କନକ ବ୍ୟୁରୋ: ଗତ କିଛି ବର୍ଷ ଧରି ବ୍ରାଉନସୁଗାରର ହବ ପାଲଟିଛି ଓଡ଼ିଶାର ବିଭିନ୍ନ ଜିଲ୍ଲା । ପୁଲିସ, ଅବକାରୀ ବିଭାଗ ଓ ଏସଟିଏଫ୍ ବିଗତ ଦିନରେ କୋଟି କୋଟି ଟଙ୍କାର ବ୍ରାଉନସୁଗାର ଜବତ କରିଥିଲେ ମଧ୍ୟ ଏ ବେପାର କମିବାର ନାଧରୁନି । ଏବେବି ପୁଲିସ ଆଖିରେ ଧୂଳି ଦେଇ ବେଧଡ଼କ ଭାବେ ଚାଲିଛି ଧଳା ଜହରଠୁ ଆରମ୍ଭ କରି ସବୁଜ ଜହର ବେପାର ବଢ଼ିବାରେ ଲାଗିଛି । ବିଶେଷକରି ରାଜ୍ୟର ବିଭିନ୍ନ ସହର ଏହି ବେପାର ପେଣ୍ଠସ୍ଥଳୀ ପାଲଟିଛି । ଶିକ୍ଷିତ, ବେକାରୀ ଯୁବକମାନେ ଏହି ନିଶା କବଳରେ ପଡି ଅବାଟରେ ଯାଉଥିବା ଦେଖିବାକୁ ମିଳୁଛି ।
ଗତବର୍ଷର ଏକ ରିପୋର୍ଟ ମୁତାବକ ନିଶା ସେବନରେ ଭୁବନେଶ୍ୱର ଦେଶରେ ତୃତୀୟ ସ୍ଥାନରେ ଥିଲା । ଭୁବନେଶ୍ୱରର ୩୭ପ୍ରତିଶତ ଯୁବପିଢ଼ି ନିଶା କବଳରେ ଥିବା ରିପୋର୍ଟ ସମସ୍ତଙ୍କୁ ଚକିତ କରିଥିଲା । ତାଲିକାରେ ବେଙ୍ଗାଲୁରୁ ପ୍ରଥମ ଓ ଚେନ୍ନାଇ ଦ୍ୱିତୀୟ ସ୍ଥାନରେ ରହିଥିଲା । ନିଶା ନେଉଥିବା ବ୍ୟକ୍ତିଙ୍କ ଭିତରୁ ୭୫ପ୍ରତିଶତ ନିଜ କିଶୋର ଅବସ୍ଥାରୁ ନିଶା ସେବନ ଆରମ୍ଭ କରୁଥିବା ଜଣାପଡ଼ିଥିଲା । ଖାଲି ଏତିକି ନୁହେଁ ବଲିଉଡରେ ମଧ୍ୟ ଓଡ଼ିଶା ଗଞ୍ଜେଇର ଚାହିଦା ବଢ଼ୁଥିବା ରିପୋର୍ଟ ଦେଇଥିଲା ଏନସିବି । ଗଞ୍ଜାମର ଗଞ୍ଜେଇରେ ମତୁଆଲା ହେଉଛି ମାୟାନଗରୀ । ଯୁବପୀଢ଼ିଙ୍କଠାରୁ ଆରମ୍ଭ କରି ଗ୍ୟାଙ୍ଗଷ୍ଟର, ସିନେଷ୍ଟାରଙ୍କ ପର୍ଯ୍ୟନ୍ତ ନିଶାରେ ଚୁର୍ ହେଉଛନ୍ତି । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟବୃତ୍ତ ହୋଇ ରହିଥିବାବେଳେ ନିଶା ସେବନ ଏହାର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ଜୋର ଧରିଥିଲା ।
ନିଶାର ଫାଶରେ ଯୁବପିଢ଼ି
ବିଶ୍ୱରେ ତମାଖୁ ସେବନରେ ଦ୍ୱିତୀୟ ସ୍ଥାନରେ ଭାରତ
ଯୁବାବସ୍ଥାରେ ତମାଖୁ ସେବନ ଅଧିକ ଦେଖିବାକୁ ମିଳୁଛି
ମଦ, ଗଂଜେଇ ଓ ତମାଖୁ ସହ କୋକେନ, ହେରୋଇନ ସେବନ ବଢ଼ୁଛି
ଏକ୍ସଟାସି, ହାଲୁସିନୋଜେନ୍ସ, ମେଥାମ୍ଫେଟାମାଇନ ନେଉଛନ୍ତି ଯୁବପିଢ଼ି
ଏହାଦ୍ୱାରା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ
ନିଶା ଛାଡ଼ିବା ପାଇଁ ୪୦% ନିଜର ଇଚ୍ଛା ଜାହିର କରିଛନ୍ତି
୧୯.୫% ନିଶା ଛାଡ଼ିବା ଉପରେ ବିଚାର କରିବେ ବୋଲି କହିଛନ୍ତି
ତମାଖୁ ଓ ମଦର ସହଜ ଉପଲବ୍ଧତା ଉପରେ ନିୟନ୍ତ୍ରଣକୁ ଗୁରୁତ୍ୱ
ଗୋଷ୍ଠୀ ସ୍ତରରେ ବ୍ୟାପକ ସଚେତନତା ଉପରେ ଗୁରୁତ୍ୱ
ଉଚ୍ଚ ଶିକ୍ଷିତ ଯୁବକମାନେ କାମଧନ୍ଦା ନପାଇବାରୁ ନିଶା ଖାଇ ବିଭିନ୍ନ ସମୟରେ ଚୋରି ଡକାୟତିରେ ସମ୍ପୃକ୍ତ ହେଉଥିବା ଖବର ସାମ୍ନାକୁ ଆସୁଛି । ସେପଟେ ନିଶା ଖାଇ ଅବାଟକୁ ଯାଉଥିବା ନିଜ ପିଲାଙ୍କୁ କିପରି ନିଶା କବଳରୁ ରକ୍ଷା କରିବେ ସେଥିପାଇଁ ବାରମ୍ବାର ପରିବାର ଲୋକମାନେ ନିଶା ନିବାରଣ କେନ୍ଦ୍ର ତ ଆଉ କେତେବେଳେ ପିଲାମାନଙ୍କ ନାମରେ ମାମଲା କରିବାକୁ ପଛାଉ ନାହାନ୍ତି ।
ବ୍ୟାପକ ଚୋରା ଗଞ୍ଜେଇ ଧରପଗଡ ସତ୍ୱେ ଓଡିଶାରେ ଗଞ୍ଜେଇ ଚାଷ ଓ ଗଞ୍ଜେଇର ଚୋରା କାରବାର ଥମିବାର ନାଁ ଧରୁନି । ୨୦୨୩-୨୪ ବର୍ଷରେ ରାଜ୍ୟରେ ପାଖାପାଖି ୨୦୦୦ କୁଇଣ୍ଟାଲ ଚୋରା ଗଞ୍ଜେଇ ଜବତ ହୋଇଥିବାବେଳେ ଆଉ କେତେ ଗଞ୍ଜେଇ ଯେ ରାଜ୍ୟ ବାହାରକୁ ଚାଲାଣ ହୋଇଛି ଓ ରାଜ୍ୟ ଭିତରେ ବିକ୍ରି କରାଯାଇଛି ତାହାର ନିର୍ଦ୍ଦିଷ୍ଟ ପରିସଂଖ୍ୟାନ କାହାରି ପାଖରେ ନାହିଁ ।
ଗଞ୍ଜେଇ ଚାଷକୁ ଆମ ଦେଶରେ ନିଷିଦ୍ଧ କରାଯାଇଛି । ଗଞ୍ଜେଇ ଚାଷ ସହିତ ଏହାର ପରିବହନ, ବିପ୍ପଣନ, ମହଜୁଦ ଓ ସେବନକୁ ମଧ୍ୟ ଆଇନତଃ ଅପରାଧ ଭାବେ ଗଣାଯାଇଛି । ଏହା ସତ୍ୱେ ବି ରାଜ୍ୟର ଅନ୍ୟୁନ ୧୦ଟି ଜିଲ୍ଲାରେ ବ୍ୟାପକ ଗଞ୍ଜେଇ ଚାଷ ହେଉଛି ଏବଂ ଓଡ଼ିଶା ଗଞ୍ଜେଇର ଚାହିଦା ରାଜ୍ୟ ବାହାରେ ଥିବାରୁ ଅନ୍ୟ ରାଜ୍ୟର ଚୋରା ନିଶା ମାଫିଆମାନେ ବିଭିନ୍ନ ମାଧ୍ୟମରେ ଏଠାରୁ ଗଞ୍ଜେଇ ସଂଗ୍ରହ କରି ଅନ୍ୟ ରାଜ୍ୟରେ ବିକ୍ରି କରୁଛନ୍ତି । ଏମିତିକି ସୀମା ପାର କରି ଗଞ୍ଜେଇ ଚାଲାଣ ବେଳେ ବି ଧରାପଡୁଛି ।
୨୦୨୧ ବର୍ଷରେ ୧୬୬୫ କୁଇଣ୍ଟାଲରୁ ଅଧିକ ଚୋରା ଗଞ୍ଜେଇ ଆମ ରାଜ୍ୟରେ ଜବତ ହୋଇଥିଲା । ୨୦୨୨ ବର୍ଷରେ ବି ପାଖପାଖି ଅନୁରୂପ ପରିମାଣର ଚୋରା ଗଞ୍ଜେଇ ଜବତ ହୋଇଥିଲା । ଚୋରା ଗଞ୍ଜେଇ ଜବତ ସହିତ ଏହାକୁ ବିପ୍ପଣନ ଓ ପରିବହନ କରିବାରେ ସହଯୋଗ କରୁଥିବା ଅନେକ ବ୍ୟକ୍ତିଙ୍କୁ ଗିରଫ କରାଯାଉଛି । ସରକାର ବି କୋଟି କୋଟି ଟଙ୍କା ବ୍ୟୟକରି ଗଞ୍ଜେଇ କ୍ଷେତ ନଷ୍ଟ କରୁଛନ୍ତି । ଗଞ୍ଜେଇ କ୍ଷେତ ନଷ୍ଟ ପରେ ପୁଣି ଏତେ ଗଞ୍ଜେଇ କେଉଁଠୁ ଆସୁଛି ବୋଲି ପ୍ରଶ୍ନ ଉଠୁଛି ।
ଖୋଦ ରାଜଧାନୀ ଭୁବନେଶ୍ୱରରେ ଗଞ୍ଜେଇ ସିଗାରେଟ ବିପୁଳ ପରିମାଣରେ ବିକ୍ରୟ କରାଯାଉଛି । କେତେକ କ୍ଷେତ୍ରରେ ଅବଶ୍ୟ ପୁଲିସ୍ ଚଢଉ କରି ବେଆଇନ୍ ଗଞ୍ଜେଇ ସିଗାରେଟ ଜବତ କରିବା ସହିତ ଏହାର ବିକ୍ରେତାମାନଙ୍କୁ ଧରୁଛନ୍ତି । ରାସ୍ତାଘାଟରେ ଦିନ ରାତି ଗଞ୍ଜେଇ ଧୂଆଁର ଗନ୍ଧ ଆସୁଥିବାରୁ ରାଜଧାନୀରେ କେତେ ଚୋରା ଗଞ୍ଜେଇ ବ୍ୟବହାର କରାଯାଉଛି ତାହା ସହଜରେ ଅନୁମେୟ ।
ଗଞ୍ଜେଇ ବେପାରୀମାନେ ଏବେ ସ୍କୁଲ କଲେଜ ପିଲାଙ୍କ ଠାରୁ ଆରମ୍ଭକରି ଯୁବକ ଯୁବତୀମାନଙ୍କୁ ସେମାନଙ୍କ ପାଲରେ ପକାଉଛନ୍ତି । ଗଞ୍ଜେଇ ସହ ବ୍ରାଉନସୁଗାର ବି ବିପୁଳ ପରିମାଣରେ ଉପଲବ୍ଧ ହେଉଛି । ଏହା ସହିତ ମଦ ଓ ଅନ୍ୟାନ୍ୟ ନିଶାର ଲଗାମଛଡା ପ୍ରସାର ଘଟୁଛି । ଅବସ୍ଥା ଏଭଳି ହେଲାଣି ଯେ କମିଶନରେଟ ପୁଲିସ୍ ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡିକରେ ନିଶା ସେବନ ବିରୁଦ୍ଧରେ ସଚେତନତା ସୃଷ୍ଟି କରିବାକୁ ପଡୁଛି ।
କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ, ରାଜ୍ୟର କୋଣ ଅନୁକୋଣରେ ଏବେ ଗଞ୍ଜେଇ ସହିତ ଅନ୍ୟାନ୍ୟ ଚୋରା ନିଶାର ପ୍ରସାର ବଢି ବଢି ଚାଲିଛି । ଅବକାରୀ ଓ ପୁଲିସ୍ ବିଭାଗର ପୁରୁଖା ଅଧିକାରୀମାନେ ସ୍ୱୀକାର କରୁଛନ୍ତି ଯେ ଗଞ୍ଜେଇ ଫୁଲ ଉଡାଇଲାବେଳକୁ ଖଣ୍ଡମଣ୍ଡଳ ବାସ୍ନାରେ ଭରିଯାଏ । କ୍ଷେତ୍ରରେ ଥିବା ସଂଖ୍ୟାଧିକ ନିର୍ବାଚିତ ଲୋକପ୍ରତିନିଧିଙ୍କ ଠାରୁ ଆରମ୍ଭକରି ସରକାରୀ ଅଧିକାରୀମାନେ ଏହା ଜାଣିବା ସ୍ୱାଭାବିକ ।
ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନିକଟରେ ଘୋଷଣା କରିଥିଲେ ଯେ ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା । ରାଜ୍ୟରେ ବିଭିନ୍ନ ଜାଗାରେ ଜନଜାତିର ଲୋକଙ୍କୁ ପ୍ରଲୋଭିତ କରାଇ ଅନେକ ଜାଗାରେ ଚୋରା ଗଞ୍ଜେଇ ବ୍ୟବସାୟକୁ ବନ୍ଦ କରାଯିବ । ଏନେଇ ଅଭିଯାନ ଆରମ୍ଭ ହୋଇଯାଇଛି । ମନ୍ତ୍ରୀ କହିଥିଲେ, ଏ ବର୍ଷ ସର୍ବାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ରାଜ୍ୟରେ ବିଭିନ୍ନ ଜାଗାରେ ଜନଜାତିର ଲୋକଙ୍କୁ ପ୍ରଲୋଭିତ କରାଇ ଅନେକ ଜାଗାରେ ଚୋରା ଗଞ୍ଜେଇ ବ୍ୟବସାୟ କରାଯାଉଛି । ଆଗାମୀ ଦିନରେ ଜନଜାତିର ଗରିବ ଲୋକଙ୍କୁ ମିଛ କହି ଯେଉଁମାନେ ଗଞ୍ଜେଇ ଚାଷ କରନ୍ତି ସରକାର ସେମାନଙ୍କ ଉପରେ ନଜର ରଖିଛନ୍ତି । ଗଞ୍ଜେଇ ଚାଷ କରୁଥିବା ଜନଜାତିଙ୍କୁ ଏହାର ବିକଳ୍ପ ଜୀବିକା କ’ଣ ହୋଇପାରିବ ତା’ ଉପରେ ଆଲୋଚନା କରି ସରକାର ସୁଯୋଗ ଦିଆଯିବ । ହେଲେ ବିଡ଼ମ୍ବନାର ବିଷୟ ହେଉଛି ବାପା, ମାଆ ନିଶା ସେବନ କରୁଥିଲେ ସେମାନଙ୍କ ପିଲାଙ୍କ ଉପରେ ତାର ବଡ଼ ପ୍ରଭାବ ମଧ୍ୟ ରହୁଛି । ନିଶା ସେବନର ମୁଖ୍ୟ କାରଣ ହେଉଛି ସହଜରେ ତମାଖୁ ଓ ମଦ ଉପଲବ୍ଧ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/07/24/322-2025-07-24-14-26-13.jpg)