କନକ ବ୍ୟୁରୋ : ମଧ୍ୟପ୍ରଦେଶ ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ଘଟଣାରେ ଘଟଣାସ୍ଥଳକୁ ଅଭିଯୁକ୍ତ ସୋନମଙ୍କୁ ନେବ ପୁଲିସ । ୭୨ଘଣ୍ଟିଆ ଟ୍ରାଞ୍ଜିଟ ରିମାଣ୍ଡରେ ଥିବା ସୋନମଙ୍କୁ ସଡ଼କ ପଥ ଦେଇ ଗାଜିପୁରରୁ ବିହାର ଦେଇ ମେଘାଳୟ ପୁଲିସ ସୋନମଙ୍କୁ ନେଇଯାଉଛି । ଏହା ପୂର୍ବରୁ ବକ୍ସର ଜିଲ୍ଲା ଆଦର୍ଶ ନଗର ଥାନାରେ କିଛି ସମୟ ପାଇଁ ପୁଲିସ ଗାଡ଼ି ଅଟକିବା ପରେ ପୁଣି ଆଗକୁ ବଢ଼ିଥିଲା । ରାସ୍ତାରେ ମେଘାଳୟ ପୁଲିସକୁ ସୁରକ୍ଷା ଦେବା ଦାୟିତ୍ବ ବିହାର ପୁଲିସର ଥିଲା କିନ୍ତୁ ବକ୍ସରର ସହରାଞ୍ଚଳରେ ସୁରକ୍ଷା ମିଳିଥିବା ବେଳେ ଗ୍ରାମାଞ୍ଚଳରେ ପହଞ୍ଚିଲା ବେଳକୁ ସୁରକ୍ଷା ଗାଡ଼ି ନଥିଲା । ଫଳରେ ମେଘାଳୟ ପୁଲିସକୁ ପୁଣି ଆଦର୍ଶ ନଗର ଥାନା ଫେରିବାକୁ ପଡ଼ିଥିଲା । ଏହାପରେ ସୁରକ୍ଷା ବ୍ୟବସ୍ଥା ସହ ସୋନମଙ୍କୁ ନେଇ ମେଘାଳୟ ପୁଲିସ ବାହାରିଥିଲା । ପାଟନାରୁ କୋଲକାତା ଓ ସେଠାରୁ ଗୁଆହାଟୀ ଦେଇ ସିଲଙ୍ଗ ନେବ ମେଘାଳୟ ପୁଲିସ । ରାଜା ରଘୁବଂଶୀ ହତ୍ୟା ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ମଧ୍ୟପ୍ରଦେଶ ଓ ମେଘାଳୟ ପୁଲିସ କହିଛନ୍ତି, ରାଜା ରଘୁବଂଶୀଙ୍କ ହତ୍ୟା ତାଙ୍କ ସ୍ତ୍ରୀ ସୋନମ ହିଁ କରିଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତ ରାଜ କୁଶୱାହାଙ୍କ ସହ ସୋନମଙ୍କ  ସମ୍ପର୍କ ପାଇଁ ରାଜାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପୁଲିସ କହିଛି । ମେ’ ୧୧ରେ ରାଜା ଓ ସୋନମଙ୍କ ବିବାହ ହୋଇଥିଲା । ୨୦ରେ ଉଭୟ ହନିମୁନ ପାଇଁ ଯାଇଥିଲେ ଓ ୨୩ରେ ଅଚାନକ ରାଜା ନିଖୋଜ ହୋଇଯାଇଥିଲେ । ଜାତୀୟ ଗଣମାଧ୍ୟମଗୁଡିକର ସୂଚନା ଅନୁସାରେ ରାଜା ରଘୁବଂଶୀଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଏଥିରେ କୁହାଯାଇଛି ରାଜାଙ୍କ ମୁଣ୍ଡରେ ଆଘାତର ଚିହ୍ନ ଲାଗିଛି । ତେଣୁ ରାଜାଙ୍କୁ ହତ୍ୟା କରାଯାଇଥିବା ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି । 

Advertisment

- ସୋନମଙ୍କ ସହ ୫ ଜଣଙ୍କୁ ଗିରଫ କରାଯାଇଛି
- ୭୨ଘଣ୍ଟିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ସୋନମ ରଘୁବଂଶୀ
- ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରାଇବ ପୁଲିସ
- ମେଘାଳୟରେ କେଉଁ କେଉଁ ସ୍ଥାନକୁ ଯାଇଥିଲେ ସେହି ସ୍ଥାନକୁ ନେବ ପୁଲିସ
- ହତ୍ୟା ପୂର୍ବରୁ କେଉଁ ସ୍ଥାନରେ ରହିଥିଲେ ସେଠାକୁ ନେଇ ଯିବ ପୁଲିସ 
- ରାଜାଙ୍କୁ କିପରି ହତ୍ୟା କରାଯାଇଥିଲା ତାହା ଦେଖାଇବେ ସୋନମ
- ହତ୍ୟା କରିବା ପରେ କିପରି ଫେରାର ହୋଇଥିଲେ ତାହା ଦେଖାଇବେ ସୋନମ