କନକ ବ୍ୟୁରୋ : ସାମ୍ନାକୁ ଆସିବ ରାଜଧାନୀରେ ଝାଡ଼ଖଣ୍ଡ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ସତ । ରେଡ୍ ଫ୍ଲାଗ ହିସାବରେ ଗ୍ରହଣ କଲା କ୍ରାଇମ୍ବ୍ରାଞ୍ଚ । କ୍ରାଇମ ଏଗ୍ନେଷ୍ଟ ୱିମେନ୍ର ୪ ଜଣିଆ ମହିଳା ଅଫିସର ଘଟଣାର ମନିଟରିଂ କରିବେ । ତଦନ୍ତକାରୀ ଅଧିକାରୀଙ୍କୁ ଭେଟିବା ସହ ଦୋଷୀଙ୍କ ବିରୋଧରେ ପ୍ରମାଣ ଏକାଠି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି ।
ନାବାଳିକା ଦୁଷ୍କର୍ମ ଘଟଣାରେ ତଦନ୍ତ କରିବ କ୍ରାଇମ୍ବ୍ରାଞ୍ଚ CAW । କେମିତି ଝାଡ଼ଖଣ୍ଡରୁ ଭୁବନେଶ୍ୱର ଆସିଥିଲେ ନାବାଳିକା ? କୁଆଡ଼େ ଗଲା କୋଲକାତା ଦଲାଲ ? ଜଣେ ନାବାଳିକାକୁ ଦୁଷ୍କର୍ମ ଭଳି ସାଙ୍ଘାତିକ, ସମ୍ବେଦନଶୀଳ, ଅମାନୁଷିକ ଆଉ ଲୋମଟାଙ୍କୁରା ଘଟଣାକୁ ରେଡ ଫ୍ଲାଗ ଅନ୍ତର୍ଭୁକ୍ତ କରିଛନ୍ତି ଡିଜିପି । ସାରା ରାଜ୍ୟ ହୁଲୁସ୍ତୁଲ କରୁଥିବା ଏହି ଘଟଣା ପଛରେ ଥିବା ସୈତାନକୁ ସାମ୍ନାକୁ ଆଣିବାକୁ ସିନିୟର ମହିଳା ଅଫିସରଙ୍କ ନଜରରେ ରହିବ ପୂରା ଘଟଣା । କ୍ରାଇମ ଏଗ୍ନେଷ୍ଟ ୱିମେନ୍ର ୪ ଜଣିଆ ମହିଳା ଅଫିସର ଘଟଣାର ମନିଟରିଂ କରିବେ । ସେମାନେ କ୍ୟାପିଟାଲ ଥାନାରେ ପହଞ୍ଚି ତଦନ୍ତକାରୀ ଅଧିକାରୀଙ୍କୁ ଭେଟିବା ସହ ତଦନ୍ତର ଦିଗ ଉପରେ ଆଲୋଚନା କରି କମ ଦିନରେ ଚାର୍ଜସିଟ୍ ଦେବା ପ୍ରକ୍ରିୟା କରିବେ । କ୍ୟାପିଟାଲ ହସ୍ପିଟାଲରୁ ଆସିଥିବା ଏମ୍ଏଲ୍ସି, ନାବାଳିକାଙ୍କର ବିଏନ୍ଏସ୍ର ଧାରା ୧୮୦ରେ ରେକର୍ଡ ହୋଇଥିବା ବୟାନ, ସାକ୍ଷୀ ଓ ଦୋଷୀ ବିରୋଧରେ ପ୍ରମାଣ ଏକାଠି କରିବାକୁ ନିର୍ଦେଶ ଦେଇଛନ୍ତି ଡିଜିପି ।
ନାବାଳିକାଙ୍କ ବାବଦରେ ଅଧିକ ତଥ୍ୟ ପାଇଁ ଝାଡ଼ଖଣ୍ଡ ପୁଲିସକୁ ଚିଠି ଲେଖାଯାଇଛି । ନାବାଳିକାଙ୍କୁ କୋଲକାତା ଦଲାଲ ଭୁବନେଶ୍ୱରରେ ବିକ୍ରି କରିବା ପରେ, ତାଙ୍କୁ ଲକ୍ଷ୍ମୀସାଗରର ଏକ ଘରେ ରଖି ସେକ୍ସ ରାକେଟରେ ନିୟୋଜିତ କରାଯାଇଥିଲା । କେମିତି ଝାଡ଼ଖଣ୍ଡରୁ ଭୁବନେଶ୍ୱର ପହଞ୍ଚିଲେ ନାବାଳିକା ? କିଏ ସେହି କୋଲକାତା ଦଲାଲ ? କେବେ ସାମ୍ନାକୁ ଆସିବ ମାଷ୍ଟରମାଇଣ୍ଡ ?