କନକ ବ୍ୟୁରୋ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । କୁହାଯାଉଛି କି, ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ରେ ଦୁଷ୍କର୍ମର ଚିତ୍ର ରହିଛି । ପାଖାପାଖି ଦେଢଘଣ୍ଟା ଧରି ଚାଲିଥିଲା ଦୁଷ୍କର୍ମ । ଏନେଇ କ୍ରାଇମବ୍ରାଞ୍ଚ ଡିଜି ବଡ ସୂଚନା ଦେଇଛନ୍ତି । ଏହାସହ ଡିଜିଟାଲ ପ୍ରମାଣ ପାଇଛି କ୍ରାଇମବ୍ରାଞ୍ଚ । ଯେତିକି ପ୍ରମାଣ ମିଳିଛି ତାହା ଯଥେଷ୍ଟ ବୋଲି ବି ସେ କହିଛନ୍ତି ।
ରାଜ୍ୟର ମୁଣ୍ଡ ତଳକୁ କରିଛି ଗୋପାଳପୁର ଗଣଦୁଷ୍କର୍ମ ମାମଲା । ଏହି ଘଟଣାକୁ ନେଇ ଓଡ଼ିଶାରୁ ଦିଲ୍ଲୀ ପର୍ଯ୍ୟନ୍ତ ସ୍ବର ଉଠିଛି । ଏହାରି ଭିତରେ ସାମ୍ନାକୁ ଆସିଛି ୧୭ବର୍ଷ ତଳେ ସେହି ସ୍ଥାନରେ ଘଟିଥିବା ଆଉ ଏକ ଲୋମଟାଙ୍କୁରା କାହାଣୀର ବିଡ଼ମ୍ବିତ ଅଧ୍ୟାୟ ।
ସେପଟେ, ଗୋପାଳପୁର ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଲାଗି ଦାବି କରିଥିଲା ଜାତୀୟ କଂଗ୍ରେସ । ଦଳର ୫ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗୋପାଳପୁର ବେଳାଭୂମିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲା । ଏସ୍ପିଙ୍କ ସହ ଟିମ୍ ଆଲୋଚନା ବି କରିଛି । ସମୁଦ୍ରକୂଳରେ ଆଲୋକୀକରଣ ସୁବିଧା ନଥିବାରୁ ସଇତାନ୍ମାନେ ସକ୍ରିୟ ହୋଇଥିବା ଟିମ୍ ଅଭିଯୋଗ କରିଥିଲା । କଂଗ୍ରେସ ସହ ସ୍ବର ମିଳାଇ ରାଜ୍ୟରେ ଆଇନ୍ଶୃଙ୍ଖଳା ବିଗିଡ଼ି ଯାଇଥିବା ଅଭିଯୋଗ କରିଥିଲା ବିଜେଡି । ନାରୀ ନିର୍ଯାତନା ବଢ଼ି ଚାଲିଥିଲାବେଳେ ସରକାରଙ୍କ ହସ୍ତକ୍ଷେପ ଦାବି କରିଥିଲା ଦଳ । ଖାଲି ଏତିକି ନୁହେଁ ବରଂ ଆଜି ପ୍ରେସମିଟ୍ କରି ବିଜେଡି ସ୍ପଷ୍ଟ କରିଛି କି ଆସନ୍ତା ୨୫ ତାରିଖରେ ପ୍ରତି କଲେଜ୍ ଓ ବିଶ୍ବବିଦ୍ୟାଳୟ ସାମ୍ନାରେ ଆନ୍ଦୋଳନ କରାଯିବ । ସରକାର ମାମଲାକୁ ଗମ୍ଭୀରତାର ସହ ନେଇନଥିବା ବିଜେଡି ଅଭିଯୋଗ କରିଛି ।
ଗୁରୁତ୍ବପୂର୍ଣ୍ଣ କଥାହେଲା, ଗତ ୧୫ ତାରିଖରେ ଘଟିଥିବା ଗଣଦୁଷ୍କର୍ମ ଘଟଣା, ୨୦୦୮ ନଭେମ୍ବର ୨୧ର ଆଶିଷ ତ୍ରିପାଠୀ ହତ୍ୟାକାଣ୍ଡକୁ ତାଜା କରିଛି । ବାନ୍ଧବୀଙ୍କୁ ଅସଦାଚରଣ କରୁଥିଲେ ୮ ଯୁବକ । ବିରୋଧ କରିବାରୁ ଡଙ୍ଗା କାତରେ ତାଙ୍କ ମୁଣ୍ଡକୁ ଛେଚିଥିଲେ ବେଳାଭୂମିର ବଦମାସ୍ମାନେ । ବାନ୍ଧବୀଙ୍କୁ ସୁରକ୍ଷା ଦେବାକୁ ଯାଇ ଆଶିଷ ସେଦିନ ପ୍ରାଣ ହରାଇଥିଲେ । ଅବସରପ୍ରାପ୍ତ ହାବିଲଦାର ବାପା ନାରାୟଣ ତ୍ରିପାଠୀ ଆଜି ବି ନ୍ୟାୟ ଆଶାରେ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୁଅ ହତ୍ୟାକାରୀମାନଙ୍କୁ ସଜା ଦେଇ ପାରିନଥିଲେ । ତେଣୁ ଏବେର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦୋଶରେ ଖଲାସ ଅପରାଧୀଙ୍କୁ ପୁଣିଥରେ ଜେଲ ଚାରିକାନ୍ଥକୁ ପଠାଇବେ ବୋଲି ଆଶା ବାନ୍ଧିଛନ୍ତି ୧୭ ବର୍ଷ ତଳେ ଭେଣ୍ଡିଆ ପୁଅକୁ ହରାଇଥିବା ବୁଢ଼ା ବାପା । ସଞ୍ଜ ନଇଁଲେ ଅସୁରକ୍ଷିତ ହେଉଛି ସମୁଦ୍ରକୂଳ । ଗୋପାଳପୁର ବେଳାଭୂମିକୁ ଯିବାକୁ ଡରୁଛନ୍ତି ପର୍ଯ୍ୟଟକ । ଯାହା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ହେଲେ ଏବେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ।