Cyber Fraudsters Photograph: (Kanak News)
କନକ ବ୍ୟୁରୋ : ସାଇବର ଠକେଇରେ ରୋକ ଲାଗୁନି । ପୁଲିସ ଲୋକଙ୍କୁ ସଚେତନ କରୁଛି ହେଲେ ଲୁଟେରା ନୂଆ ନୂଆ ତରିକାରେ ଲୋକଙ୍କୁ ଚୂନ ଲଗାଉଛନ୍ତି । ଆଖି ପିଛୁଳାକେ ଲୋକଙ୍କ କଷ୍ଟ ଅର୍ଜିତ ଟଙ୍କାକୁ ଆକାଉଣ୍ଟରୁ ଗାଏବ କରି ନେଉଛନ୍ତି । ବିଶେଷକରି ବରିଷ୍ଠ ନାଗରିକଙ୍କୁ କରୁଛନ୍ତି ଟାର୍ଗେଟ ।
ଦୁଇଜଣ ଅବସରରେପ୍ରାପ୍ତ ଦମ୍ପତି । ସ୍ୱାମୀ ନାଲକୋର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଓ ତାଙ୍କ ପତ୍ନୀ ଜଣେ ଅବସରପ୍ରାପ୍ତ ଅଧ୍ୟାପିକା । ନୂଆପଲ୍ଲୀ ଅଞ୍ଚଳର ଏକ ଫ୍ଲାଟରେ ଉଭୟ ରୁହନ୍ତି । ଗତ ୯ ତାରିଖ ଦିନ ଏକ ଅଜଣା ନମ୍ବରରୁ ମ୍ୟାଡାମଙ୍କୁ ଫୋନ କଲ ଆସିଥିଲା । ପୁଲିସ ପରିଚୟ ଦେଇ କଥା ହୋଇଥିଲା ସାଇବର ଲୁଟେରା । ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ସହ ଦମ୍ପତ୍ତିଙ୍କ ସମ୍ପର୍କ ଥିବା କହି ଭୟଭୀତ କରିବା ଆରମ୍ଭ କଲା । ଦେଶଦ୍ରୋହ କାମରେ ତାଙ୍କ ଆଧାର କାର୍ଡ ବ୍ୟବହାର ହୋଇଛି । ଏପରିକି ମନି ଲଣ୍ଡରିଂରେ ମଧ୍ୟ ଉଭୟଙ୍କ ସମ୍ପୃକ୍ତି ଅଛି । ଭିଡିଓ କଲ୍ରେ ଏଭଳି ଭୟ ଦେଖାଇଥିଲେ ଲୁଟେରା ।
ଅଧିକ ପଢ଼ନ୍ତୁ :
ପ୍ରାୟ ୩୫ ଘଣ୍ଟା ଘରେ ନଜରବନ୍ଦୀ ହୋଇ ରହିବା ପରେ ୨୧ ଲକ୍ଷ ଟଙ୍କା ବ୍ୟାଙ୍କକୁ ଯାଇ ପଠାଇବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହାୟତାରେ ଠକେଇ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହାପରେ ସାଇବର ଥାନାରେ ଏତଲା ପରେ ଠକେଇରୁ ଅଳ୍ପକେ ବର୍ତ୍ତିଥିଲେ ଦମ୍ପତି । ଦୁଇଦିନ ତଳେ ସୁପ୍ରିମକୋର୍ଟ ଡିଜିଟାଲ ଆରେଷ୍ଟକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ । ସାରା ଦେଶରୁ ଠକେଇ ପରିମାଣ ୫୪ ହଜାର କୋଟି ବୋଲି ଜାଣିବା ପରେ, ଏହାକୁ ରୋକିବା ପାଇଁ ଏସଓପି ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ବାରମ୍ବାର ଡିଜିଟାଲ ଆରେଷ୍ଟ ନାଁରେ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି ଲୁଟେରା । ହେଲେ ସେମାନଙ୍କୁ ଧରିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି ।
Follow Us