୍ୟୁରୋ: ନାରୀ ନିର୍ଯାତନାରେ ଦିନକୁ ଦିନ ଲଜ୍ଜିତ ହେବାରେ ଲାଗିଛି ଓଡ଼ିଶା । ଶିକ୍ଷକ ଓ ପ୍ରେମିକ ଦ୍ବାରା ନାରୀ ନିର୍ଯାତିତ ଖବର ପରେ ଏବେ ଯୋଡ଼ି ହେଉଛନ୍ତି ଜଣକ ପରେ ଜଣେ ନେତା । ରାଜ୍ୟରେ ଏବେ ନାରୀ ସୁରକ୍ଷାକୁ ନେଇ ରାଜନୀତି ଜୋରଦାର ଚାଲିଥିବାବେଳେ ପୁଣି ଜଣେ ନେତାଙ୍କ ନାଁରେ ଆସିଛି ନାରୀ ନିର୍ଯାତନାର ଖବର । ତା’ ପୁଣି ବିରୋଧୀ ଦଳ ବିଜେଡିର ଜଣେ ଟାଣୁଆ କର୍ପୋରେଟରଙ୍କ ନାଁରେ । ଯାହାକୁ ନେଇ ଏବେ ଉଠୁଛି ପଡୁଛି ରାଜ୍ୟ ରାଜନୀତି ।

Advertisment

କେତେବେଳେ ଦଳୀୟ ବିଶୃଙ୍ଖଳା ପାଇଁ ତ କେତେବେଳେ ରାଜନୈତିକ କାର୍ଯ୍ୟକଳାପକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା କର୍ପୋରେଟର୍ ଅମରେଶ ଜେନା ଓରଫ ବାୟାଁଙ୍କ ବିରୋଧରେ ସଙ୍ଗିନ୍‌ ଅଭିଯୋଗ ଆସିଛି । ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଓ ଗର୍ଭନଷ୍ଟ କରିବା ସହ ହତ୍ୟା ଧମକ ଦେବା ନେଇ ଲକ୍ଷ୍ମୀସାଗର ଥାନାରେ ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି । ଏନେଇ ଲକ୍ଷ୍ମୀସାଗର ଥାନା ପୁଲିସ କେସ୍ ନଂ-୩୯୪ରେ ବିଏନ୍ଏସ୍ ଦଫା ୬୪(୨)(ଏମ), ୮୯, ୨୯୬, ୩୫୧(୨) ଓ ପୋକ୍‌ସୋ ଆକ୍ଟ-୨୦୧୨ର ଧାରାର ୬ରେ ମାମଲା ରୁଜୁ କରିଛି । ପୁଲିସ ମାମଲା ରୁଜୁ ପରେ ଯୁବତୀଙ୍କ ଡାକ୍ତରୀ ମାଇନା କରାଇବା ସହ ବିଏନ୍ଏସ୍ଏସ୍ ଦଫା-୧୮୩ରେ ଯୁବତୀଙ୍କ ବୟାନ ରେକର୍ଡ କରିଛି ।

ଯୁବତୀ ଜଣଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତ ୨୦୨୩ ମସିହାରେ ସେ ୧୭ ବର୍ଷ ବୟସର ହୋଇଥିବା ବେଳେ ଏକ ରଜ ଉତ୍ସବ କାର୍ଯ୍ୟକ୍ରମରେ ତାଙ୍କର କର୍ପୋରେଟର୍ ବାୟାଁଙ୍କ ସହ ସାକ୍ଷାତ ହୋଇଥିଲା । ପରସ୍ପର ପରିଚିତ ହେବା ପରେ ବାୟାଁ ତାଙ୍କୁ ଏକ ମୋବାଇଲ୍ ଉପହାର ଦେଇଥିଲେ । କିଛିଦିନ କଥାବାର୍ତ୍ତା ପରେ ବାୟାଁ ଭଲପାଉଥିବା କହିଥିଲେ । ବାରମ୍ବାର ପ୍ରେମ ନିବେଦନ ପରେ ନାବାଳିକା ତାଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ । ଏହାପରେ ବାୟାଁ ତାଙ୍କୁ ପୁରୀକୁ ନେଇ ସେଠାରେ ଜଣେ ସାଙ୍ଗଙ୍କ ଘରେ ରଖି ଶାରୀରିକ ସମ୍ପର୍କ ଏହାପରେ ବିଭିନ୍ନ ସମୟରେ ବୁଲାବୁଲି ସହ ଉଭୟ ସମ୍ପର୍କ ରଖିଥିଲେ । ଗତ ୨୦୨୪ ମସିହା ଫେବ୍ରୁଆରି ମାସରେ ସେ ଦୁଇମାସର ଗର୍ଭବତୀ ଥିବା ଜଣାଇବା ପରେ ବାୟାଁ ଚତୁରତାର ସହ ତାଙ୍କ ଗର୍ଭ ନଷ୍ଟ କରିଥିଲେ । ସେ କହିଥିଲେ ଯେ ମୋର ପତ୍ନୀଙ୍କ ସହ ଠିକ୍ ଚାଲିନାହିଁ । ମୁଁ କିଛି ମାସ ମଧ୍ୟରେ ଛାଡ଼ପତ୍ର ଦେବି ତେଣୁ ତୁମେ ଗର୍ଭ ନଷ୍ଟ କରିଦିଅ ଛାଡ଼ପତ୍ର ପରେ ଆମେ ବିବାହ କରିବା । ଏହାପରେ ଯୁବତୀ ଗର୍ଭ ନଷ୍ଟ କରିଥିଲେ । ଗର୍ଭ ନଷ୍ଟ ପରେ ମଧ୍ୟ ଉଭୟ ପୂର୍ବ ଭଳି ବିଭିନ୍ନ ସ୍ଥାନକୁ ଯାଇ ସମ୍ପର୍କ ରଖିଥିଲେ । ତେବେ ଗତ ଏପ୍ରିଲ୍ ମାସରେ ବାୟାଁ ଯୁବତୀଙ୍କୁ ନିଜ କାର୍‌ରେ ନେଇ ହଠାତ୍ ତାଙ୍କଠାରୁ ମୋବାଇଲ୍ ଛଡ଼ାଇ ନେଇଥିଲେ । ଆଉ ଦୂରେଇ ରହିବାକୁ କହିଥିଲେ । ଉଭୟଙ୍କ ଭିତରେ ଥିବା ସମ୍ପର୍କ ଓ ଘଟଣା ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ । ଯାହାକୁ ନେଇ ଆଜି ଯୁବତୀ ଜଣଙ୍କ ବାୟାଁଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ କର୍ପୋରେଟର୍ ବାୟାଁ ଜେନା କହିଛନ୍ତି ଯେ ମୋ ବିରୋଧରେ ଏହା ଏକ ଷଡ଼୍‌ଯନ୍ତ୍ର, ମୁଁ ସେ ଝିଅକୁ ଜାଣିନାହିଁ । ଯଦି ତଦନ୍ତରେ ପୁଲିସ ମୋର ସେଭଳି କିଛି ସମ୍ପୃକ୍ତି ପାଏ, ତେବେ ମୋତେ ଗିରଫ କରୁ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ବାୟାଁ ।

ଖାଲି ବାୟାଁ ନୁହେଁ ନିକଟରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ମଧ୍ୟ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଗିରଫ କରିଥିଲା । ମଞ୍ଚେଶ୍ବର ଥାନା ପୁଲିସ ଗତ ରାତିରେ ଉଦିତଙ୍କୁ ଉଠାଇ ନେଇ କୋର୍ଟ ଚାଲାଣ ମଧ୍ୟ କରିଥିଲା । ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ୧୮ତାରିଖ ଅପରାହ୍ଣରେ ସେ, ତାଙ୍କର ଜଣେ ବାନ୍ଧବୀ ଓ ଜଣେ ସହପାଠୀଙ୍କ ସହ ମିଶି ମାଷ୍ଟରକ୍ୟାଣ୍ଟିନ୍‌ ଛକକୁ ବୁଲିବାକୁ ଯାଇଥିଲେ । ସେଠାରେ ସହପାଠୀ ଜଣକ ଉଦିତ ପ୍ରଧାନଙ୍କୁ ସେମାନଙ୍କ ସହ ପରିଚିତ କରାଇଥିଲେ । ଏହାପରେ ଉଦିତଙ୍କ ଗାଡ଼ିରେ ସେମାନେ ନୂଆପଲ୍ଲୀସ୍ଥିତ ଏକ ହୋଟେଲକୁ ଯାଇଥିଲେ । ହୋଟେଲ୍‌ରେ ସେମାନେ ମଦ ପିଇଥିଲେ । କିନ୍ତୁ ପୀଡ଼ିତା ମଦ ପିଇବାକୁ ମନା କରିଥିଲେ । ତେଣୁ ଉଦିତ ତାଙ୍କୁ ମୃଦୁପାନୀୟ ପିଇବାକୁ କହିଥିଲେ । ସେଥିରେ କୌଣସି ନିଶା ମିଶାଇ ତାଙ୍କୁ ପିଇବାକୁ ଦେଇଥିଲା କିଛି ସମୟ ପରେ ତାଙ୍କ ମୁଣ୍ଡ ଘୂରାଇ ଦେଇଥିଲା । ଏହାପରେ ସେ ସଂଜ୍ଞାହୀନ ହୋଇପଡ଼ିଥିଲେ । ତାଙ୍କର ହୋସ୍‌ ଫେରିବା ବେଳକୁ ସେ ଦେଖିଲେ ଯେ ଉଦିତ ତାଙ୍କ ସହିତ କିଛି ଖରାପ କାମ କରିଛି । ଏନେଇ ସେ ପଚାରିବାରୁ ଉଦିତ ତାଙ୍କୁ ଧମକ ଦେଇଥିଲେ । ଅଭିଯୋଗ କଲେ, ତାଙ୍କୁ ଭୟଙ୍କର ପରିଣତି ଭୋଗିବାକୁ ପଡ଼ିବ ବୋଲି କହିଥିଲେ ।

ଘଟଣାର ଏବେ ତଦନ୍ତ ଚାଲିଥିବାବେଳେ ଉଦିତ ପ୍ରଧାନଙ୍କୁ ନିଲମ୍ବିତ କରିଛି ଦଳ ଏବଂ ସତ୍ୟାସତ୍ୟ ଜାଣିବାକୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ମଧ୍ୟ ଭକ୍ତଦାସ ଗଠନ କରିଛନ୍ତି । ହେଲେ ପ୍ରଥମେ କଂଗ୍ରେସ ଛାତ୍ର ନେତା, ପରେ ବିଜେଡି କର୍ପୋରେଟରଙ୍କ ନାଁ ନାରୀ ନିର୍ଯାତନାରେ ଯୋଡ଼ି ହୋଇଛି । ଯାହାକୁ ଶାସକ ଦଳର ପ୍ଲାନ୍ ବୋଲି କହୁଛନ୍ତି ବିରୋଧୀ । ସେ ଯାହା ବି ହେଉ, ତଦନ୍ତ ପରେ କିଏ ସତ କିଏ ମିଛ ସବୁ ସାମ୍ନାକୁ ଆସିବ । ହେଲେ ଏବେ ନାରୀ ନିର୍ଯାତନାରେ ନେତାଙ୍କ ନାଁ ଯୋଡ଼ି ହେବା ପରେ ସାଧାରଣରେ ଯେତିକି ଚର୍ଚ୍ଚା ହେଉଛି ତା’ଠୁ ଅଧିକ ରାଜନୈତିକ ପାଣିପାଗକୁ ଗରମ କରୁଛି ।