କନକ ବ୍ୟୁରୋ : ସ୍ୱାମୀକୁ ମାରିବା ପାଇଁ ଷଡ଼୍ଯନ୍ତ୍ର ରଚିଥିଲା ସ୍ତ୍ରୀ । ବିବାହର ୩୦ ଦିନ ଯାଇନି, ସ୍ୱାମୀକୁ ଜୀବନରୁ ମାରିଦେଲା ସ୍ତ୍ରୀ । ମାଆ ଓ ଝିଅ ମିଶି ରଚିଥିଲେ ଷଡ଼୍ଯନ୍ତ୍ର । ମାଆ ଝିଅଙ୍କ ପରକୀୟା ପ୍ରୀତି ଯୋଗୁଁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ମେ’ ୧୮ରେ ହୋଇଥିଲା ବାହାଘର । ବାହାଘରର ମାସକ ପୂର୍ବରୁ ହଠାତ ଘଟିଲା ଅଘଟଣ । ହସ ଖୁସିରେ ବାହା ହୋଇଥିବା ବ୍ୟକ୍ତି ଜଣଙ୍କ ଜୁନ ୧୭ରେ ନିଖୋଜ ହୋଇଯାଇଥିଲେ । ତାଙ୍କୁ ପରିବାର ଲୋକ ଓ ପୁଲିସ୍ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ପୁଲିସ୍ ତଦନ୍ତ ଜାରି ରଖିଥିଲା । ଏକ କେନାଲରୁ ବ୍ୟକ୍ତି ଜଣଙ୍କ ମୃତଦେହ ମିଳିଛି । ଆନ୍ଧ୍ର ପ୍ରଦେଶର କୁର୍ଣ୍ଣୁଲ ଅଞ୍ଚଳରେ ଏଭଳି ଘଟଣା ଘଟିଛି।
ମୃତଦେହ ମିଳିବା ପରେ ପୂରା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି । ଚର୍ଚ୍ଚାକୁ ଆସିଛି ପତ୍ନୀଙ୍କ ପରକୀୟା ପ୍ରୀତି । ପୁଲିସ୍ ମୃତକଙ୍କ ପତ୍ନୀ ଓ ତାଙ୍କ ମାଆଙ୍କୁ ଅଟକ ରଖି ଜେରା ଆରମ୍ଭ କରିଛି । କେବଳ ପତ୍ନୀ ନୁହେଁ ବରଂ ଝିଅର ମାଆ ମଧ୍ୟ ସେହି ପ୍ରେମିକକୁ ଭଲ ପାଉଥିଲେ । ରାଜା ରଘୁବଂଶୀଙ୍କ ଭୟଙ୍କର ହନିମୁନ ମର୍ଡର ସ୍ମୃତିକୁ ତାଜା କରିଦେଇଛି ଏହି ହତ୍ୟାକାଣ୍ତ ।
ଆନ୍ଧ୍ରରେ ୩୨ ବର୍ଷୀୟ ତେଜେସ୍ୱରଙ୍କ ମୃତଦେହ ମିଳିବା ପରେ ତାଙ୍କ ପତ୍ନୀଙ୍କୁ ପୁଲିସ ଅଟକ ରଖିଛି । ମେ’ ୧୮ରେ ବିବାହ କରିଥିବା ତେଜେସ୍ୱର ଜୁନ ୧୭ରେ ହଠାତ୍ ନିଖୋଜ ହୋଇଯାଇଥିଲେ । ସେ ଜଣେ ଘରୋଇ ଜମି ସର୍ଭେକାରୀ ଓ ଜଣେ ଡ୍ୟାନ୍ସ ଶିକ୍ଷକ ଭାବେ କାମ କରୁଥିଲେ । ତେଜେସ୍ୱରଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ପରକୀୟା ପ୍ରୀତି ଚାଲିଥିଲା ଓ ସେ ହିଁ ସ୍ୱାମୀଙ୍କୁ ବେଶ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି । ଏପରି ଅଭିଯୋଗ ପରେ ପୁଲିସ୍ ଐଶ୍ୱର୍ଯ୍ୟା ଓ ତାଙ୍କ ମା’ ସୁଜାତାଙ୍କୁ ଅଟକ ରଖି ଜେରା ଆରମ୍ଭ କରିଛି ।
ଐଶ୍ୱର୍ଯ୍ୟାଙ୍କ ମାଆ ସୁଜାତା ବ୍ୟାଙ୍କରେ କାମ କରନ୍ତି । ବ୍ୟାଙ୍କର ଜଣେ କର୍ମଚାରୀଙ୍କ ସହ ଐଶ୍ୱର୍ଯ୍ୟାଙ୍କ ପ୍ରେମ ସମ୍ପର୍କ ରହିଥିଲା । ସମାନ୍ତରଳ ଭାବେ ସେ ତେଜେସ୍ୱରଙ୍କୁ ମଧ୍ୟ ନିଜର ପ୍ରେମ ଜାଲରେ ଫସାଇଥିଲେ । ଚାଞ୍ଚଲ୍ୟକର କଥା ହେଲା ମାଆ ଓ ଝିଅ ଉଭୟ ସେହି ବ୍ୟାଙ୍କ କର୍ମଚାରୀକୁ ଭଲ ପାଉଥିଲେ । ବାହାଘର ପରେ ମଧ୍ୟ ଐଶ୍ୱର୍ଯ୍ୟା ତାଙ୍କ ବ୍ୟାଙ୍କ ପ୍ରେମିକଙ୍କୁ ଭୁଲି ପାରି ନଥିଲେ । ଏଥିପାଇଁ ସେ ଓ ତାଙ୍କ ମାଆ ସହ ମିଶି ତେଜେସ୍ୱରଙ୍କୁ ହତ୍ୟା ପାଇଁ ଷଡ଼୍ଯନ୍ତ୍ର କରିଥିଲେ । ବାହାଘରର ଠିକ ମାସ ପୂର୍ତ୍ତି ପୂର୍ବରୁ ହତ୍ୟାକାଣ୍ତ ଘଟାଇଥିଲେ ।