କନକ ବ୍ୟୁରୋ : ଖୋଲୁଛି ୧୦ ଟନ୍ ବିସ୍ପୋରକ ପଛର ରହସ୍ୟ । ଖାଲି ଆଖିକୁ ବିସ୍ପୋରକ, ହେଲେ ଗୁଇନ୍ଦା ପାଇଛି ଏହା ପଛର ସତ । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ପୁଲିସକୁ ମିଳିଥିବା ବେଆଇନ ବିସ୍ପୋରକ ସାମଗ୍ରୀର କଥା । ମିଳିଥିଲା ଜିଲୋଟିନ୍, ଆପେକ୍ସ ବୁଷ୍ଟର, କାରଡେକ୍ସ ଓ ଡିଟୋନେଟର୍ । ପ୍ୟାକେଟ ଉପରେ ଜଳ ଜଳ ହୋଇ ଦିଶୁଛି ସଂସ୍ଥାର ନାଁ । ଏପି ଏକ୍ସପ୍ଲୋସିଭସ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାରେ ତିଆରି କରାଯାଇଥିବା ଉଲେଖ ରହିଛି । ଠିକଣା କହୁଛି ତେଲେଙ୍ଗାନା ରାଜ୍ୟର ୟାଦାରି ଭୋଙ୍ଗିର ଜିଲ୍ଲା । ଏପରିକି ସାର୍ଟିଫାଏଡ୍ କମ୍ପାନୀର ରେଜିଷ୍ଟେସନ ନମ୍ୱର ବି ଉଲ୍ଲେଖ କରାଯାଇଛି । ଏଥିରେ ଥିବା କମ୍ପାନୀର ଲୋଗୋ ସବୁକିଛି ସ୍ପଷ୍ଟ ଭାବରେ ବୟାନ କରୁଛି ଯେ, ଏହି ସଂସ୍ଥାର ମାଲିକାନା କାହା ନାଁରେ ରହିଛି । ତେବେ ଏହି ସଂସ୍ଥାର ମାଓ ଲିଙ୍କ ନେଇ ଖୋଳତାଡ କରୁଛି ଗୁଇନ୍ଦା ବିଭାଗ ।
ଖାଲି ସେତିକି ନୁହେଁ ମାଇନିଂ କମ୍ପାନୀ ସହ ମାଓବାଦୀଙ୍କ ଲିଙ୍କ ବାବଦରେ ଠୋସ୍ ପ୍ରମାଣ ମିଳିସାରିଛି । ଏହି ବିସ୍ପୋରକ ସାମଗ୍ରୀ ପୁର୍ବରୁ ବି ଦେଖିବାକୁ ମିଳିଥିଲ । ଗତ ୧୭ ଜୁଲାଇରେ କନ୍ଧମାଳର ଗୁମ୍ମା ସଂରକ୍ଷିତ ଜଙ୍ଗଲରେ ଗାତ ଖୋଳି ପୋତା ଯାଇଥିବା ୬୦୦ ଡିଟୋନେଟର ସହ ରହିଛି ତୁମୁଡ଼ିବନ୍ଧ ବିସ୍ପୋରକ ଲିଙ୍କ୍ । ସେତେବେଳେ ମିଳିଥିବା ବିସ୍ପୋରକ ଏବଂ ଗତକାଲି ମିଳିଥିବା ବିସ୍ପୋରକରେ ଗୋଟିଏ ସଂସ୍ଥାର ଲୋଗୋ ରହିଛି । ତେବେ ମାଓବାଦୀଙ୍କୁ ଏହି ଗୋଟିଏ ସଂସ୍ଥା ବିସ୍ପୋରକ ଯୋଗାଉ ଥିବା ତଦନ୍ତରୁ ଜାଣିବାକୁ ପାଇଛି ଗୁଇନ୍ଦା ବିଭାଗ ।
ଏପି ଏକ୍ସପ୍ଲୋସିଭସ୍ ପ୍ରାଇଭେଟ୍ ଲିମିଟେଡର ସାମଗ୍ରୀ କେମିତି ପାଇଲେ ମାଓବାଦୀ ? କିଏ, କାହିଁକି ଓ କେଉଁ ଉଦ୍ଦେଶ୍ୟ ରଖି ମାଓବାଦୀଙ୍କ ପାଖକୁ ପଠାଉଛି ବିସ୍ପୋରକ ? ଏହି ସଂସ୍ଥା କେତେ ବିସ୍ପୋରକ ତିଆରି କରୁଛି ? କେଉଁ କେଉଁ ସଂସ୍ଥାକୁ କେତେ ଟନ୍ ଲେଖାଏଁ ମାଲ ଯୋଗାଉଛି ତାର ତଥ୍ୟ ମଗାଯାଇଛି ଗୁଇନ୍ଦା ? ତେବେ ଖୁବଶୀଘ୍ର ଉକ୍ତ ସଂସ୍ଥାର ଗୋହି ଖୋଳିବ ଗୁଇନ୍ଦା ବିଭାଗ ।