କନକ ବ୍ୟୁରୋ : ଦିନେ ତାଙ୍କ ହାତରେ ରାଜ୍ୟ ସୁରକ୍ଷାର ବଡ଼ ଦାୟିତ୍ବ ଥିଲା । ଦୀର୍ଘ ବର୍ଷ ଧରି ବଡ଼ ପଦବୀରେ ରହି ଲୋକଙ୍କ ସହ ରାଜ୍ୟକୁ କିଭଳି ସୁରକ୍ଷା ଦିଆଯିବ ସେନେଇ ତାଙ୍କ ଉପରେ ସବୁକିଛି ନିର୍ଭର କରୁଥିଲା । ଏବେ କିନ୍ତୁ ତାଙ୍କୁ କରାଯାଇଛି ବୀଭତ୍ସ ହତ୍ୟା । ଆଉ କେହି ନୁହେଁ ହତ୍ୟା କରିଛନ୍ତି ତାଙ୍କ ନିଜ ପତ୍ନୀ । କର୍ଣ୍ଣାଟକ ପୂର୍ବତନ ଡିଜିପି ଓମ୍ ପ୍ରକାଶଙ୍କ ହତ୍ୟା କେମିତି ଘଟିଲା, କାହିଁକି ତାଙ୍କ ପତ୍ନୀ ଏଭଳି ଚରମ ନିଷ୍ପତ୍ତି ନେଲେ ଏସବୁ ନେଇ ଏବେ ପୁଲିସ ତଦନ୍ତ କରୁଛି । 

Advertisment

ଭୟଭୀତ, ମାନସିକ ଅସୁସ୍ଥ ସ୍ତ୍ରୀର ଭୟାବହ ରୂପ କର୍ଣ୍ଣାଟକରେ ଦେଖିବାକୁ ମିଳିଛି । ବେଙ୍ଗାଲୁରୁରେ ରହୁଥିବା ପୂର୍ବତନ ଆଇପିଏସ ଅଧିକାରୀଙ୍କୁ ଆଉ କେହି ନୁହେଁ ପତ୍ନୀ ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇଛି । ରବିବାର ପୂର୍ବତନ ଆଇପିଏସଙ୍କ ବାସଭବନରୁ ତାଙ୍କର ରକ୍ତ ଜୁଡ଼ୁବୁଡ଼ୁ ଶବ ଉଦ୍ଧାର କରାଯାଇଛି । ସବୁଠୁ ବଡ଼ କଥା ହେଉଛି ହତ୍ୟା କରି ପୁଲିସକୁ ନିଜେ ଫୋନ୍ କରି ଡାକିଥିଲେ ପତ୍ନୀ ପଲ୍ଲବୀ । କାହିଁକି ହତ୍ୟା କଲେ ଏନେଇ ବୟାନ ରେକର୍ଡ କରିଛି ପୁଲିସ…

ମୁଁ ମାରିଛି ମୋ ସ୍ବାମୀଙ୍କୁ…

-ସ୍ବାମୀ ଓମ୍‌ ପ୍ରକାଶ ସବୁବେଳେ ମୋତେ ଭୟଭୀତ କରି ରଖୁଥିଲେ 
-ମୋତେ ଓ ଝିଅକୁ ବନ୍ଧୁକ ମୁନରେ ଧମକଚମକ ଦେଉଥିଲେ 
-ସମ୍ପତ୍ତିକୁ ନେଇ ଦୀର୍ଘଦିନ ଧରି ବିବାଦ ଚାଲିଥିଲା
-ନ ଜଣାଇ ସମ୍ପତ୍ତିକୁ ସମ୍ପର୍କୀୟଙ୍କୁ ବାଣ୍ଟିଦେଉଥିଲେ
-ଜୀବନ ପ୍ରତି ବିପଦ ଥିବା ଯୋଗୁଁ ହତ୍ୟା କରିବାକୁ ନିଷ୍ପତ୍ତି ନେଲି
-ବାରମ୍ବାର ଥାନାର ଦ୍ବାରସ୍ଥ ହୋଇ ସ୍ବାମୀଙ୍କ ନାଁରେ ଅଭିଯୋଗ କରୁଥିଲି 
-କେହି ନ ଶୁଣିବାରୁ ଅନେକ ଥର ଧାରଣା ଦେଇଥିଲି

ପୁଲିସର ସୂଚନା ଅନୁସାରେ ପଲ୍ଲବୀ ମାନସିକ ଅବସାଦ ପାଇଁ ଚିକିତ୍ସିତ ହେଉଛନ୍ତି । ତେବେ ଅଭିଯୁକ୍ତାଙ୍କ ବୟାନରେ କେତେଦୂର ସତ୍ୟତା ରହିଛି ଏନଇ ଛାନଭିନ କରୁଛି ପୁଲିସ । ଘଟଣାସ୍ଥଳରୁ ସଂଗ୍ରହ କରାଯାଇଥିବା ସୁରାକ ଆଧାରରେ ତଦନ୍ତ ପ୍ରକ୍ରିୟାକୁ ତ୍ବରାନିତ୍ବ କରାଯିବ ।

ହତ୍ୟା ପଛର କାରଣ ପାରିବାରିକ ବିବାଦ ନା ଆଉ କିଛି ଏନେଇ ତନାଘନା କରୁଛି ପୁଲିସ । ୧୯୮୧ ବ୍ୟାଚର ଓମ୍ ପ୍ରକାଶ ଥିଲେ ବିହାରର । ୨୦୧୫ରେ କର୍ଣ୍ଣାଟକ ଡିଜିପି ଭାବେ ଦାୟିତ୍ବ ନେଇଥିଲେ । ତେବେ ପୂର୍ବତନ ଡିଜିପିଙ୍କ ହତ୍ୟା ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।