କନକ ବ୍ୟୁରୋ : ଅନେକ ଲାଞ୍ଚୁଆ ବାବୁଙ୍କ କଳାକାରନାମା ବିଷୟରେ ଆପଣ ଶୁଣିଥିବେ । କିନ୍ତୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କନିଷ୍ଠ କିରାଣି ସୁବ୍ରତଙ୍କ କଳାକାରନାମାର କାହାଣୀ ଶୁଣିଲେ ମୁଣ୍ଡରେ ହାତ ଦେବେ । ଆଖି ସାମ୍ନାରେ ସରକାରୀ ତହବିଲରୁ ଲୁଟୁଥିଲେ କୋଟି କୋଟି ଟଙ୍କା । ଆଉ ତାଙ୍କ ଲୁଟ୍‌ର ତରିକା ଥିଲା ପୂରା ନିଆରା ।

Advertisment

ଆଳୁ ଖୋଳୁ ଖୋଳୁ ମହାଦେବ । ଗୋଟେ ମାସ ଦରମା ଅନିୟମିତତାର ଯାଞ୍ଚ, ଆଉ ଖୋଲିଛି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କନିଷ୍ଠ କିରାଣି ସୁବ୍ରତ ବେହେରାଙ୍କ ଅର୍ଥ ହେରଫେରର ସବୁ ଗୁମର । ଚାକିରିର ମାତ୍ର କେଇଟା ବର୍ଷ ଭିତରେ ସରକାରୀ ରାଜକୋଷରୁ କରିତକର୍ମା ସୁବ୍ରତ ଲୁଟିଛନ୍ତି କୋଟି କୋଟି ଟଙ୍କା । ଆକାଉଣ୍ଟକୁ ଦରମା ବାଦ୍‌ ଯାଇଛି ଅତିରିକ୍ତ ୨ କୋଟି ୩୮ ଲକ୍ଷ ଟଙ୍କା । କେଳେଙ୍କାରୀ ସାମ୍ନାକୁ ଆସିବା ପରେ ଖୋଳତାଡ କରୁଛି ଅଡିଟ୍ ଟିମ୍ । କେମିତି ସୁବ୍ରତଙ୍କ ଆକାଉଣ୍ଟକୁ ମୋଟା ଅଙ୍କର ବେତନ ଆସୁଥିଲା, ସେନେଇ ଜିଲ୍ଲା ଟ୍ରେଜେରିକୁ ମଧ୍ୟ ଚିଠି ଲେଖାଯାଇଛି ।

ପ୍ରତିମାସରେ ବଦଳୁଥିଲା କରିତ୍‌କର୍ମା ସୁବ୍ରତର ଦରମା । ଆକାଉଣ୍ଟାଣ୍ଟ ଥିବାରୁ ସନ୍ଦେହର ଅବକାଶ ନଥିଲା । କେଉଁ ମାସରେ ନିଜ ମୂଳ ଦରମାକୁ ୧ ଲକ୍ଷ ୪୨ ହଜାର ଦେଖାଉଥିଲା ତ ଆଉ କେବେ ୩ ଲକ୍ଷ ୪୭ ହଜାର । ଏପରିକି ଗୋଟିଏ ମାସରେ ମୂଳ ଦରମାକୁ ୬ ଲକ୍ଷ ଦର୍ଶାଇ ମୁଖ୍ୟ ଶାସନ ସଚିବଙ୍କ ଦରମାର ୩ ଗୁଣା ଅଧିକ ବେତନ ଉଠାଇଥିଲା ସୁବ୍ରତ । ଏବେ ପ୍ରଶ୍ନ ଉଠୁଛି, ଜିଲ୍ଲା ଟ୍ରେଜେରି ଅଫିସର କର୍ମଚାରୀଙ୍କ ଅଜାଣତରେ କେମିତି ଅର୍ଥ ତୋଷାରପାତ କରୁଥିଲେ ସୁବ୍ରତ ? ପ୍ରତି ମାସରେ ମୂଳ ଦରମା ବଦଳୁଥିଲେ ମଧ୍ୟ କେମିତି ଜାଣିପାରିଲେନି ଦାୟିତ୍ୱରେ ଥିବା ଅଧିକାରୀ ? ଏଭଳି ଅସମାହିତ ପ୍ରଶ୍ନ ବଡ଼ ଦୁର୍ନୀତି ଆଡକୁ ଇଙ୍ଗିତ କରୁଛି ।

ପୂରା କେଳେଙ୍କାରୀ ପଛରେ କେବଳ ସୁବ୍ରତ ଏକମାତ୍ର ଅଭିଯୁକ୍ତ ନା ଏକ ବଡ ସିଣ୍ଡିକେଟ କାମ କରୁଥିଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।