କନକ ବ୍ୟୁରୋ : କନେଷ୍ଟବଳ ଶୁଭମିତ୍ରାଙ୍କ ହତ୍ୟା ରହସ୍ୟ ଖୋଲିବା ପରେ ଦୀପକଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସନ୍ଦେହ । ପ୍ରଥମ ପତ୍ନୀଙ୍କ ମୃତ୍ୟୁ ଦୁର୍ଘଟଣାରେ ନୁହେଁ, ବରଂ ଦୀପକ ହିଁ ହତ୍ୟା କରିଛି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକ । ଘଟଣାର ପୁଣି ଥରେ ତଦନ୍ତ ଦାବି କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ପ୍ରଥମ ପତ୍ନୀଙ୍କ ଭଉଣୀ ।

Advertisment

୨୦୧୮ ଏପ୍ରିଲ ୨୫ ତାରିଖରେ ପ୍ରଥମ ବିବାହ କରିଥିଲେ ଦୀପକ । ପତ୍ନୀ ଆର୍‌ଆଇ ଥିବାବେଳେ ଦୀପକ କମିସନରେଟ୍‌ ପୁଲିସରେ କ୍ଲର୍କ ଚାକିରି କରୁଥିଲେ । ୨୦୨୨ ମାର୍ଚ୍ଚ ୧୭ ରାତି ୯ଟାରେ ଉଭୟ ଭୁବନେଶ୍ୱର ଆସୁଥିଲେ । ଢେଙ୍କାନାଳରୁ ଆସୁଥିବା ବେଳେ ପତ୍ନୀଙ୍କୁ ରାସ୍ତାରେ ପରିସ୍ରା ଲାଗିଥିଲା । ଖୁଣ୍ଟୁଣୀ ଥାନା ରାଧାଦାମୋଦରପୁର ନିକଟରେ ଗାଡ଼ିରୁ ଓହ୍ଲାଇଥିଲେ ଆଉ ଏତିକିବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିବା କହିଥିଲା ଦୀପକ । ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ନିଜ କାରରେ କଟକର ଏକ ଘରୋଇ ହସ୍ପିଟାଲକୁ ନେଇଥିଲା । ଚିକିତ୍ସା ସମୟରେ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ଖୁଣ୍ଟୁଣୀ ଥାନାରେ ଜଣାଇଥିଲେ ଦୀପକ ।

ଏହାରି ଭିତରେ ପୁରୀରେ ସ୍ୱର୍ଗଦ୍ୱାରରେ ଶୁଭମିତ୍ରାଙ୍କ ଅନ୍ତିମ ସଂସ୍କାର କରାଯାଇଛି । କୋହକୁ ଚାପି ରଖି ଝିଅ ମୃତ୍ୟୁ ହେବାର ପ୍ରାୟ ସପ୍ତାହେ ପରେ ଉଦ୍ଧାର ହୋଇଥିବା ମୃତଦେହକୁ ସତ୍କାର କରିଛନ୍ତି ପରିବାର ସଦସ୍ୟ । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଅଭିଯୁକ୍ତ ଦୀପକର ସମ୍ପତ୍ତି ଜବତ କରିବାକୁ ଦାବି କରିଛନ୍ତି ।