ଇଡି ଛଡାଇଲା ଖଣି ମାଲିକଙ୍କ ଗାଡ଼ି ସଉକ; କୋଟି କୋଟି ଟଙ୍କାର କରିଥିଲେ ଋଣ

ଯାଞ୍ଚ ସମୟରେ ଶକ୍ତିରଞ୍ଜନଙ୍କ ଘରୁ ଗୋଟିଏ ପୋର୍ସେ କାୟେନ୍ନେ, ମର୍ସିଡିସ୍‌ ବେଞ୍ଜ ଜିଏଲ୍‌ସି, ବିଏମ୍‌ଡବ୍ଲ୍ୟୁ ଏକ୍ସ ୭, ଅଡି ଏ୩, ମିନି କୁପର୍‌ ଭଳି ୧୦ଟି ଦାମୀ କାର, ହୋଣ୍ଡା ଗୋଲ୍‌ଡ ୱିଙ୍ଗ୍‌ ଭଳି ୩ଟି ସୁପର ବାଇକ୍‌ ଜବତ ହୋଇଛି । ଜବତ ଗାଡ଼ିଗୁଡ଼ିକର ମୂଲ୍ୟ ୭ କୋଟି ଟଙ୍କାରୁ ଅଧିକ ହେବ ବୋଲି ଇଡି ଆକଳନ କରିଛି ।

ED Raid

Photograph: (Kanak News)

କନକ ବ୍ୟୁରୋ : ଖଣି ମାଲିକ ଶକ୍ତିରଞ୍ଜନ ଦାଶଙ୍କ ଦାମୀ କାର୍ ସଉକ । ଗୋଟିଏ କି ଦୁଇଟି ନୁହେଁ, ୧୦ଟି ଦାମୀ କାର୍‌ର ମାଲିକ ହେଉଛନ୍ତି ଶକ୍ତିରଞ୍ଜନ । ଚଢ଼ାଉ ବେଳେ କିଛି ଏପରି ଦାମୀ କାର୍ ଇଡି ହାତରେ ଲାଗିଛି । ଭୁବନେଶ୍ୱର ନୂଆପଲ୍ଲୀସ୍ଥିତ ଘର ସମେତ ତାଙ୍କ ମାଲିକାନାରେ ଥିବା ଅନ୍‌ମୋଲ୍‌ ମାଇନ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ (ଏଏମ୍‌ପିଏଲ୍‌) ଓ ଏମ୍‌ଏସ୍‌ ଅନ୍‌ମୋଲ୍‌ ରିସୋର୍ସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (ଏଆର୍‌ପିଏଲ୍‌) ଦୁଇ ଅଫିସରେ ଇଡି ପକ୍ଷରୁ ଚଢ଼ଉ କରାଯାଇଥିଲା ।

ଯାଞ୍ଚ ସମୟରେ ଶକ୍ତିରଞ୍ଜନଙ୍କ ଘରୁ ଗୋଟିଏ ପୋର୍ସେ କାୟେନ୍ନେ, ମର୍ସିଡିସ୍‌ ବେଞ୍ଜ ଜିଏଲ୍‌ସି, ବିଏମ୍‌ଡବ୍ଲ୍ୟୁ ଏକ୍ସ ୭, ଅଡି ଏ୩, ମିନି କୁପର୍‌ ଭଳି ୧୦ଟି ଦାମୀ କାର, ହୋଣ୍ଡା ଗୋଲ୍‌ଡ ୱିଙ୍ଗ୍‌ ଭଳି ୩ଟି ସୁପର ବାଇକ୍‌ ଜବତ ହୋଇଛି । ଜବତ ଗାଡ଼ିଗୁଡ଼ିକର ମୂଲ୍ୟ ୭ କୋଟି ଟଙ୍କାରୁ ଅଧିକ ହେବ ବୋଲି ଇଡି ଆକଳନ କରିଛି । ଏହାଛଡ଼ା ୧.୧୨ କୋଟି ଟଙ୍କାର ସୁନା ଅଳଙ୍କାର, ନଗଦ ୧୩ ଲକ୍ଷ ଟଙ୍କା ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି ।

ସେହିପରି ୨ଟି ବ୍ୟାଙ୍କ ଲକରକୁ ମଧ୍ୟ ଫ୍ରିଜ୍‌ କରାଯାଇଛି। ସୂଚନା ଅନୁସାରେ, ୨୦୦୯ରୁ ୨୦୧୩ ମଧ୍ୟରେ ହିମାଚଳ ପ୍ରଦେଶର ଇଣ୍ଡିଆନ୍‌ ଟେକ୍ନୋମାକ୍‌ କମ୍ପାନି ଲିମିଟେଡ୍‌ର ମୁଖ୍ୟ ରାକେଶ ଶର୍ମା ବିଭିନ୍ନ ପ୍ରକଳ୍ପ ଦର୍ଶାଇ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନେତୃତ୍ୱାଧୀନ ଏକ ଅନୁବନ୍ଧିତ ବ୍ୟାଙ୍କରୁ କାଗଜପତ୍ରରେ ଜାଲିଆତି କରି ୧୩ଶହ ୯୬ କୋଟି ଟଙ୍କା ଋଣ ନେଇଥିଲେ । ଟଙ୍କା ନେବା ପରେ ସଂସ୍ଥା ପକ୍ଷରୁ କୌଣସି ପ୍ରକଳ୍ପର କାର୍ଯ୍ୟ ହୋଇନଥିବା ଜଣାପଡ଼ିଥିଲା ।

ତେଣୁ ବେଆଇନ୍ ଆର୍ଥିକ କାରବାର ଓ ଋଣ ଜାଲିଆତି ନେଇ ହିମାଚଳ ପ୍ରଦେଶ ପୁଲିସ ମାମଲା ରୁଜୁ କରିଥିଲା । ପରେ ଇଡି ସିମ୍‌ଲାସ୍ଥିତ ଜୋନାଲ୍‌ ଅଫିସରେ ମନି ଲଣ୍ଡରିଂ ମାମଲା ରୁଜୁ କରି ଚଢ଼ଉ କରିଥିଲା । ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଋଣ ଟଙ୍କାରୁ ୫୯.୮୦ କୋଟି ଟଙ୍କା ଶକ୍ତିରଞ୍ଜନ ଦାଶଙ୍କ କମ୍ପାନି ଆକାଉଣ୍ଟକୁ ଆସିଥିଲା । ଏହା ଜଣାପଡ଼ିବା ପରେ ଶନିବାରଠାରୁ ଇଡି ପକ୍ଷରୁ ଅନ୍‌ମୋଲ୍‌ ମାଇନ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଏଏଆର୍‌ପିଏଲ୍‌ କାର୍ଯ୍ୟାଳୟ ସହ ଶ୍ରୀ ଦାଶଙ୍କ ଘରେ ଚଢ଼ାଉ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe