କନକ ବ୍ୟୁରୋ: କୁକୁର ନାଁରେ ଆବାସିକ ପ୍ରମାଣପତ୍ର । କଥାଟା ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ସତ । ବିହାରରୁ ସାମ୍ନାକୁ ଆସିଛି ଏମିତି ଘଟଣା । ବିହାରରେ ନିର୍ବାଚନ କମିସନଙ୍କ ଦ୍ୱାରା ଚାଲିଥିବା ଭୋଟର ତାଲିକା ସଂଶୋଧନ ଅଭିଯାନ ସମୟରେ ଆବାସ ପ୍ରମାଣପତ୍ର ପାଇଁ ଆବେଦନ କରାଯାଉଛି । ଏହାରି ମଧ୍ୟରେ ଏପରି ଏକ ଖବର ସାମ୍ନାକୁ ଆସିଛି । ପାଟଣା ମସୌଢ଼ି ବ୍ଲକ୍‌ରେ ଏକ କୁକୁରକୁ ଆବାସିକ ପ୍ରମାଣପତ୍ର ଜାରି କରାଯାଇଛି । ଆରଟିପିଏସ୍‌ କାଉଣ୍ଟର ଜରିଆରେ ଜାରି ହୋଇଥିବା ଏହି ଆବାସିକ ପ୍ରମାଣପତ୍ରରେ ଏକ କୁକୁରର ଫଟୋ ଲଗାଇ ତା’ର ନାମ ଓ ଠିକଣା ଉଲ୍ଲେଖ କରାଯାଇଛି ।

Advertisment

ଏହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେହି ପ୍ରମାଣପତ୍ରରେ ପାଟଣା ରାଜସ୍ବ ଅଧିକାରୀଙ୍କ ଡିଜିଟାଲ ଦସ୍ତଖତ ଥିବା ମଧ୍ୟ ଦେଖିବାକୁ ମିଳିଛି । ପ୍ରମାଣପତ୍ରରେ ଆବେଦକଙ୍କ ନାଁ ଡଗ୍‌ ବାବୁ, ପିତା କୁତା ବାବୁ ଓ ମାତା କୁତିୟା ଦେବୀ ଉଲ୍ଲେଖ ହୋଇଛି । ଖବର ସାମ୍ନାକୁ ଆସିବା ପରେ ଉକ୍ତ ପ୍ରମାଣପତ୍ରକୁ ରବ୍ଦ କରିଦିଆଯାଇଥିବା ଜଣାପଡ଼ିଛି ।

ପ୍ରମାଣପତ୍ର ଅନୁଯାୟୀ, ଡଗ୍ ବାବୁଙ୍କ ଠିକଣା ହେଉଛି କୌଲିଚକ୍, ୱାର୍ଡ ନମ୍ବର ୧୫, ନଗର ପରିଷଦ ମସୌଢ଼ି, ପାଟନା । ଏହି ପ୍ରମାଣପତ୍ରଟି ସରକାରଙ୍କ ଆରଟିପିଏସ୍ (Right to Public Services) ପୋର୍ଟାଲ ମାଧ୍ୟମରେ ଜୁଲାଇ ୨୪, ୨୦୨୫ ରେ ଜାରି କରାଯାଇଥିଲା ଏବଂ ଏଥିରେ ରାଜସ୍ୱ ଅଧିକାରୀ ମୁରାରୀ ଚୌହ୍ବାନଙ୍କ ଡିଜିଟାଲ୍ ଦସ୍ତଖତ ରହିଛି ।

ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଶାସନର ନିଦ ଭାଙ୍ଗିଥିଲା । ତୁରନ୍ତ ଏହି ପ୍ରମାଣପତ୍ରକୁ ରବ୍ଦ କରାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ମାମଲାରେ ତିନି ଜଣଙ୍କ ବିରୋଧରେ ଏତଲା ଦାଏର କରାଯାଇଛି । ପ୍ରାଥମିକ ତଦନ୍ତରୁ ଏହା ଏକ ସାଧାରଣ ଭୁଲ୍ ନୁହେଁ ବରଂ ସରକାରୀ ଡକ୍ୟୁମେଣ୍ଟ ସହ ଏକ ସାଂଘାତିକ ଟାମ୍ପରିଂ ବୋଲି ଜଣାପଡ଼ିଛି । ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଥିଲେ ଯେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ ବ୍ୟବହୃତ ପ୍ରମାଣପତ୍ର ନମ୍ବରଟି ଦିଲ୍ଲୀର ଜଣେ ମହିଳାଙ୍କ ପ୍ରକୃତ ଆଧାର ଏବଂ ଅନ୍ୟାନ୍ୟ ତଥ୍ୟ ସହିତ ସଂଯୁକ୍ତ ଥିଲା । 

ରାଜସ୍ୱ ଅଧିକାରୀଙ୍କ ଡିଜିଟାଲ୍ ସ୍ୱାକ୍ଷରର ଦୁରୁପଯୋଗ କେମିତି ହେଲା, ତାହାକୁ ନେଇ ବର୍ତ୍ତମାନ ସମୟରେ ତଦନ୍ତ ଚାଲିଛି । ଡିଜିଟାଲ୍ ସ୍ୱାକ୍ଷର ପାଇଁ ଏକ ସୁରକ୍ଷିତ ସରକାରୀ ଡୋଙ୍ଗଲ୍ ଆବଶ୍ୟକ ହେଉଥିବାରୁ, କୌଣସି ବଡ଼ ଧରଣର ସୁରକ୍ଷା ଉଲ୍ଲଂଘନ କିମ୍ବା ପରିଚୟପତ୍ରର ଅପବ୍ୟବହାର ହୋଇଥିବା ସନ୍ଦେହ କରାଯାଉଛି । ଏହି ଘଟଣାକୁ ନେଇ ସ୍ୱାଧୀନ ସାଂସଦ ପପୁ ଯାଦବ ସରକାରଙ୍କୁ କଟାକ୍ଷ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, "ଏଠାରେ କୁକୁରକୁ ବାସିନ୍ଦା ପ୍ରମାଣପତ୍ର ମିଳିଯାଉଛି, କିନ୍ତୁ ସାଧାରଣ ଲୋକଙ୍କୁ ମିଳିପାରୁ ନାହିଁ... ଏହା ମୋର ମହାନ ଭାରତ । ଏହି ଘଟଣା ବିହାରର ପ୍ରାଶାସନିକ ବ୍ୟବସ୍ଥାର ସ୍ୱଚ୍ଛତା ଏବଂ ସରକାରୀ ପୋର୍ଟାଲଗୁଡ଼ିକର ସୁରକ୍ଷା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି ।