କନକ ବ୍ୟୁରୋ : ବାଲେଶ୍ୱର ଏଫ୍‌ଏମ୍‌ କଲେଜରେ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣାକୁ ନେଇ ଉଠୁଛିପଡୁଛି ରାଜ୍ୟ । ବ୍ୟବସ୍ଥାର ଅବହେଳା ପାଇଁ ଜଣେ ନ୍ୟାୟ ପାଇଁ ଲଢ଼େଇ କରିଥିବା ଛାତ୍ରୀଙ୍କୁ ଜୀବନ ଦେବାକୁ ପଡ଼ିଛି । କିନ୍ତୁ ବ୍ୟବସ୍ଥାରେ ଏଭଳି ତ୍ରୁଟି ପ୍ରଥମ ଥର ନୁହେଁ, ଏକ ପ୍ରକାର ଅଭ୍ୟାସଗତ କହିଲେ ଭୁଲ ହେବନି । ଏବେ ବି ଅନେକ ନ୍ୟାୟ ଅପେକ୍ଷାରେ ରହିଛନ୍ତି ।

Advertisment

ବାଲେଶ୍ୱର ଏଫ୍‌ଏମ୍‌ କଲେଜ ଅଘଟଣ ପରେ ପ୍ରଶାସନ ତତ୍ପର ହୋଇଛି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି  । କିନ୍ତୁ ବିଡ଼ମ୍ବନାର ବିଷୟ ଏବେ ବି ଅନେକ ନିର୍ଯାତିତଙ୍କ ନ୍ୟାୟ ଦାବି, ନାଲି ଫିତା ତଳେ ଚାପି ହୋଇ ରହିଯାଇଛି । ତାର ବଡ଼ ଉଦାହରଣ ଯାଜପୁରର ଚିତାଳୋ ଡିଗ୍ରି ମହାବିଦ୍ୟାଳୟ । ପୂର୍ବରୁ ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ନିଲମ୍ୱିତ ହୋଇ ଜେଲ ଯାଇଥିବା ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ନିରଞ୍ଜନ ପଣ୍ଡାଙ୍କୁ ପୁଣି ନିଯୁକ୍ତି ଦିଆଯାଇଛି । ହେଲେ ଅଧ୍ୟାପକ ପୁଣି ଛାତ୍ରଛାତ୍ରୀଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଏପରିକି ଭୟରେ କିଛି ଛାତ୍ରଛାତ୍ରୀ କଲେଜ ଆସିବାକୁ ଡରୁଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ।

ଏଫ୍‌ଏମ୍‌ କଲେଜ ପୀଡ଼ିତାଙ୍କୁ ବ୍ୟବସ୍ଥା ଯେମିତି ଅବହେଳା କରିଥିଲା ସମ୍ୱଲପୁର ବିଶ୍ୱବିଦ୍ୟାଳୟର ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ କ୍ଷେତ୍ରରେ ମଧ୍ୟ ସେଭଳି ହୋଇଥିଲା । ତତ୍କାଳୀନ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ନିର୍ଯାତନା ନେଇ ସେ ଜିଲ୍ଲାପାଳ, ଏସ୍‌ପି, ଆରଡିସି, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ମାନବାଧିକାର କମିସନଙ୍କୁ ଚିଠି ଲେଖିଥିଲେ । କିନ୍ତୁ କେହି ନଶୁଣିବାରୁ ଆତ୍ମହତ୍ୟା କରିଥିଲେ । ଘଟଣାକୁ ୪ ବର୍ଷ ବିତିଲାଣି ନ୍ୟାୟ ମିଳିନି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦୀନବନ୍ଧୁଙ୍କ ପୁଅ ।

ମାଲକାନଗିରି କୋରୁକୋଣ୍ଡା ସଦର ଥାନା ଅଞ୍ଚଳର ଏଭଳି ଖବର ଯାହା ଜାଣିଲେ ପୁଲିସ ପ୍ରଶାସନ ଉପରୁ ଭରସା ତୁଟିଯିବ । ପ୍ରେମ ପରେ ପ୍ରତାରଣାର ଶିକାର ହୋଇଛି ୬୫ ପ୍ରତିଶତ ଦିବ୍ୟାଙ୍ଗ ଯୁବତୀ । ଫୋନରେ ସଂପର୍କ ସ୍ଥାପନ ପରେ ଅଭିଯୁକ୍ତ ପ୍ରେମିକ ଯୁବତୀଙ୍କ ଫଟୋକୁ ଏଡିଟ କରି ଭାଇରାଲ କରୁଛି । ଅଭିଯୁକ୍ତ ଜଣକ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକର ମଦନପୁର ଗାଁର ଶ୍ରୀକାନ୍ତ ଜେନା । ପୀଡ଼ିତା ଏନେଇ ମାଲକାନଗିରି ସଦର ଥାନାରେ ଏତଲା ଦେଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଦିବ୍ୟାଙ୍ଗ ପୀଡ଼ିତା ଯୁବତୀ ଭୀଷଣ ମାନସିକ ଯନ୍ତ୍ରଣାରେ ଦିନ କାଟୁଛନ୍ତି ।

ଏ କାହାଣୀ କେବଳ ମାଲକାନଗିରି, ଯାଜପୁର କି ସମ୍ୱଲପୁରର ନୁହେଁ । ସାରା ରାଜ୍ୟରେ ଏପରି ଅନେକ ପୀଡ଼ିତ ଅଛନ୍ତି, ଯେଉଁମାନେ ନ୍ୟାୟ ପାଇଁ ଲଢ଼େଇ କରୁଛନ୍ତି ।