କନକ ବ୍ୟୁରୋ : ଗାଡ଼ି ଅଟକାଇଦେଲେ ଆମେ ଚାଲି ଚାଲି ଯିବୁ । ପୁଲିସ ଅଭିଯୁକ୍ତଙ୍କୁ ନ ଧରିବା ଯାଏଁ ଜାରି ରହିବ ଲଢ଼େଇ । କାରଣ ଏ ଲଢ଼େଇ ଆମ ଗାଁର ମୃତ ନାବାଳିକା ଝିଅକୁ ନ୍ୟାୟ ଦେବାକୁ । ଶ୍ୟାମସୁନ୍ଦରପୁର ନାବାଳିକା ମୃତ୍ୟୁ ଘଟଣାର ୧୨ ଦିନ ପରେ ଏଭଳି ଦାବି ନେଇ ଆଜି ଏସ୍ପି ଅଫିସ ଆଗରେ ଧାରଣା ଦେଇଛନ୍ତି ଶହ ଶହ ମହିଳା ।
ଅନୁଗୁଳର ମୃତ ନାବାଳିକା ଝିଅକୁ ନ୍ୟାୟ ଦେବାକୁ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଶ୍ୟାମସୁନ୍ଦରପୁରର ଶହ ଶହ ମହିଳା । ହେଲେ ନ୍ୟାୟ ଦେବା ବଦଳରେ ମହିଳାଙ୍କୁ ହଲାପଟା କରିଛି ପୁଲିସ । ଅଧା ବାଟରେ ମହିଳା ଆସୁଥିବା ଗାଡ଼ି ଅଟକାଇ ଥିଲା ପୁଲିସ । ହେଲେ ନ୍ୟାୟ ପାଇଁ ଲଢ଼ୁଥିବା ମହିଳାଙ୍କର ମନୋବଳ ଭାଙ୍ଗି ପାରିନଥିଲା । ୭୦ ବର୍ଷୀୟା ଅନେକ ବୃଦ୍ଧା ଟାଣ ଖରାକୁ ଖାତିର ନକରି ୧୨ କିଲୋମିଟର ଚାଲି ଚାଲି ଏସ୍ପି ଅଫିସ ସାମ୍ନାରେ ପହଞ୍ଚିଥିଲେ ମଧ୍ୟ ଭେଟିବାକୁ ସୁଯୋଗ ପାଇନଥିଲେ । ଏ ମହିଳା ମାନେ ଲଢ଼ୁଥିଲେ ନିଜ ଗାଁର ୧୧ ବର୍ଷୀୟା ଝିଅଙ୍କୁ ନ୍ୟାୟ ଦେବା ପାଇଁ । ଯାହାଙ୍କ କ୍ଷତବିକ୍ଷତ ମରଶରୀର ଗତ ୭ ତାରିଖରେ ଭାଲୁଖାଇ ନାଳରୁ ଉଦ୍ଧାର କରାଯାଇଥିଲା । ନାବାଳିକାକୁ କେହି ଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକ ।
ପ୍ରଶ୍ନ ଉଠିବା ସ୍ୱାଭାବିକ, ନାବାଳିକା ମୃତ୍ୟୁର ୧୨ ଦିନ ପରେ ବି ରହସ୍ୟ ଉନ୍ମୋଚନ କରିବାରେ କାହିଁକି ବିଫଳ ପୁଲିସ ? ଯଦି ପରିବାରର ଅଭିଯୋଗ ଅନୁଯାୟୀ ହତ୍ୟା ହୋଇଥାଏ, ତେବେ କିଏ ସେହି ହତ୍ୟାକାରୀ ? ଯାଞ୍ଚ ଯେତେ ବିଳମ୍ବ ହେବ ଅଭିଯୁକ୍ତଙ୍କୁ ଖସିଯିବାକୁ ସେତିକି ସୁବିଧା ହେବନି କି ? ଅନ୍ୟପଟେ ଅନୁଗୁଳ ଏସ୍ପି କହିଛନ୍ତି, ମୃତ ନାବାଳିକାଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ରିପୋର୍ଟକୁ ଅପେକ୍ଷା କରାଯାଇଛି । ଖୁବଶୀଘ୍ର ଘଟଣା ଉପରୁ ପରଦା ହଟିବ । ଗାଁ ଲୋକଙ୍କ ଦାବି ଓ ଏସ୍ପିଙ୍କ ଦୃଢୋକ୍ତି ଭିତରେ କେବେ ନାବାଳିକା ମୃତ୍ୟୁ ରହସ୍ୟ ଖୋଲିବ ତା ଉପରେ ସମସ୍ତଙ୍କର ନଜର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/18/justice-for-shyamsundarpur-girl-2025-09-18-20-54-31.jpg)