କନକ ବ୍ୟୁରୋ: ବାଲେଶ୍ବର ପୀଡ଼ିତାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଓ ଆଲୋଚନା । ଗତକାଲି ଅବସ୍ଥା ଯେମିତି ଥିଲା ଆଜି ବି ସେମିତି ଅଛି । ସ୍ବାସ୍ଥ୍ୟରେ କୌଣସି ଉନ୍ନତି ଆସିନାହିଁ । ଭେଣ୍ଟିଲେଟରରେ ଝିଅର ଅବସ୍ଥା ଦେଖି କୋହ ସମ୍ଭାଳି ପାରୁନାହାନ୍ତି ବାପା । ଆଖି ସାମ୍ନାରେ ଝିଅର ଅବସ୍ଥା ଦେଖି ଆଖି ଛଳଛଳ ହୋଇଯାଉଛି । କ୍ୟାମେରା ସାମ୍ନାରେ କହିଛନ୍ତି, ଝିଅର ଅବସ୍ଥାରେ କୌଣସି ସୁଧାର ଆସୁନାହିଁ । ପୂରା ଶରୀର ବ୍ୟାଣ୍ଡେଜ୍ରେ ଗୁଡ଼ାଯାଇଛି । ସେପଟେ ଡାକ୍ତର କହିଛନ୍ତି, ୯୮ ପ୍ରତିଶତ ଅକ୍ସଜେନ୍ରେ ଏବେ ବି ପୀଡ଼ିତା ଅଛନ୍ତି । ଥରେ ଚିନ୍ତାକରନ୍ତୁ କେମିତି କଷ୍ଟରେ ଛଟପଟ ହେଉଥିବେ ବାଲେଶ୍ବର ପୀଡ଼ିତା ।
୯୮ ପ୍ରତିଶତ ଅକ୍ସିଜେନ୍ ସପୋର୍ଟ
ଆଇସିୟୁ ବାହାରେ କାନ୍ଦୁଛି ବାପା
ଭେଣ୍ଟିଲେଟରରେ ମରଣ ସହ ସଂଗ୍ରାମ କରୁଛି ଝିଅ
ଏମ୍ସରୁ ବାଲେଶ୍ବର
ସବୁଠି ପ୍ରତିକ୍ରିୟା
ରାଜନୀତି ବି ଜୋର
ବାରମ୍ବାର ଅଭିଯୋଗ…ବାରମ୍ବାର ଦରଖାସ୍ତ । ଏହାପରେ ବି ଶୁଣିଲେନି ପ୍ରଶାସନ । ଅଧ୍ୟାପକଙ୍କ ନିର୍ଯାତନା ଏତେ ଅଧିକ ଥିଲା ଯେ ଶେଷରେ ନିଜ ଦେହରେ ନିଜେ ନିଆଁ ଲଗାଇଦେବାକୁ ନିଷ୍ପତ୍ତି ନେଲେ ବାଲେଶ୍ବର ପୀଡ଼ିତା । ଖବର ପ୍ରସାରଣ ହେବା ପରେ ପୂରା ରାଜ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ବାଲେଶ୍ବରରୁ ଏମ୍ସ ସ୍ଥାନାନ୍ତର ହେବା ପରେ ରାଜନେତାଙ୍କର ବି ପ୍ରବଳ ଭିଡ଼ ଜମିଛି । ଉଚ୍ଚଶିକ୍ଷା ବିଭାଗ ଓ ଗୃହ ବିଭାଗର ଦାୟିତ୍ବରେ ଥିବା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ । ଖାଲି ଏତିକି ନୁହେଁ ବରଂ ଖୋଦ୍ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସବୁ ଦଳର ନେତା ସତେ ଯେମିତି ଏକ ହୋଇଛନ୍ତି ।
ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିଛି
ରାଷ୍ଟ୍ରପତିଙ୍କୁ ସମୟ ମାଗିଲେ ବିରୋଧୀ
ଏପଟେ, ରାଜ୍ୟରେ କ୍ରମାଗତ ଆଇନଶୃଙ୍ଖଳା ବିଗୁଡ଼ୁଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମୟ ମାଗିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ରାଜ୍ୟରେ ଏବେ ରାଜନୀତି କିନ୍ତୁ ଜୋର ଧରିଲାଣି । କହିବାକୁ ଗଲେ, ବାଲେଶ୍ବର ପୀଡ଼ିତା ନ୍ୟାୟ ପାଇଁ ବାରମ୍ବାର କଲେଜ୍ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ନିଜ ଦେହରେ ନିଜେ ନିଆଁ ଲଗାଇଦେଇଥିଲେ । ଶରୀରର ୯୫ ପ୍ରତିଶତ ପୋଡ଼ି ଯାଇଥିବାରୁ ଏବେ ଏମ୍ସରେ ମରଣ ସହ ଲଢେଇ କରୁଛନ୍ତି ଛାତ୍ରୀ ଜଣକ ।
ଘଟଣା ଜଣାପଡ଼ିବା ପରେ, ସରଗରମ ହେଲାଣି ରାଜନୀତି । ବିଜେଡି ଓ କଂଗ୍ରେସ ଜୋରଦାର ପ୍ରତିବାଦ କରିବା ପରେ ବାଲେଶ୍ବର ଗସ୍ତରେ ବି ଯାଇଛନ୍ତି । କେମିତି ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳିବ ସେନେଇ ସବୁ ପ୍ରକାର ଚାପ ପକାଯିବ ବୋଲି ବିରୋଧୀ କହିଛନ୍ତି । ଏପଟେ ଗତକାଲି ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତୁରନ୍ତ ଏମ୍ସରେ ପହଞ୍ଚି ପୀଡ଼ିତାଙ୍କ ଚିକିତ୍ସା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ଖାଲି ଏତିକି ନୁହେଁ ବରଂ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏବେ ସମୟ କହିବ କେବେ ପୀଡ଼ିତାଙ୍କ ପରିବାରକୁ ମିଳୁଛି ନ୍ୟାୟ ।