କନକ ବ୍ୟୁରୋ: ଗଣଦୁଷ୍କର୍ମର ଶିକାର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ମେଡିକାଲ ଛାତ୍ରୀ । ଜଣେ ମହିଳା ମୁଖ୍ୟମନ୍ତ୍ରୀ ହେବା ପରେ ବି ଘଟଣାକୁ ଗୁରୁତ୍ବର ସହ ନେବା ପରିବର୍ତ୍ତେ ଛାତ୍ରୀ ଜଣକ କାହିଁକି ରାତିରେ ବାହାରକୁ ବାହିରିଥିଲେ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଯାହାକୁ ନେଇ ଦିଦିଙ୍କୁ ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ୍ କରାଯାଉଛି । ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କଠାରୁ ଏହା ଆଶା କରାଯାଉନଥିଲା ବୋଲି ବିରୋଧୀ ରୋକଠୋକ କହିଛନ୍ତି ।
ଦିଦିଙ୍କୁ ଜଣାନାହିଁ ସମ୍ବେଦନଶୀଳତା
ଦୁଃଖ ପ୍ରକାଶ କରିବା ପରିବର୍ତ୍ତେ ପ୍ରଶ୍ନ କରୁଛନ୍ତି
ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ଘଟଣାକୁ ତାଙ୍କ ସରକାର ଗୁରୁତ୍ବର ସହ ନେଇଛନ୍ତି । ତଦନ୍ତକାରୀ ଟିମ୍ ତଦନ୍ତ ଚଳାଇଛି । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ଏହାସହ ତାଙ୍କ ସରକାର କୌଣସି ଢିଲାପଣ ରଖିବନି ବରଂ ଦୋଷୀଙ୍କୁ କଠୋରରୁ କଠୋର ଶାସ୍ତି ଦିଆଯିବ ବୋଲି କହିଛନ୍ତି । ଏହାସହ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ସେ ପରାମର୍ଶ ଦେଇ କହିଛନ୍ତି ଯେ ଛାତ୍ରୀଙ୍କ ସୁରକ୍ଷା ପାଇଁ ସେମାନେ ଯଥେଷ୍ଟ ଧ୍ୟାନ ଦେବା ଉଚିତ । ତେବେ ଏସବୁ ଭିତରେ ମମତାଙ୍କ ଆଉ ଏକ ମନ୍ତବ୍ୟ ବିବାଦ ସୃଷ୍ଟି କରିଛି । କିଛି ଏହାକୁ ମମତାଙ୍କ ଦାୟିତ୍ବହୀନ ମନ୍ତବ୍ୟ ମଧ୍ୟ କହିଛନ୍ତି ।
କାରଣ ମମତା କହିଛନ୍ତି, ରାତି ୧୨ଟା ୩୦ ପରେ ମେଡିକାଲ ଛାତ୍ରୀ ଜଣକ କାହିଁକି ବାହାରକୁ ବାହାରିଥିଲେ । ସେ ଏକ ଘରୋଇ ମେଡିକାଲ କଲେଜରେ ପଢ଼ୁଥିଲେ । ଏହି ଘଟଣା ପାଇଁ ଦାୟୀ କିଏ ବୋଲି ମମତା ପ୍ରଶ୍ନ କରିଛନ୍ତି । ଘରୋଇ ମେଡିକାଲ କଲେଜ ଗୁଡ଼ିକ ନିଜ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଦାୟୀ । ଆଉ ରାତିରେ ସେମାନଙ୍କୁ ବାହାରକୁ ବାହାରିବାକୁ ଦିଆଯିବା ଉଚିତ୍ ନୁହେଁ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ହେଲେ ଏମିତି ସମୟରେ ସେ ଏମିତି କେମିତି ବୟାନ ଦେଲେ ତାହାକୁ ନେଇ ପ୍ରଶ୍ନ ଉଙ୍କିମାରୁଛି ।
ପଶ୍ଚିମବଙ୍ଗ ଗଣଦୁଷ୍କର୍ମ
ପୂରା ଦେଶରେ ଆକ୍ରୋଶ
ଦିଦି ବୁଝୁନାହାନ୍ତି ଘଟଣାର ସମ୍ବେଦନଶୀଳତା
ଆରଜି କର ହସ୍ପିଟାଲ କଥା ମନରୁ ନଲିଭୁଣୁ, ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀ । ମେଡିକାଲ ଆଇସିୟୁରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା । ଏହାକୁ ନେଇ କଲେଜ କ୍ୟାମ୍ପସରେ ପ୍ରବଳ ଉତ୍ତେଜନା । ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାର ଦୁର୍ଗାପୁରରେ ଏଭଳି ଉଦବେଗଜନକ ଘଟଣା ଘଟିଛି । ଘରୋଇ ମେଡିକାଲ କଲେଜରେ ପଢୁଥିଲେ ସମ୍ପୃକ୍ତ ଓଡ଼ିଆ ଛାତ୍ରୀ । MBBS ଦ୍ବିତୀୟ ବର୍ଷର ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ଘର ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ । ପଶ୍ଚିମବଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଘଟଣାକୁ ନେଇ ମେଡିକାଲ କଲେଜ କ୍ୟାମ୍ପସ୍ ସମେତ ଦୁର୍ଗାପୁରରେ ଉତ୍ତେଜନା ପ୍ରକାଶ ପାଇଛି । ଆଉ ଏହାରି ଭିତରେ ଗତକାଲି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍ ।